Categories: ଖେଳ

ଇନ୍ଦ୍ରଜିତଙ୍କ ଶତକରେ ଦକ୍ଷିଣାଞ୍ଚଳ ଆଗୁଆ

କୋଏମ୍ବାଟୁର,୨୩ା୯(ପି.ଟି.):ବାବା ଇନ୍ଦ୍ରଜିତଙ୍କ ଶତକ ଓ କ୍ରିଷ୍ଣାପ୍ପ ଗୋଥାମଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ପଶ୍ଚିମାଞ୍ଚଳ ବିପକ୍ଷ ଫାଇନାଲରେ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ ଆଗୁଆ ରହିଛି। ପଶ୍ଚିମାଞ୍ଚଳ ହିତ୍‌ ପଟେଲଙ୍କ ୯୮ ରନ୍‌ ବଳରେ ୨୭୦ ରନରେ ଅଲଆଉଟ ହୋଇଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣାଞ୍ଚଳ ୭ ଉଇକେଟ ହରାଇ ୩୧୮ ରନ୍‌ କରିବା ସହିତ ୪୮ ରନରେ ଆଗୁଆ ରହିଛି। ତାମିଲନାଡୁର ବାବା ଇନ୍ଦ୍ରଜିତ ୧୨୫ ବଲରୁ ୧୪ ଚୌକା ସହିତ ୧୧୮ ରନର ଇନିଂସ ଖେଳିଛନ୍ତି। ଏହି ଶତକ ସହିତ ଇନ୍ଦ୍ରଜିତ ନିଜର ୧୩ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି।
ପ୍ରଥମ ଦିନର ଅସମାପ୍ତ ସ୍କୋର ୨୫୦/୮ରୁ ଖେଳ ଆରମ୍ଭ କରି ପଶ୍ଚିମାଞ୍ଚଳ ଆଉ ୨୦ ରନ୍‌ ଯୋଡି ଅବଶିଷ୍ଟ ଉଇକେଟ ହରାଇଥିଲା। ହିତ୍‌ ପଟେଲ ୯୮ ରନ କରି ଆଉଟ ହୋଇଥିବା ବେଳେ ଜୟଦେବ ଉନାଡକଟ ୪୭ ରନରେ ଅପରାଜିତ ରହିଥିଲେ। ଆର ସାଇ କିଶୋର ୫ ଉଇକେଟ ଅକ୍ତିଆର କରି ସଫଳତମ ବୋଲର ରହିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ୫ ଉଇକେଟ ସଫଳତା। ବସିଲ ଥମ୍ପି ଓ ଚେରାପଲ୍ଲୀ ଷ୍ଟିଫେନ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅପେକ୍ଷାକୃତ ଶକ୍ତିଶାଳୀ ପଶ୍ଚିମାଞ୍ଚଳ ବୋଲିଂ ଲାଇନଅପ୍‌ ବିପକ୍ଷରେ ମାତ୍ର ୪୦ ରନରେ ଦୁଇ ଓପନରଙ୍କୁ ହରାଇଥିଲା ଦକ୍ଷିଣାଞ୍ଚଳ। ଅଧିନାୟକ ହନୁମା ବିହାରୀ(୨୫) ଓ ବାବା ଇନ୍ଦ୍ରଜିତ୍‌(୧୧୮) ତୃତୀୟ ଉଇକେଟରେ ୬୧ ରନ ଯୋଡିଥିଲେ। ବିହାରୀ ଆଉଟ ହେବା ପରେ ମନୀଷ ପାଣ୍ଡେ ଓ ଇନ୍ଦ୍ରଜିତଙ୍କ ମଧ୍ୟରେ ୧୦୫ ରନର ଭାଗୀଦାରି ହୋଇଥିଲା। ପାଣ୍ଡେ ୬୯ ବଲ ଖେଳି ୪ ଚୌକା ଓ ୨ ଛକା ସହିତ ୪୮ ରନ୍‌ କରିଥିଲେ। ଦଳୀୟ ସ୍କୋର ୨୪୩ ଥିବା ବେଳେ ଷଷ୍ଠ ବ୍ୟାଟର ଭାବରେ ଇନ୍ଦ୍ରଜିତ ପ୍ୟାଭିଲିୟନ ଫେରିଥିଲେ। ଇନ୍ଦ୍ରଜିତ ଆଉଟ ହେବା ପରେ ପଶ୍ଚିମାଞ୍ଚଳ ଅଗ୍ରଣୀ ନେବାର ସାମାନ୍ୟ ରାସ୍ତା ଦେଖା ଦେଇଥିଲା। ତେବେ ନିମ୍ନ ମଧ୍ୟକ୍ରମ ବ୍ୟାଟରଙ୍କୁ ସାଥି କରି କ୍ରିଷ୍ଣାପ୍ପା ଗୋଥାମ ଧୈର୍ଯ୍ୟପୂର୍ଣ୍ଣ ୪୩ ରନ କରିବାରୁ ୪୮ ରନର ଅଗ୍ରଣୀ ହାସଲ କରିଥିଲା ଦକ୍ଷିଣାଞ୍ଚଳ। ରବି ତେଜା(୨୬)ଙ୍କ ସହିତ ୬୨ ରନ ଯୋଡି ଅତୀତ ସେଠଙ୍କ ବଲରେ ଆଉଟ ହୋଇଥିଲେ ଗୋଥାମ। ଜୟଦେବ ଉନାଡକଟ ଓ ଅତୀତ ସେଠ୍‌ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଦକ୍ଷିଣାଞ୍ଚଳର ଦୁଇ ସ୍ପିନର ଆର. ସାଇ କିଶୋର ଓ କ୍ରିଷ୍ଣାପ୍ପା ଗୋଥାମ ପଶ୍ଚିମାଞ୍ଚଳର ରନରେଟ ଉପରେ ଅଙ୍କୁଶ ଲଗାଇଥିବା ବେଳେ ଦୁଇ ମୁମ୍ବାଇ ସ୍ପିନର ସାମ୍ସ ମୁଲାନି ଓ ତନୁଶ କୋଟିଆନ୍‌ ମିଳିତ ଭାବରେ ୧୮୩ ରନ ବ୍ୟୟ କରି ଗୋଟିଏ ଉଇକେଟ ନେବାରେ ସମର୍ଥ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୭୦/୧୦(ହିତ୍‌ ପଟେଲ୍‌-୯୮, ଜୟଦେବ ଉନାଡକଟ-୪୭*, ଆର ସାଇ କିଶୋର-୫/୯୮, ବାସିଲ ଥମ୍ପି-୨/୪୨)।ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ: ୩୧୮/୭( ବାବା ଇନ୍ଦ୍ରଜିତ-୧୧୮, ମନୀଷ ପାଣ୍ଡେ-୪୮, ଅତୀତ ସେଠ୍‌-୩/୫୧, ଜୟଦେବ ଉନାଡକଟ-୩/୫୨)।

Share