ଧୀରେ ଧୀରେ କୋଳ ଭରୁଛି ଇନ୍ଦ୍ରାବତୀ

ଭବାନୀପାଟଣା,୨୩।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଅର୍ଥନୈତିକ ବିକାଶ ପାଇଁ ଇନ୍ଦ୍ରାବତୀର ଜଳ ସେଚନ ଏକ ନିର୍ଭର ଯୋଗ୍ୟ ମାଧ୍ୟମ ପାଲଟିଛି। ହେଲେ ଚଳିତବର୍ଷର ନିଅଣ୍ଟିଆ ବର୍ଷା ଇନ୍ଦ୍ରାବତୀ ପାଇଁ ସର୍ବକାଳୀନ ସର୍ବନିମ୍ନସ୍ତରକୁ ଜଳସ୍ତର ପହଞ୍ଚତ୍ବା ରେକର୍ଡ ସୃଷ୍ଟି କରିଥିଲା। ଚଳିତ ଖରିଫ ଜଳ ସେଚନ ୬୨୯.୬୮ମିଟର ଅର୍ଥାତ ୨୦.୯୨ପ୍ରତିଶତ ଜଳସ୍ତର ଥିବା ବେଳେ ଏକ ଅନିଶ୍ଚିତତା ମଧ୍ୟରେ ୧.୧୫ ଲକ୍ଷ୍ୟ ହେକ୍ଟର ଜମିରେ ଜଳ ସେଚନ ଆରମ୍ଭ କରାଯାଇଥିଲା। ତିନି ମାସରୁ ଊଦ୍ଧର୍‌ବ ସମୟ ଧରି ସୀମିତ ସମ୍ବଳ ମଧ୍ୟରେ ଜଳ ସେଚନ ଅବିରତ ଚାଲିବା ପରେ ଗୁରୁବାର ଜଳସ୍ତର ୫୮ ପ୍ରତିଶତକୁ ଛୁଇଁବା ପରେ ସମସ୍ତଙ୍କ ମୁଁହରେ ନିର୍ଭରତାର ହସ ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ଗୋଦାବରୀ ବେଶିନ ମଧ୍ୟରେ ଅବସ୍ଥିତ ଥିବା ବେଳେ ତାହାରି ପରିଧିର ୨୬୩୦ ବର୍ଗ କିଲୋମିଟର କେଚ୍ଚ ମେଣ୍ଟ ଇଲାକାରୁ ଜଳ ସଂଗୃହିତ ହୋଇ ୧୧୦ ବର୍ଗ କିଲୋମିଟର ବିସ୍ତୁତ ଜଳ ଭଣ୍ଡାର ମଧ୍ୟରେ ଜଳ ସଂଗୃହିତ ହେଉଛି। ଯାହାକି କଳାହାଣ୍ଡି ଜିଲା ପାଇଁ ଦୁଇ ଫସଲି ଚାଷ ଦେଇ ପାଳକ ସାଜି ଥାଏ। ପୁନଶ୍ଚ ଗୋଦାବରୀ ବେଶୀନର ପାଣି ଟନେଲ ମାଧ୍ୟମରେ ମହାନଦୀ ବେସିନର ଅଂଶ ବିଶେଷ ପାଲଟିଯାଏ। ଚଳିତବର୍ଷ ଅନିଶ୍ଚିତତା ମଧ୍ୟରେ ଇନ୍ଦ୍ରାବତୀ ଜଳଭଣ୍ଡାର ଖରିଫ ଜଳ ସେଚନ ଆରମ୍ଭ କରାଯାଇଥିଲା। ବିଭିନ୍ନ ସମୟରେ ଲଘୁଚାପ ଜନିତ ବର୍ଷା ଏବେ ଜଳଭଣ୍ଡାରର ସ୍ଥିତିକୁ ଏକ ନିର୍ଭର ଯୋଗ୍ୟ ସ୍ଥାନରେ ପହଞ୍ଚାଇବା ସହିତ ଜଳସ୍ତର ୬୩୬ ମିଟରକୁ ଛୁଇଁ ପ୍ରାୟ ୫୮ ପ୍ରତିଶତରେ ପହଞ୍ଚତ୍ ଥିବା ଜଣାପଡ଼ିଛି। ଗତ ୩ ଦିନ ମଧ୍ୟରେ ବର୍ଷା ନ ହେବା ସତ୍ତ୍ବେ ମଧ୍ୟ ଚିରସ୍ରୋତା ଇନ୍ଦ୍ରାବତୀ, କପୁର, ମୂରାନ, ଓ ପୋଡ଼ା ଗଡ ସମେତ ଶତାଧିକ ପାହାଡି ଝରଣା ନିଜସ୍ବ ସ୍ରୋତ ରହିଥିବାରୁ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧୮୨.୬୬୧ କ୍ୟୁସେକ୍‌ ଜଳ ପଶୁଥିବା ବେଳେ ୭୮.୭୧ କ୍ୟୁସେକ୍‌ ଜଳ ବର୍ହିଗତ ହେଉଥିବା ଜଣାପଡିଛି। ସେହିପରି ପରବର୍ତ୍ତୀ ୩.୧୨ କ୍ୟୁସେକ୍‌ ଜଳ ବାଷ୍ପ ହୋଇ ଉପରକୁ ଉଠି ଯାଉଥାଏ ବୋଲି ପ୍ରକାଶ। ପରବର୍ତ୍ତୀ ସମୟରେ ଅଧିକ ବର୍ଷା ହେଲେ ଜଳ ପତ୍ତନର ଅଧିକ ସୁଧାର ଆସିବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି। ଗତ ବର୍ଷ ଆଜିର ଦିନରେ ୬୪୦.୩୬ ମିଟର ଅର୍ଥାତ ୮୫.୭୧୭ ପତିଶତ ରହିଥିଲା ବୋଲି ଜଣାପଡିଛି।