ଇନ୍ଦୋରରେ ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି: ସାନିଟାଇଜ୍‌ କରାଗଲା ଫଳ, ପନିପରିବା ଦୋକାନ

ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଇନ୍ଦୋରକୁ ଜୁନ୍‌ ୧ରୁ ଅନ୍‌ଲକ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ କିଛି ଦିନ ତଳେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ସିଂହ ଏନେଇ ନିଷ୍ପତ୍ତି ନେଇଥିଲେ। କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାବହ ହୋଇଥିବା ବେଳେ ଏହାରି ଭିତରେ ସହରକୁ ପୁଣି ଥରେ ଖୋଲିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ। ତେବେ ପ୍ରଶାସନ ଓ ନଗର ନିଗମ ପକ୍ଷରୁ ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ସହରକୁ ସାନିଟାଇଜ୍‌ ବ୍ୟବସ୍ଥା କରାଯାଉଛି। ତେବେ ସର୍ବପ୍ରଥମେ ଫଳ ଓ ପନିପରିବା ବଜାରରୁ ସାନିଟାଇଜ୍‌ କାର୍ଯ୍ୟ ଆରମ୍ଭ ହୋଇଛି। କାରଣ ଲୋକଙ୍କ ଚଳପ୍ରଚଳ ସବୁଠାରୁ ଅଧିକ ଏଠାରେ ହୋଇଥାଏ। ତେଣୁ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଇନ୍ଦୋରକୁ କରୋନା ମୁକ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସାନିଟାଇଜ୍‌ କାର୍ଯ୍ୟ କରାଯାଉଛି। ସହରରେ ଗତ ୧୦ଦିନର କଡ଼ା ଲକ୍‌ଡାଉନ ପରେ ଏବେ ଧୀରେ ଧୀରେ କଟକଣାକୁ କୋହଳ କରାଯାଉଥିବା ଦେଖିବାକୁ ମିଳିଛି।

 

Share