ନୂଆଦିଲ୍ଲୀ, ୨ା୪ (ପି.ଟି.)-ଉଜବେକିସ୍ତାନ ଓ ବେଲାରୁଷ ବିପକ୍ଷ ମ୍ୟାଚ ପାଇଁ ଇନ୍ଦୁମତୀ କାଥିରିସାନଙ୍କୁ ଭାରତୀୟ ମହିଳା ଫୁଟ୍ବଲ ଦଳର ଅଧିନାୟିକା ମନୋନୟନ କରାଯାଇଛି। ଭାରତୀୟ ଦଳ ଇତିମଧ୍ୟରେ ବହୁ ମାସ ଧରି ଉଜ୍ବେକିସ୍ତାନରେ ଟ୍ରେନିଂ ନେଇସାରିଛି। ଦଳ ଆୟୋଜକ ଦେଶ ବିପକ୍ଷରେ ଏପ୍ରିଲ ୫ ଏବଂ ବେଲାରୁଷ ବିପକ୍ଷରେ ଏପ୍ରିଲ ୮ରେ ଖେଳିବ। ଏହି ଦୁଇଟିଯାକ ଉଚ୍ଚକୋଟୀର ଦଳ ହୋଇଥିବାରୁ ସେମାନଙ୍କଠାରୁ ଭଲ ଅଭିଜ୍ଞତା ମିଳିବ। ଭାରତ ଇତିମଧ୍ୟରେ ସର୍ବିୟା, ରୁଷିଆ ଓ ୟୁକ୍ରେନ୍ ଭଳି ଦଳ ବିପକ୍ଷରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଭଲ ଖେଳିବା ସହ ବହୁ ଅଭିଜ୍ଞତା ହାସଲ କରିସାରିଛି। ଦଳରେ ବହୁ ସ୍ବଳ୍ପ ବୟସ୍କା, ଦକ୍ଷ ଓ ପରିଶ୍ରମୀ ଖେଳାଳି ରହିଛନ୍ତି। ଆଗାମୀ ଦୁଇଟି ମ୍ୟାଚରେ ମଧ୍ୟ ଆମେ ଭଲ କରିବାକୁ ଚେଷ୍ଟା କରିବୁ ବୋଲି ଇନ୍ଦୁମତୀ କହିଛନ୍ତି। ଦୁଇଟି ମ୍ୟାଚ ପାଇଁ ଅଧିନାୟିକା କରାଯାଇଥିବାରୁ ସେ ନିଜକୁ ଗୌରବାନ୍ବିତ ମନେକରୁଥିବା କହିଛନ୍ତି। ଭାରତ ଏସିଆ କପ୍ ମହିଳା ଫୁଟ୍ବଲ ୨୦୨୨ର ଆୟୋଜକ ହୋଇଛି। ଏଥିପାଇଁ ପ୍ରସ୍ତୁତିର ଅଂଶବିଶେଷ ସ୍ବରୂପ ଏହି ମ୍ୟାଚଗୁଡ଼ିକ ଆୟୋଜନ କରାଯାଇଛି।