ପାରମ୍ପରିକ ତାନ୍ତ୍ରିିକ କାହାଣୀ ଅନୁଯାୟୀ, ଇନ୍ଦ୍ରଭୂତି ନାଲି ପକ୍ଷୀମାନଙ୍କୁ ଆକାଶରେ ଉଡ଼ୁଥିବାର ଦେଖିଲେ। ସେ ହୃଦୟଙ୍ଗମ କଲେ ଯେ ସେମାନେ ପକ୍ଷୀ ନୁହନ୍ତି, ବରଂ ଲାଲ୍ ରଙ୍ଗ ପୋଷାକରେ ଭିକ୍ଷୁମାନେ ଆକାଶକୁ ଉଠୁଥିଲେ। ଏହି ଭିକ୍ଷୁମାନଙ୍କ ମଧ୍ୟରୁ ଜଣେ ଇନ୍ଦ୍ରଭୂତିଙ୍କ ଜିଜ୍ଞାସା ପୂରଣ କରିବା ପାଇଁ ଏକ ପୁସ୍ତକ ସହ ଖଣ୍ଡା, ଘଣ୍ଟି, ପଦ୍ମ ଏବଂ ଚକ୍ର ପକାଇଦେଲେ। ଏହି ପୁସ୍ତକରେ ବିଭିନ୍ନ ବିଚାରଧାରା, ମନ୍ତ୍ର ଓ ନିର୍ଦ୍ଦେଶସବୁ ରହିଥିଲା, ଯାହାକୁ ଇନ୍ଦ୍ରଭୂତି ବୁଝିପାରି ନ ଥିଲେ। ତେଣୁ ସେ କୁକୁରମାନଙ୍କ ରାଜା କୁକୁରାଜଙ୍କ ସାହାଯ୍ୟ ଲୋଡ଼ିଥିଲେ, ଯିଏ ଭୈରବ ନାମରେ ଜଣାଶୁଣା। କେବଳ ଇନ୍ଦ୍ରଭୂତିଙ୍କ ଭଉଣୀ ଲକ୍ଷ୍ମଙ୍କରା ତାଙ୍କ ପାଖରେ ଥିଲାବେଳେ ସେ ଏହି ରହସ୍ୟ ପ୍ରକାଶ କରିବେ ବୋଲି କହିଥିଲେ। କୁକୁରମାନେ ବାସ୍ତବରେ କୁକୁର ନ ଥିଲେ। ସେମାନେ ଥିଲେ ଡାକିନୀ, ସ୍ବରୂପ ବଦଳାଉଥିବା ମହିଳା ତାନ୍ତ୍ରିକ ଗୁରୁ। ଏହି ଘଟଣା ୧୨୦୦ ବର୍ଷ ପୂର୍ବେ ଓଡ୍ଡିୟାନାରେ ଘଟିଥିଲା। ପାଶ୍ଚାତ୍ୟ ପଣ୍ଡିତମାନେ ଯୁକ୍ତି କରନ୍ତି ଯେ, ଏହି ଓଡ୍ଡିୟାନା ପାକିସ୍ତାନର ସ୍ବାତ୍ ଉପତ୍ୟକାରେ ଅଛି। କିନ୍ତୁ ସେହି ସମୟର ଚାଇନା ପରିବ୍ରାଜକଙ୍କ ଅନୁଯାୟୀ, ସ୍ବାତ୍ ଉପତ୍ୟକାର ଅଧିକାଂଶ ଭାଗ ହୁନ ଆକ୍ରମଣକାରୀଙ୍କ ଦ୍ୱାରା ଧ୍ୱଂସ ହୋଇଯାଇଥିଲା। ବୌଦ୍ଧ ଧର୍ମାବଲମ୍ବୀମାନେ କଶ୍ମୀର ଉପତ୍ୟକାକୁ ଚାଲିଯାଇଥିଲେ, କିନ୍ତୁ ତାହା ହିନ୍ଦୁତନ୍ତ୍ରର ଗଡ଼ ଥିଲା। ବର୍ତ୍ତମାନ ପଣ୍ଡିତମାନେ ନିଶ୍ଚିତ ଯେ, ଓଡ୍ଡିୟାନା ହେଉଛି ଓଡ଼ିଶା। ତାନ୍ତ୍ରିକ କାହାଣୀ ଅନୁଯାୟୀ, ଓଡ୍ଡିୟାନାର ଦୁଇଟି ରାଜ୍ୟ ଥିଲା: ସମ୍ବଲ ଏବଂ ଲଙ୍କାପୁରୀ। ପୂର୍ବଟି ଥିଲା ଇନ୍ଦ୍ରଭୂତିଙ୍କ ବୌଦ୍ଧ ରାଜ୍ୟ। ଏକଦା ରାକ୍ଷସ ରାଜା ରାବଣଙ୍କ ଘର ଥିବା ଲଙ୍କାପୁରୀ (ମହାଯାନ ବୌଦ୍ଧଧର୍ମ ପୁସ୍ତକ ଲଙ୍କାବତାର-ସୂତ୍ରରେ ବୌଦ୍ଧଧର୍ମୀ ବୋଲି ଉଲ୍ଲେଖ ଥିବା ଦେଖାଯାଏ) ଜଣେ ହିନ୍ଦୁ ରାଜାଙ୍କ ଦ୍ୱାରା ଶାସିତ ହୋଇଥିଲା।
ଯୁଦ୍ଧ ସମାପ୍ତ କରିବାକୁ ରାଜା ଜଳନ୍ଧର ଏବଂ ଇନ୍ଦ୍ରଭୂତିଙ୍କ ଭଉଣୀ ଲକ୍ଷ୍ମୀଙ୍କରାଙ୍କ ମଧ୍ୟରେ ବିବାହ ସ୍ଥିର ହୋଇଥିଲା। ସେ କିନ୍ତୁ ଜଣେ ହିନ୍ଦୁରାଜାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ବିବାହ ନ କରି ଏକ ଶ୍ମଶାନରେ ରହିଲେ ଓ ତାଙ୍କ ଭାଇଙ୍କ ପରି ସେ ମହାସିଦ୍ଧ ପାଲଟିଗଲେ। ଜଳନ୍ଧର ତାଙ୍କ ଶିଷ୍ୟ ହେବାକୁ ଚାହୁଁଥିଲେ, କିନ୍ତୁ ସେ ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ଯଦି ସେ ପ୍ରକୃତରେ ଏଥିପାଇଁ ଅଧିକ ଆଗ୍ରହୀ, ତେବେ ତାଙ୍କ ମହଲର ଶୌଚାଳୟ ସଫା କରୁଥିବା ତଥା ବିଖ୍ୟାତ ତାନ୍ତ୍ରିକ ଗୁରୁଙ୍କଠାରୁ ଶିକ୍ଷା କରନ୍ତୁ। ଏବେ ସେହି ସମ୍ବଲ ସମ୍ବଲପୁର ଭାବରେ ଜଣାଶୁଣା। ଲଙ୍କାପୁରୀ ସୋନପୁର (ସୁବର୍ଣ୍ଣ ସହର) ଭାବରେ ଜଣାଶୁଣା, ଯେଉଁଠାରେ ଲଙ୍କେଶ୍ୱରୀ ଦେବୀଙ୍କୁ ପୂଜା କରାଯାଏ। ହିନ୍ଦୁ ଏବଂ ବୌଦ୍ଧ ଇତିହାସରେ ଓଡ଼ିଶାକୁ ପ୍ରକୃତ ଲଙ୍କା (ଲଙ୍କାପୁରୀ)ଏବଂ ସମ୍ବଲ ଭାବେ ଏଯାବତ ସ୍ଥାନ ଦିଆଯାଇ ନାହିଁ। ଏହା ସହ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ଲଙ୍କାକୁ ଦକ୍ଷିଣର ଏବଂ ସମ୍ବଲକୁ ତିବ୍ବତ, ଭୁଟାନ୍ ଏପରିକି ପାକିସ୍ତାନର ବୋଲି ଦର୍ଶାଇବାକୁ ପସନ୍ଦ କରନ୍ତି। ହିନ୍ଦୁ ତୀର୍ଥଯାତ୍ରୀଙ୍କ ଆଗମନ ବଢ଼ାଇବାକୁ ଶ୍ରୀଲଙ୍କାର ପର୍ଯ୍ୟଟନ ମନ୍ତ୍ରଣାଳୟ ଲଙ୍କାକୁ ରାବଣ ଦ୍ୱୀପ ଭାବରେ ଦର୍ଶାଏ। ଅନ୍ୟପକ୍ଷରେ ହିନ୍ଦୁଧର୍ମର