ଓଡ଼ିଶାରେ ଶିଳ୍ପ ସଂଯୋଗୀକରଣ

କିଶୋର ସାମଲ

ସତୁରି ଦଶକରେ ଏକ ଭାବଧାରା ଯୁକ୍ତି ଦର୍ଶାଇଥିଲା ଯେ ଭାରତରେ କୃଷିର ବିକାଶରେ ଗ୍ରାମୀଣ ଅଣକୃଷିକ୍ଷେତ୍ର ଓ କ୍ଷୁଦ୍ରଶିଳ୍ପକୁ କଞ୍ଚାମାଲ ଯୋଗାଇ ପ୍ରତ୍ୟକ୍ଷ ଭାବରେ ଏବଂ କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପର ଉତ୍ପାଦିତ ଖାଉଟି ଦ୍ରବ୍ୟର ଚାହିଦାକୁ ବଢ଼ାଇ ପରୋକ୍ଷ ଭାବରେ ଗ୍ରାମୀଣ ଅଣକୃଷିକ୍ଷେତ୍ର ଓ ଶିଳ୍ପ ବିକାଶରେ ସାହାଯ୍ୟ କରିବ।
ଆମ ରାଜ୍ୟରେ ୧୯୭୧-୭୨ରୁ ୧୯୯୦-୯୧ ଅବଧି ମଧ୍ୟରେ ଶିଳ୍ପ ଉତ୍ପାଦନର ୧୦.୮୦ ପ୍ରତିଶତ ବୃଦ୍ଧି ତୁଳନାରେ କୃଷି ଉତ୍ପାଦନର ବୃଦ୍ଧିର ହାର (୩.୧ ପ୍ରତିଶତ) ବହୁତ କମ୍‌ ଥିଲା। କୃଷି ଉତ୍ପାଦନ ଓ ଶିଳ୍ପ ଉତ୍ପାଦନର ପରସ୍ପର ସମ୍ବନ୍ଧଯୁକ୍ତ ସମ୍ପର୍କ ଅତ୍ୟଧିକ ଥିଲେ ମଧ୍ୟ କୃଷି ଉତ୍ପାଦନର ବୃଦ୍ଧି ବହୁତ କମ୍‌ ଥିବାରୁ ଶିଳ୍ପଜାତ ଦ୍ରବ୍ୟର ଚାହିଦା ଉପରେ ବହୁତ କୁପ୍ରଭାବ ପଡ଼ିଥିଲା। ଉଭୟ କୃଷି ଉତ୍ପାଦନ ଓ ଶିଳ୍ପ ଉତ୍ପାଦନର ପରସ୍ପର ସମ୍ବନ୍ଧଯୁକ୍ତ ସମ୍ପର୍କ ୦.୩୮ରୁ ୦.୬୩କୁ ବୃଦ୍ଧି ଏବଂ କୃଷି ଉତ୍ପାଦନ ବୃଦ୍ଧିର ହାର ୨.୭୧ ପ୍ରତିଶତରୁ ୩.୪୯କୁ ବୃଦ୍ଧି ଯୋଗୁ ଶିଳ୍ପାୟନର ବେଗ ୧୯୭୧-୮୧ ଦଶନ୍ଧି ତୁଳନାରେ ୧୯୮୧-୯୧ ଦଶନ୍ଧି ମଧ୍ୟରେ ବହୁ ଅଧିକ ଥିଲା। ତେଣୁ ଶିଳ୍ପ ଉତ୍ପାଦିତ ଦ୍ରବ୍ୟର ଚାହିଦା ଉପରେ ଏକ ସୁପ୍ରଭାବ ପଡ଼ିଥିଲା। ଏହା ରାଜ୍ୟ ସରକାରଙ୍କ ଘୋଷିତ ବିଭିନ୍ନ ଶିଳ୍ପ ନୀତିର ଲକ୍ଷ୍ୟ ଅନୁଯାୟୀ ଗ୍ରାମୀଣ ଶିଳ୍ପ ସହ ଶିଳ୍ପ ବିକାଶ କ୍ଷେତ୍ରରେ ସାହାଯ୍ୟ କରିଥିଲା। ତେଣୁ କୃଷି