Categories: ଜାତୀୟ

ଶୀନା ବୋରା ଜୀବିତ ଦାବି କଲେ ଇନ୍ଦ୍ରାଣୀ

ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶୀନା ବୋରା ମର୍ଡର ମିଷ୍ଟ୍ରିରେ ଏକ ରୋମାଞ୍ଚକର ମୋଡ଼ ଆସିଛି। ୨୦୧୨ ଏହି ଘଟଣାରେ ଚାଞ୍ଚଲ୍ୟକର କଥା କହିଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଶୀନାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ। ୨୦୧୫ରୁ ଜେଲରେ ବନ୍ଦୀ ଥିବା ପୂର୍ବତନ ମିଡିଆ ଏକ୍‌ଜିକ୍ୟୁଟିଭ୍‌ ଇନ୍ଦ୍ରାଣୀ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଶୀନା ଜୀବିତ ଥିବା ଏବଂ ଏବେ କଶ୍ମୀରରେ ରହିଥିବା ଇନ୍ଦ୍ରାଣୀ ଦାବି କରି ତାଙ୍କୁ ଖୋଜିବାକୁ ଅନୁରୋଧ କରିଛନ୍ତି। ଜେଲରେ ଥିବା ଅନ୍ୟଜଣେ ମହିଳା ଶୀନା ବୋରାଙ୍କୁ କଶ୍ମୀରରେ ଦେଖିଥିବା ଇନ୍ଦ୍ରାଣୀଙ୍କୁ କହିଥିବା ଜଣାପଡ଼ିଛି। ମୁମ୍ବାଇର ବାୟକୁଲା ଜେଲରୁ ଇନ୍ଦ୍ରାଣୀ ସିବିଆଇକୁ ଏହି ଚିଠି ପଠାଇଥିବା ତାଙ୍କ ଓକିଲ ସାନା ରନିଜ୍‌ ଖାନ୍‌ ସ୍ପଷ୍ଟ କରିଛନ୍ତି।

ସିବିଆଇ ଅଧିକାରୀମାନେ ଏହି ବିବାଦୀୟ ଚିଠି ଉପରେ କୌଣସି ପ୍ରତିକ୍ରିୟା ରଖିବାରୁ ଦୂରରେ ରହିଛନ୍ତି। ଫରେନ୍ସିକ ରିପୋର୍ଟରେ ଜବତ କଙ୍କାଳ ଶୀନା ବୋରାଙ୍କର ଥିଲା ବୋଲି ପୂର୍ବରୁ ସ୍ପଷ୍ଟ ହୋଇସାରିଛି। ଏମ୍ସର ଫରେନ୍ସିକ ଡିପାର୍ଟମେଣ୍ଟ ସେହି କଙ୍କାଳ ଶୀନାଙ୍କର ବୋଲି ମେଡିକାଲ ରିପୋର୍ଟରେ ଦର୍ଶାଇଥିବା ସିବିଆଇ ପୂର୍ବରୁ ଏହାର ଚାର୍ଜଶିଟ୍‌ରେ ଉଲ୍ଲେଖ କରିଥିଲା। ୨୪ ବର୍ଷୀୟା ଶୀନାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ବିଶେଷଜ୍ଞ ଟିମ୍‌ ମଧ୍ୟ ସ୍ପଷ୍ଟ କରିଥିଲେ। ଏ ସବୁ ପରେ ଶୀନାଙ୍କୁ ହତ୍ୟା କରାଯାଇଥିବା ସିବିଆଇ ନିଷ୍କର୍ସରେ ପହଞ୍ଚିଥିଲା। ତେଣୁ ଇନ୍ଦ୍ରାଣୀଙ୍କ ସଦ୍ୟ ଦାବି ଉପରେ ପୋଲିସ କିପରି ତଦନ୍ତ କରିବ ତାହା ଉପରେ ସଭିଙ୍କ ନଜର ରହିଛି।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ମୁତାବକ, ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ପୂର୍ବ ସ୍ବାମୀ ସଞ୍ଜୀବ ଖାନ୍ନାଙ୍କ ଝିଅ ଶୀନା ବୋରାଙ୍କୁ ୨୦୧୨ରେ ହତ୍ୟା କରାଯାଇଥିଲା। ଏଥିରେ ଇନ୍ଦ୍ରାଣୀ, ସଞ୍ଜୀବଙ୍କ ସମେତ ଇନ୍ଦ୍ରାଣୀଙ୍କ ଦ୍ୱିତୀୟ ସ୍ବାମୀ ପିଟର ମୁଖାର୍ଜୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଇନ୍ଦ୍ରାଣୀଙ୍କ ଡ୍ରାଇଭର ଶ୍ୟାମବର ରାଏଙ୍କୁ ମୁମ୍ବାଇ ପୋଲିସ ୨୦୧୫ରେ ଏକ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ପଚରାଉଚରା ବେଳେ ସେ ଶୀନା ବୋରାଙ୍କ ହତ୍ୟାକାଣ୍ଡର ସାକ୍ଷୀ ବୋଲି ବୟାନ ଦେଇଥିଲେ।

Share