ପ୍ରସାରକୁ ବଢ଼ାଇବା ପାଇଁ ଏହି ପଦକ୍ଷେପକୁ ଭାରତ ସରକାର ମଧ୍ୟ ସମର୍ଥନ କରୁଛନ୍ତି। କିନ୍ତୁ ବିଦ୍ୱାନ୍ମାନେ ବହୁ ପୂର୍ବରୁ ଯୁକ୍ତି କରିଆସିଛନ୍ତି ଯେ, ଶ୍ରୀଲଙ୍କା ସହିତ ରାବଣର ସମ୍ପର୍କ କେବଳ ଦଶମ ଶତାବ୍ଦୀରେ ଅର୍ଥାତ୍ ଚୋଳ ବିଜୟ ଏବଂ ତାମିଲ ରାମାୟଣ ରଚନା ସମୟରେ ଆରମ୍ଭ ହୋଇଥିଲା।
ଶ୍ରୀଲଙ୍କାରେ ମିଳୁଥିବା ସୁନା ଓଡ଼ିଶାରେ ମଧ୍ୟ ମିଳିଥାଏ। ଓଡ଼ିଶାରେ ସୁବର୍ଣ୍ଣପୁର (ଯାହା ଏବେ ସୋନପୁର)ରୁ ବାହାରିଥିବା ସୁବର୍ଣ୍ଣରେଖା (ସୁବର୍ଣ୍ଣ-ଧାରା) ନଦୀଶଯ୍ୟାରୁ ଏହା ମିଳୁଥିଲା। କିନ୍ତୁ ଲଙ୍କାପୁରୀ (ସୋନପୁର)ରେ ବଢ଼ୁଥିବା ଶାଳଗଛ ଶ୍ରୀଲଙ୍କାରେ ନାହିଁ। ସେଗୁଡ଼ିକ ଓଡ଼ିଶାରେ ଦେଖିବାକୁ ମିଳେ। ଲଙ୍କାର ମୂଳ ନାମ ଥିଲା ‘ଶାଳନ-କଟଙ୍କଟା’ ଅର୍ଥାତ୍ ଶାଳ ଜଙ୍ଗଲର ଶାସକ। ଏହା ବ୍ୟତୀତ ବାଲ୍ମୀକି ରାମାୟଣର ଭୌଗୋଳକ କ୍ଷେତ୍ର ଦକ୍ଷିଣରେ ଗୋଦାବରୀଯାଏ ସୀମିତ ଥିଲା ଏବଂ କେନ୍ଦ୍ରୀୟ ଭାରତର ଅନେକ ଆଦିବାସୀ ସମ୍ପ୍ରଦାୟର ମତ ଯେ, ସେମାନେ ରାବଣଙ୍କ ପୂର୍ବଜ ପୁଲସ୍ତ୍ୟଙ୍କ ବଂଶଧର।
ବୌଦ୍ଧ ଧର୍ମ ସହିତ ଓଡ଼ିଶାର ଗଭୀର ସମ୍ପର୍କ ରହିଛି। କିନ୍ତୁ ଏହାକୁ ଭାରତୀୟ ଐତିହାସିକମାନେ ବିଶେଷକରି ଏବକାର ରାଜନୈତିକ କ୍ଷମତାଶାଳୀ ହିନ୍ଦୁତ୍ୱବାଦୀ ଐତିହାସିକ ଗୋଷ୍ଠୀ ମଧ୍ୟ ଅଣଦେଖା କରିଛନ୍ତି। ଏହା ନିର୍ବାଣପ୍ରାପ୍ତିର ବୌଦ୍ଧ ଧର୍ମ ନୁହେଁ। ଏହା ଥିଲା ଦୈନନ୍ଦିନ ସମସ୍ୟା ସମାଧାନର ତଥା ଭାଗ୍ୟ, ସମୃଦ୍ଧ ଓ ବିଚାରଧାରାର ବୌଦ୍ଧ ଧର୍ମ, ଯାହା ସ୍ଥାନୀୟ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ଅଧିକ ଆକର୍ଷିତ କରିଥିଲା। ବୁଦ୍ଧଙ୍କୁ ଖାଇବାକୁ ଦେଇଥିବା ପ୍ରଥମ ବ୍ୟବସାୟୀମାନେ ଉତ୍କଳ (ଓଡ଼ିଶାର ଅନ୍ୟ ଏକ ପୁରୁଣା ନାମ)ରୁ ଆସିଥିଲେ। ସେମାନେ କିଭଳି ଖ୍ୟାତି ଓ ଧନ ଅର୍ଜନ କରିବେ, ସେଥିପାଇଁ ବୁଦ୍ଧ ସେମାନଙ୍କୁ ସ୍ତୂପ ନିର୍ମାଣ କରିବାକୁ ଶିଖାଇଥିଲେ। ଫଳରେ ସେମାନଙ୍କୁ ଭିକ୍ଷୁ ହେବାକୁ ପଡ଼ୁ ନ ଥିଲା। ଓଡ଼ିଶାର ବନ୍ଦର ଓ ଲୁହାଖଣି ପାଇବା ପାଇଁ ଅଶୋକ ଲଢ଼ିଥିବା କଳିଙ୍ଗ (ଓଡ଼ିଶାର ଆଉ ଏକ ନାମ) ଯୁଦ୍ଧ ପରେ ଓଡ଼ିଶାରେ ବୌଦ୍ଧଧର୍ମ ଆଡ଼କୁ ମୁହଁାଇଥିଲେ। ମହାଯାନ ବୌଦ୍ଧ ପଣ୍ଡିତ ନାଗାର୍ଗୁଜା ଆଧୁନିକ ଓଡ଼ିଶା ଏବଂ ଛତିଶଗଡ଼ ସୀମାରେ ଥିବା ଦକ୍ଷିଣ କୋଶଳରେ ଜନ୍ମଗ୍ରହଣ କରିଥିଲେ। ଏହାର ରାଜଧାନୀ ସିର୍ପୁର ଏକ ପ୍ରମୁଖ ବୌଦ୍ଧସ୍ଥଳ। ପରେ ସେ ଓଡ଼ିଶାର ଦକ୍ଷିଣରେ ଥିବା କୃଷ୍ଣାନଦୀ ଅବବାହିକାକୁ ଚାଲିଗଲେ, ଯେଉଁଠାରେ ଅମରାବତୀ ଏବଂ ନାଗାର୍ଜୁନାକୋଣ୍ଡା ଭଳି ବୌଦ୍ଧ ସ୍ଥଳ ରହିଛି।
ଆଦି ଶଙ୍କରାଚାର୍ଯ୍ୟ ୭ମ ଶତାବ୍ଦୀରେ ଓଡ଼ିଶା ଆସିଥିଲେ ଓ ବୌଦ୍ଧଧର୍ମ ଉପରେ ବିତର୍କ କରିଥିଲେ। ସେ ଶୂନ୍ୟରୂପ ଆଦି ବୁଦ୍ଧଙ୍କ ପୁରୁଷୋତ୍ତମଙ୍କ ପରିଚୟକୁ ଜଗନ୍ନାଥଙ୍କୁ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାରେ ୧୦୦ରୁ ଅଧିକ ବୌଦ୍ଧସ୍ଥଳ, ଯେପରିକି ବିହାର (ବିହାରର ନାଳନ୍ଦା ପରି), ଚୈତ୍ୟ, ସ୍ତୂପ ଅଛି ଏବଂ ପୁରାତନ ସ୍ଥଳୀରେ କ୍ଷୁଦ୍ର ସ୍ତୂପଗୁଡ଼ିକ ଏକ ବୃତ୍ତାକାର ବା ମଣ୍ଡଳ ଭାବେ ସ୍ତୂପ ନିର୍ମାଣ କରାଯାଇଥିଲା। ଏହି ମଣ୍ଡଳ ଓଡ଼ିଶାରୁ ଜାଭା, ଇଣ୍ଡୋନେସିଆକୁ ପ୍ରସାରିତ ହୋଇଥିଲା, ଯେଉଁଠାରେ ଅଷ୍ଟମ ଶତାବ୍ଦୀରେ ବୃତ୍ତାକାର ତାନ୍ତ୍ରିକ ବୋରବୋଦୁର ଢାଞ୍ଚା ନିର୍ମିତ ହୋଇଥିଲା। ଓଡ଼ିଶାର ରତ୍ନଗିରି ବିହାରରେ ତାରା ମୂର୍ତ୍ତି ରହିଛି। ଏହା ଚାରିପାଖରେ ୮ଜଣ ପ୍ରତିଷ୍ଠିତ ପରିବ୍ରାଜକ ଓ ବଣିକ ରହିଛନ୍ତି। ୮ମ ଶତାବ୍ଦୀର ଏହାର ପୁରୁଷ ମୂର୍ତ୍ତି ମହାରାଷ୍ଟ୍ରରେ ଦେଖିବାକୁ ମିଳେ। ଲଳିତଗିରି, ଉଦୟଗିରି ଏବଂ ଲାଙ୍ଗଡ୍ ପରି ସ୍ଥାନମାନଙ୍କରେ ବୋଧିସତ୍ତ୍ୱ ଏବଂ ଯୋଗିନୀ ଓ ତାରାଙ୍କର ଅନେକ ଶହ ଶହ ମୂର୍ତ୍ତି ଅଛି । ସେସବୁ ବାସ୍ତବେରେ ଶାକ୍ୟମୁନି ବୁଦ୍ଧଙ୍କ କାହାଣୀ କୁହନ୍ତି। ଏହା ଏହି ମୂର୍ତ୍ତିଗୁଡ଼ିକ ହେଉଛନ୍ତି ଜ୍ୱଳନ୍ତ ଖଣ୍ଡାଧାରୀ ମଞ୍ଜୁଶ୍ରୀ, ମହାଯାନ ବୌଦ୍ଧ ଧର୍ମର ଅବଲାକିତେଶ୍ୱର ପଦ୍ମପାଣି ଏବଂ ବଜ୍ରଯାନ ବୌଦ୍ଧଧର୍ମର ବଜ୍ରପାଣି ହେରୁକା। ଏହା ବ୍ୟତୀତ ଦଶମ ଶତାବ୍ଦୀରୁ ଆରମ୍ଭ ହୋଇଥିବା ସମସ୍ତ ତାନ୍ତ୍ରିକ ପରମ୍ପରାର କେନ୍ଦ୍ର ୬୪ ଯୋଗିନୀଙ୍କ ଦୁଇଟି ବୃତ୍ତାକାର ମନ୍ଦିର ଓଡ଼ିଶାର ଭୁବନେଶ୍ୱର ଏବଂ ବଲାଙ୍ଗୀରରେ ଦେଖିବାକୁ ମିଳେ। ସପ୍ତଦଶ ଶତାବ୍ଦୀର ବୌଦ୍ଧ ଐତିହାସିକ ତାରାନାଥଙ୍କ ଅନୁଯାୟୀ ମୁସଲମାନ ସେନାପତି ଭକ୍ତୟାର ଖିଲଜି ନାଳନ୍ଦା ଆକ୍ରମଣ କରିବାର ତିନି ଶତାବ୍ଦୀ ପରେ ଗଜପତି ରାଜାମାନେ ୧୫-୧୬ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ବୌଦ୍ଧ ବିହାରକୁ ସମର୍ଥନ କରିଥିଲେ। ତ୍ରୟୋଦଶ ଶତାବ୍ଦୀ ପରେ ଜଗନ୍ନାଥ ମନ୍ଦିର ସଂସ୍କୃତିର ଉତ୍ଥାନ ଘଟିଥିଲା ଏବଂ ମୁସଲମାନ ନାବିକମାନଙ୍କ ହାତକୁ ଉପକୂଳ ଭିତ୍ତିକ ବ୍ୟବସାୟିକ ନେଟ୍ୱର୍କ ଚାଲିଯାଇଥିଲା। ବୌଦ୍ଧଧର୍ମ ଧୀରେ ଧୀରେ ଦୁର୍ବଳ ହୋଇ ଶେଷରେ ଅପସରି ଯାଇଥିଲା। କିନ୍ତୁ ଇନ୍ଦ୍ରଭୂତିଙ୍କ ପାଳିତ ପୁତ୍ର ପଦ୍ମସମ୍ଭବ ଓଡ଼ିଶାରୁ ଉତ୍ତରକୁ ନେପାଳ ଦେଇ ତିବ୍ବତରେ ପହଞ୍ଚତ୍ଥିଲେ ଏବଂ ବୌଦ୍ଧଧର୍ମର ତାନ୍ତ୍ରିକ ଶିକ୍ଷାକେନ୍ଦ୍ର ଆରମ୍ଭ କରିଥିଲେ, ଯାହାସବୁ ସ୍ଥାନୀୟ ଆଦିବାସୀ ଦେବଦେବୀଙ୍କ ପ୍ରଭାବ ହ୍ରାସ କରି ବୁଦ୍ଧଙ୍କ ଶିକ୍ଷାର ରକ୍ଷକ ସାଜିିଥିଲେ।
-devduttofficial@gmail.com