Categories: ଜାତୀୟ

ସିନ୍ଧୁ ଜଳ କମିଶନ ବୈଠକ, ଇସଲାମାବାଦ୍‌ ଯିବେ ଭାରତୀୟ ପ୍ରତିନିଧି ଦଳ…

ନୂଆଦିଲ୍ଲୀ,୨୧।୨ : ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ସିନ୍ଧୁ କମିଶନର ବାର୍ଷିକ ବୈଠକ, ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ଇସଲାମାବାଦ୍‌ରେ ଅନୁଷ୍ଠିତ ହେବ। ଏହି ଅବସରରେ ଭାରତୀୟ ପ୍ରତିନିଧି ଦଳ ସେଠାକୁ ଯିବେ। ଏନେଇ ଜଳ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଅଧିକାରୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସ୍ବାକ୍ଷର ହେବା ପରେ ପ୍ରଥମ ଥର ପାଇଁ ତିନିଜଣ ମହିଳା ଅଧିକାରୀ ମଧ୍ୟ ଭାରତୀୟ ପ୍ରତିନିଧି ଦଳ ସହିତ ଇସଲାମାବାଦ୍‌ ଯିବେ।

ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କୁହାଯାଇଛି। ଗତ ବର୍ଷ ପାକିସ୍ତାନର ସିନ୍ଧୁ ଜଳ କମିଶନରଙ୍କ ନେତୃତ୍ୱରେ ଏକ ପାକିସ୍ତାନ ପ୍ରତିନିଧି ଦଳ ବାର୍ଷିକ ବୈଠକ ଯୋଗଦେବା ପାଇଁ ଭାରତ ଆସିଥିଲେ।

ଭାରତୀୟ ସିନ୍ଧୁ ଜଳ କମିଶନର ପ୍ରଦୀପ କୁମାର ସାକ୍‌ସେନା କହିଛନ୍ତି ଯେ ସ୍ଥାୟୀ ସିନ୍ଧୁ ଜଳ କମିଶନ ବାର୍ଷିକ ବୈଠକ ପାକିସ୍ତାନର ଇସଲାମାବାଦରେ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ ପ୍ରତିନିଧି ଦଳରେ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣ, ଜାତୀୟ ଜଳ ବିଦ୍ୟୁତ୍‌ ନିଗମ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ସାମିଲ ହେବେ।

ଭାରତୀୟ ପ୍ରତିନିଧିମାନେ ଅଟାରୀ ସୀମାରୁ ପାକିସ୍ତାନ ଯିବେ। ପାକିସ୍ତାନ ପକ୍ଷରୁ ସିନ୍ଧୁ ଜଳ କମିଶନର ସୟଦ ମହମ୍ମଦ ମେହେର ଅଲି ଶାହା ନେତୃତ୍ୱ ନେବେ। ଭାରତୀୟ ପ୍ରତିନିଧି ଦଳ ଫେବୃଆରୀ ୨୮ରେ ଅଟାରି ସୀମାରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିବେ ଏବଂ ମାର୍ଚ୍ଚ ୪ ରେ ଫେରିବେ। ଅଧିକାରୀ କହିଛନ୍ତି ଯେ ଦୁଇ କମିଶନରଙ୍କ ବୈଠକର ଏଜେଣ୍ଡା ଚୂଡାନ୍ତ ହୋଇଛି।

ଜମ୍ମୁ-କଶ୍ମୀରର ଚେନାବ ବେସିନରେ ପାକାଲ ଦୁଲା ୧,୦୦୦ ମେଗାୱାଟ, ଲୋୟର କାଲନାଇର ୪୮ ମେଗାୱାଟ, କିରୁର ୬୨୪ ମେଗାୱାଟ ଏବଂ ଲଦାଖର କିଛି ଛୋଟ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଉପରେ ପାକିସ୍ତାନର ଆପତ୍ତି ସମ୍ପର୍କରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

୧୯୬୦ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସ୍ବାକ୍ଷରିତ ଆଇଡବ୍ଲୁଟ ଅନ୍ତର୍ଗତ ପୂର୍ବର ସତଲେଜ୍‌, ବ୍ୟାସ ଏବଂ ରାବି ଆଦି ନଦୀର ପ୍ରାୟ ୩.୩ ନିୟୁତ ଏକର-ଫୁଟ- ଏମ୍‌ଏଏଫ ଜଳ ବାର୍ଷିକ ବ୍ୟବହାର ପାଇଁ ଭାରତକୁ ଆବଣ୍ଟିତ ହୋଇଥିଲା। ସିନ୍ଧୁ, ଝେଲମ ଏବଂ ଚେନାବ ଆଦି ପଶ୍ଚିମ ନଦୀଗୁଡ଼ିକର ପ୍ରାୟ ୧୩୫ ଏମ୍‌ଏଏଫ ଜଳ ବାର୍ଷିକ ପାକିସ୍ତାନକୁ ପ୍ରଦାନ କରାଯାଇଥିଲା।

Share