Categories: ଜାତୀୟ

ଭାରତୀୟ ପ୍ରକଳ୍ପରେ ସିନ୍ଧୁ ଜଳ ଚୁକ୍ତି ପାଳନ କରାଯାଉଛି, ପାକିସ୍ତାନକୁ ଭାରତର ଉତ୍ତର…

ନୂଆଦିଲ୍ଲୀ, ୧।୬ : ସ୍ଥାୟୀ ସିନ୍ଧୁ ଆୟୋଗର ଦୁଇ ଦିନିଆ ବୈଠକର ଶେଷ ଦିନରେ ଭାରତ ସ୍ପଷ୍ଟ ଭାବରେ ପାକିସ୍ତାନକୁ କହିଛି ଯେ ଏହାର ପ୍ରକଳ୍ପରେ ସିନ୍ଦୁ ଜଳ ଚୁକ୍ତି ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଉଛି। ଭାରତ ଏହି ସମସ୍ୟାର ଦ୍ୱିପାକ୍ଷିକ ସମାଧାନ ପାଇଁ ପ୍ରତିବଦ୍ଧ।

ଦିଲ୍ଲୀରେ ଅନୁଷ୍ଠିତ ସ୍ଥାୟୀ ସିନ୍ଧୁ ଆୟୋଗର ୧୧୮ ତମ ବୈଠକରେ ପାକିସ୍ତାନର ପରାମର୍ଶ ଉପରେ ଭାରତ ଏଭଳି କହିଛି। ସୂତ୍ରରୁ ପ୍ରକାଶ ଯେ ବନ୍ୟା ସମୟରେ ଅଧିକ ଜଳ ଛାଡିବା ବିଷୟରେ ପୂର୍ବ ସୂଚନା ପାଇଁ ପାକିସ୍ତାନ କହିଥିଲା। ପାକିସ୍ତାନର ଅନୁରୋଧ ଉପରେ ଭାରତ ସ୍ପଷ୍ଟ ସୂଚନା ଦେଇଛି ଯେ ଏଭଳି ସବୁବେଳେ କରାଯାଉଛି। ବନ୍ୟା ଜଳ ଛଡ଼ା ଯିବା ପୂର୍ବରୁ ପୂର୍ବ ସୂଚନା ପ୍ରଦାନ କରାଯାଉଛି।

ଏହି ବୈଠକରେ ନିର୍ଦ୍ଧିଷ୍ଟ ଉପାୟରେ ଜଳ ବଣ୍ଟନ ସହ ଜଡିତ ବିବାଦର ସମାଧାନ ପାଇଁ ଉଭୟ ଦେଶ ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନାରେ ଉଭୟ ପକ୍ଷ ଜଳ ବାଣ୍ଟିବା ନେଇ ବ୍ୟାପକ ଆଲୋଚନା କରିଥିଲେ। ନୂଆଦିଲ୍ଲୀରେ ଆୟୋଗର ଦୁଇ ଦିନିଆ ବୈଠକ ଶେଷ ହେବା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୨୦୨୨ ମାର୍ଚ୍ଚ ୩୧ ଶେଷ ହୋଇଥିବା ବର୍ଷ ପାଇଁ ସ୍ଥାୟୀ ଆୟୋଗର ବାର୍ଷିକ ରିପୋର୍ଟ ଚୂଡ଼ାନ୍ତ ହୋଇଛି ଏବଂ ଆଲୋଚନା ସମୟରେ ଉଭୟ ପକ୍ଷଙ୍କ ଦ୍ୱାରା ଦସ୍ତଖତ କରାଯାଇଛି।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ବୈଠକ ଏକ ଆନ୍ତରିକ ପରିବେଶରେ ଅନୁଷ୍ଠିତ ହୋଇଥିଲା ଏବଂ ସ୍ଥାୟୀ ଆୟୋଗ ଉଭୟ ଦଳର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଆୟୋଗର ପରବର୍ତ୍ତୀ ବୈଠକ ପାକିସ୍ତାନରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ତାରିଖ ଉଭୟ ପକ୍ଷଙ୍କ ସହମତିରେ ସ୍ଥିର ହେବ। ଏହି ଆଲୋଚନାରେ ଭାରତୀୟ ସିନ୍ଧୁ ଜଳ କମିଶନର ଏ.କେ ପାଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଯୋଗଦେଇଥିବାବେଳେ ପାକିସ୍ତାନୀ ଦଳର ନେତୃତ୍ୱ ସୟଦ ମହମ୍ମଦ ମେହେର ଅଲି ଶାହ ନେଇଥିଲେ। ଏହି ଆଲୋଚନାରେ ଭାଗ ନେବାକୁ ପାକିସ୍ତାନର ଏକ ୬ ଜଣିଆ ଦଳ ଭାରତ ଆସିଥିଲେ।

ସୂତ୍ରରୁ ପ୍ରକାଶ ଯେ କଶ୍ମୀରର ପଶ୍ଚିମରେ ପ୍ରବାହିତ ନଦୀଗୁଡ଼ିକ ଉପରେ ଭାରତ ଦ୍ୱାରା ନିର୍ମିତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଉପରେ ପାକିସ୍ତାନୀ ପକ୍ଷ ଆପତ୍ତି ଉଠାଥିଲେ। ଏ ସମ୍ପର୍କରେ ଭାରତର ଜବାବ ଲୋଡାଯାଇଛି। ୧୦୦୦ ମେଗାୱାଟ ପାକାଲ ଢୁଲ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ବହିର୍ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଆଗାମୀ ବର୍ଷା ଋତୁରେ ପାକିସ୍ତାନୀ ଦଳକୁ ପରିଦର୍ଶନ ଏବଂ ତଦାରଖ କରିବାର ସୁଯୋଗ ଦେବାକୁ ଭାରତ ରାଜି ହୋଇଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ନଅ ବର୍ଷର ଆଲୋଚନା ପରେ ୧୯୬୦ରେ ସିନ୍ଧୁ ଜଳ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏଥିରେ କଶ୍ମୀରର ପୂର୍ବରେ ଥିବା ସତଲେଜ, ବ୍ୟାସ ଏବଂ ରାବିରୁ ୩୩ ମିଲିୟନ ଏକର ଫୁଟର ଜଳ ଭାରତକୁ ଏବଂ ପାକିସ୍ତାନକୁ ପଶ୍ଚିମରେ ପ୍ରବାହିତ ସିନ୍ଧୁ, ଝେଲମ୍‌, ଚେନାବ୍‌ ନଦୀର ୧୩୫ ମିଲିୟନ ଏକର ଫୁଟ ଜଳ ପ୍ରଦାନ କରିବାକୁ ସହମତି ପ୍ରକାଶ ପାଇଥିଲା।

Share