Categories: ଖେଳ

ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଇନ୍ଦୋର ଟେଷ୍ଟ, ହୋଇପାରେ ଏହି ୫ ରେକର୍ଡ

ନୂଆଦିଲ୍ଲୀ,୨୮।୨: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜରେ ୨-୦ରେ ଅଗ୍ରଣୀ ଥିବା ଟିମ୍‌ ଇଣ୍ଡିଆ ଲାଗି ତୃତୀୟ ଟେଷ୍ଟ ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ ୧-୫ ମଧ୍ୟରେ ହେବାକୁ ଥିବା ଏହି ଟେଷ୍ଟକୁ ଜିତିବା ମାତ୍ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲକୁ ଭାରତର ଟିକେଟ୍‌ ନିଶ୍ଚିତ ହୋଇଯିବ। ଏହାଛଡ଼ା ମ୍ୟାଚ୍‌ରେ ଏଭଳି ଅନେକ ରେକର୍ଡ ହୋଇପାରେ। ଯେମିତିକି:-

-ତ୍ରିଶତକ ଲଗାଇ ପାରନ୍ତି କୋହଲି:
ବିରାଟ କୋହଲି ୩ ବର୍ଷ ଧରି ଟେଷ୍ଟରେ ଶତକ ମାରି ନ ଥିଲେ ହେଁ କ୍ୟାଚ୍‌ ଧରିବା ମାମଲାରେ ସେ ଏହି ରେକର୍ଡ କରିପାରନ୍ତି। ସେ ଏଯାବତ ୪୯୨ ମ୍ୟାଚ୍‌ରେ ୨୯୯ କ୍ୟାଚ୍‌ ଧରିଛନ୍ତି। ଏମିତିରେ ଆଉ ଗୋଟିଏ କ୍ୟାଚ୍‌ ଧରିଲେ ସେ ତ୍ରିଶତକ ରେକର୍ଡ ନିଜ ନାମରେ କରିବେ।

-୫୦୦ ଉଇକେଟରୁ ଗୋଟିଏ ପାଦ ଦୂରରେ ରବିନ୍ଦ୍ର ଜାଡେଜା:
ରବିନ୍ଦ୍ର ଜାଡେଜା ତାଙ୍କର ୫୦୦ ଅନ୍ତର୍ଜାତୀୟ ଉଇକେଟଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ସେ ବର୍ତ୍ତମାନ ଟେଷ୍ଟରେ ୨୫୯, ଦିନିକିଆରେ ୧୮୯ ଏବଂ ଟି -୨୦ ରେ ୫୧ ଉଇକେଟ ନେଇଛନ୍ତି। ଜାଡେଜା ଦିଲ୍ଲୀ ଟେଷ୍ଟର ହିରୋ ଥିଲେ। ସେ ଉକ୍ତ ଟେଷ୍ଟ ମ୍ୟାଚରେ ୧୦ ଉଇକେଟ ନେଇ ଅଷ୍ଟ୍ରେଲିଆକୁ ବ୍ୟାକଫୁଟରେ ରଖିଥିଲେ। ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ସେ ୧୭ ଉଇକେଟ ନେଇ ସାରିଛନ୍ତି।

-ଇତିହାସ ରଚି ପାରନ୍ତି ରୋହିତ:
ଅଧିନାୟକ ଭାବରେ ରୋହିତ ୪ ଟେଷ୍ଟ ମ୍ୟାଚ ଜିତିଛନ୍ତି। ଇନ୍ଦୋର ଟେଷ୍ଟ ଜିତିବା ପରେ ସେ ପ୍ରଥମ ଭାରତୀୟ ଅଧିନାୟକ ହେବେ ଯିଏକି ଅଧିନାୟକ ଭାବରେ ଡେବ୍ୟୁରେ ପାଞ୍ଚଟି ମ୍ୟାଚ ଜିତିଛନ୍ତି। ଏହାପୂର୍ବରୁ ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜିତିଥିଲେ। ସେ ଏପର୍ଯ୍ୟନ୍ତ ଏହି ସିରିଜରେ ୨ ଟି ଟେଷ୍ଟ ଜିତିଛନ୍ତି।

-ଚତୁର୍ଥ ଥର ପାଇଁ ଭାରତ ଜିତିବ ବର୍ଡର-ଗାଭାସ୍କର ଟ୍ରଫି:-
ଟିମ ଇଣ୍ଡିଆ କ୍ରମାଗତ ୩ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। ଇନ୍ଦୋର ଟେଷ୍ଟ ଜିତିବା ପରେ ଦଳ କ୍ରମାଗତ ଚତୁର୍ଥ ଥର ପାଇଁ ଏହି ଟ୍ରଫି ଉପରେ କବ୍ଜା କରିବ।

-ସ୍ବଦେଶରେ ଲଗାତର ୧୬ ତମ ସିରିଜ ବିଜୟ:
ଇନ୍ଦୋର ଟେଷ୍ଟ ଜିତିବା ମାତ୍ରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ଉପରେ କବ୍ଜା କରିବ। ଏହା ଟିମ ଇଣ୍ଡିଆର କ୍ରମାଗତ ୧୬ ତମ ସିରିଜ ବିଜୟ ହେବ।

Share