ଏବଂ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସମ୍ଭାବ୍ୟ ସଂଯୋଗୀକରଣ କରିବାର ଯଥାର୍ଥତା ଆମ ରାଜ୍ୟରେ ଅଛି। କୃଷି ଓ ଶିଳ୍ପର ସଂଯୋଗୀକରଣକୁ ଶକ୍ତିଶାଳୀ କରିବା ପାଇଁ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟକୁ ଉପଯୋଗ କରିବାକୁ କାରଖାନା ପ୍ରତିଷ୍ଠା କରାଯାଇପାରିବ। ଯଥା ଚାଷ ହେଉଥିବା ଆଖୁର ଉପଯୋଗ କରିବାକୁ ବନ୍ଦ ହୋଇଥିବା ସମସ୍ତ ୨୦ଟି ଚିନି କାରଖାନା ଖୋଲିବା ଓ ନୂଆ ଚିନି କାରଖାନା ପ୍ରତିଷ୍ଠା କରିବା, ବନ୍ଦ ହୋଇଥିବା ଝୋଟକଳ ଖୋଲିବା ଓ ନୂଆ ଝୋଟକଳ ପ୍ରତିଷ୍ଠା କରିବା ଅତ୍ୟନ୍ତ ଆବଶ୍ୟକ। ଅବିଭକ୍ତ ବଲାଙ୍ଗୀର, କଳାହାଣ୍ଡି ଓ କୋରାପୁଟ ଜିଲାର କଳା କାର୍ପାସ ମୃତ୍ତିକା କପାଚାଷ ପାଇଁ ଉପଯୁକ୍ତ। ଓଡ଼ିଶାର ସୂତାକଳ ଓ ଲୁଗାକଳ ପାଇଁ କୁଶଳୀ ଓ ଦକ୍ଷ ଶ୍ରମିକ ଅଛନ୍ତି କିନ୍ତୁ ସେମାନେ ସୁରଟ ଓ ଅନ୍ୟ ସହରର ଲୁଗାକଳରେ କାର୍ଯ୍ୟରତ। ତେଣୁ ଓଡ଼ିଶାରେ କପା ଚାଷକୁ ଉତ୍ସାହିତ କରି ତୁଳା ଉତ୍ପାଦନ ହୋଇପାରିବ । ବନ୍ଦ ହୋଇଥିବା ବିଟିଏମ୍‌ ଭଳି ସୂତାକଳ ଓ ଓଟିଏମ୍‌ ଭଳି ଲୁଗାକଳ ଖୋଲାଯାଇପାରିବ ଏବଂ କିଛି ନୂଆ ଲୁଗା ଓ ସୂତାକଳ ପ୍ରତିଷ୍ଠା କରି ଆମ ରାଜ୍ୟର ଦକ୍ଷ ଶ୍ରମିକଙ୍କ ଦ୍ୱାରା ଉତ୍ପାଦନ ଆରମ୍ଭ ହୋଇପାରିବ। ଏହି କ୍ଷେତ୍ରରୁ ଛଟେଇ ହୋଇଥିବା ଶ୍ରମିକମାନେ ପୁନଃନିଯୁକ୍ତି ପାଇପାରିବେ। ସେହିଭଳି ଶାଳମଞ୍ଜିରୁ ତେଲ ଭଳି ଜଙ୍ଗଲଜାତ ଦ୍ରବ୍ୟକୁ ବିନିଯୋଗ କରି ଅନେକ ପ୍ରକାର ଛୋଟ ଛୋଟ କାରଖାନା ଓ ବନ୍ଦ ହୋଇଥିବା ଶୀତଳ ଭଣ୍ଡାରଗୁଡ଼ିକ ଖୋଲାଯାଇପାରିବ।
