ମୋରଡା,୨୮ା୧୦(ଡି.ଏନ.ଏ ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଥିବା ଇନ୍ଡୋର ଷ୍ଟାଡିୟମ ଓ ସୁଟିଂ ରେଞ୍ଜ ହଲ ୪ ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି।
ଅନୁଯାୟୀ, ଉକ୍ତ କଲେଜ ପରିସରରେ ୪ବର୍ଷ ତଳେ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଅନୁଦାନରେ ଏକ ଇନ୍ଡୋର ଷ୍ଟାଡିୟମ ଓ ସୁଟିଂ ରେଞ୍ଜ ହଲ ତିଆରି ପାଇଁ ଅର୍ଥ ଆସିଥିଲା। କିନ୍ତୁ ଉକ୍ତ ଦୁଇଟି ହଲର କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇ ପରୁନାହିଁ। କଲେଜ ପରିସର ଅନାବନା ଗଛ ଲତାରେ ମଧ୍ୟ ଭର୍ତ୍ତି ହୋଇଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ପ୍ରଥମ ପର୍ଯ୍ୟାୟରେ ଇନ୍ଡୋର ଷ୍ଟାଡିୟମ ଓ ସୁଟିଂ ରେଞ୍ଜ ହଲ ପାଇଁ ଯେତିକି ଟଙ୍କା ଆସିଥିଲା ସେତିକି ଟଙ୍କାର କାର୍ଯ୍ୟ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ଆସିଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।