Categories: ଜାତୀୟ

ରାମଲଲାଙ୍କ ଦର୍ଶନ ପାଇଁ ଘରୁ ଲୁଚି ପଳାଇଲେ ଦୁଇ ନାବାଳିକା ଭଉଣୀ

ଇନ୍ଦୋର,୧୯।୧: ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ କେବଳ ଅଯୋଧ୍ୟା ନୁହେଁ ସାରା ଦେଶରେ ଉତ୍ସବର ମାହୋଲ ଲାଗି ରହିଛି। ଏହି ଅବସରରେ ଦେଶ-ବିଦେଶରୁ ବହୁ ଲୋକ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଟେଲିଭିଜନ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ରାମ ମନ୍ଦିର ଏବେ ଚର୍ଚ୍ଚାର ଶିରୋନାମାରେ ରହିଛି। ତେବେ ରାମଲଲାଙ୍କୁ ଦର୍ଶନ ପାଇଁ ସଭିଁଏ ଉତ୍କଣ୍ଠିତ ଥିବାବେଳେ ଇନ୍ଦୋରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଇନ୍ଦୋରର ଦୁଇ ନାବାଳିକା ଭଉଣୀ ରାମଲଲାଙ୍କ ଦର୍ଶନ ପାଇଁ ଘରୁ ଫେରାର୍‌ ହୋଇଯାଇଛନ୍ତି।

ଘଟଣା ମୁତାବକ, ଏହି ଦୁଇ ନାବାଳିକା ଭଉଣୀଙ୍କ ବୟସ ୧୪ରୁ ୧୫ବର୍ଷ ଭିତରେ ଥିବା ଜଣାପଡିଛି। ଘରୁ ରେଲଓ୍ବେ ଷ୍ଟେଶନ ପହଞ୍ଚିବା ପାଇଁ ଦୁଇ ଭଉଣୀ ଇ-ରିକ୍ସା ବୁକିଂ କରିଥିଲେ। କିନ୍ତୁ ରିକ୍ସାରେ ବସିବା ପରେ ରିକ୍ସା ଚାଳକଙ୍କୁ ଦୁଇ ଭଉଣୀଙ୍କୁ ନେଇ ସନ୍ଦେହ ଉପୁଜିଥିଲା। ନାବାଳିକାଙ୍କୁ ପଚାରିବାରୁ ସେମାନେ ଅଯୋଧ୍ୟା ଯାତ୍ରା କରୁଛନ୍ତି ବୋଲି ରିକ୍ସାବାଲାଙ୍କୁ କହିଥିଲେ। କିନ୍ତୁ ରିକ୍ସା ଚାଳକ ଆନନ୍ଦ କୁମାର ଦୋ ତାଙ୍କୁ ଅଲଗା ରାସ୍ତାରେ ନେଇ ଯାଇଥିଲେ। ଚତୁରତାର ସହ ରିକ୍ସାବାଲା ତାଙ୍କୁ ମହିଳା ଥାନା ନେଇଥିଲେ। ଯାହାପରେ ମହିଳା ଟି ଆଇ ତାଙ୍କୁ ପଚରାଉଚରା କରି ସେମାନଙ୍କ ଅଭିଭାବକଙ୍କ ଜିମା ଦେଇଥିଲେ।

ସୂଚନାଥାଉ କି, ଦୁଇ ଭଉଣୀ ଅଯୋଧ୍ୟା ଯିବା ପାଇଁ ଗତ ୨୦ଦିନରୁ ଟଙ୍କା ଯୋଗାଡ କରୁଥିଲେ। ଦୁହେଁ ଘରୁ ୪-୪ ଯୋଡା ପୋଷାକ ସହ ୧ହଜାର ଟଙ୍କା ସ୍କୁଲ ବ୍ୟାଗରେ ରଖିଥିଲେ। ରିକ୍ସା ଚାଳକ ଆନନ୍ଦ ତାଙ୍କୁ ମହିଳା ଥାନାକୁ ନେବା ପରେ ପୋଲିସକୁ ଦେଖି ସେମାନେ ଆତଙ୍କିତ ହୋଇ ପଡିଥିଲେ। ଠିକଣା ପଚାରିବାରୁ କେବେ ଉଜ୍ଜୟନୀ କେବେ ଅଲଗା ଅଲଗା ସହରର ନାଁ କହୁଥିଲେ। କିନ୍ତୁ ପରେ ଇନ୍ଦୋରର ବୋଲି କହିଥିଲେ। ଦୁଇ ଭଉଣୀଙ୍କ ବାପା ଜଣେ ଅଟୋ ଚାଳକ ଥିବାବେଳେ ମାଆ ନଗର ନିଗମରେ କାର୍ଯ୍ୟରତ ଅଛନ୍ତି। ପୋଲିସ ଠାରୁ ଘଟଣା ଜାଣିବା ପରେ ପରିବାର ସମେତ ସାରା ଇନ୍ଦୋରରେ ଚାଞ୍ଚଲ୍ୟ ଖେଳିଯାଇଛି।

Share