ଅର୍ଥଶାସ୍ତ୍ରରେ ଗୋଟିଏ ତତ୍ତ୍ୱ ସନ୍ତୁଳିତ ବିକାଶ ସପକ୍ଷରେ ଯୁକ୍ତି କରେ। ଅର୍ଥାତ୍‌ ଏକ ସମୟରେ ନାନା ପ୍ରକାର ଶିଳ୍ପରେ ପୁଞ୍ଜି ନିବେଶ କରି ସମୁଦାୟ ବଜାରକୁ ବୃଦ୍ଧି କରିଲେ ବିକାଶଶୀଳ ଦେଶର ଅର୍ଥ ବ୍ୟବସ୍ଥାର ଶୂନ୍ୟତାକୁ ପୂରଣ କରିବାରେ ସାହାଯ୍ୟ କରିପାରିବ। ଅନ୍ୟ ତତ୍ତ୍ୱଟି ହେଲା ଅସନ୍ତୁଳିତ ବିକାଶ। ବିକାଶଶୀଳ ଦେଶର ଗତିଶୂନ୍ୟ ଅବସ୍ଥାର ମୂଳ ନିଷ୍କ୍ରିୟତାକୁ ହଟେଇବା ପାଇଁ ଗୋଟିଏ ବଡ଼ ଧରଣର ଉଦ୍ୟମ ଦରକାର। ଯଦି କେତୋଟି ମନୋନୀତ ଶିଳ୍ପରେ ଏକ ବଡ଼ ଧରଣର ପୁଞ୍ଜି ନିବେଶ କରି ଉଦ୍ୟମ କରାଯାଏ, ଏହି ଶିଳ୍ପଗୁଡ଼ିକର ବୃଦ୍ଧି ଅନ୍ୟ ଶିଳ୍ପକୁ ଓ କାରଖାନାକୁ ପ୍ରଭାବିତ କରି ଅର୍ଥ ବ୍ୟବସ୍ଥାକୁ ଗତିଶୀଳ, ସକ୍ରିୟ ଓ କର୍ମଚଞ୍ଚଳ କରିଦିଏ। ପଶ୍ଚାତବର୍ତ୍ତୀ ଓ ଅଗ୍ରଗାମୀ ସଂଯୋଗୀକରଣ ଥିବା ଶିଳ୍ପକୁ ମନୋନୀତ କଲେ ସେଗୁଡ଼ିକର ଉତ୍ପାଦିତ ଦ୍ରବ୍ୟକୁ ବିନିଯୋଗ କରି ଏବଂ କଞ୍ଚାମାଲ ଯୋଗାଇବା ପାଇଁ ଅନ୍ୟ ଶିଳ୍ପଗୁଡ଼ିକ ଗଢ଼ିଉଠିବ। ଏହିସବୁ ନୂଆ ପ୍ରତିଷ୍ଠିତ ଶିଳ୍ପଗୁଡ଼ିକରେ କାର୍ଯ୍ୟରତ ଶ୍ରମିକ ଓ ପଦାଧିକାରୀମାନଙ୍କର ଆୟର ଖର୍ଚ୍ଚ ଯୋଗୁ କେତେକ ଅତି କ୍ଷୁଦ୍ର ଓ କ୍ଷୁଦ୍ର ଶିଳ୍ପ, ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଲେ ଅର୍ଥ ବ୍ୟବସ୍ଥା ଦ୍ରୁତଗତିରେ ବଢ଼ିଚାଲିବ।
ଶିଳ୍ପ ଓ କୃଷି ମଧ୍ୟରେ ସଂଯୋଗୀକରଣ ସହ ଗୋଟିଏ ରାଜ୍ୟର ଶିଳ୍ପ ବିକାଶ ପାଇଁ ବୃହତ ଓ ମଧ୍ୟମ ଶିଳ୍ପ ସହିତ କ୍ଷୁଦ୍ର ଶିଳ୍ପ ଓ ଅସଂଗଠିତ କ୍ଷେତ୍ରର କାରଖାନାର ସଂଯୋଗୀକରଣ ଆବଶ୍ୟକ ହେଲେ ମଧ୍ୟ ଅଗ୍ରଗାମୀ ଓ ପଶ୍ଚାତବର୍ତ୍ତୀ ସଂଯୋଗୀକରଣ ଆମ ରାଜ୍ୟରେ ସନ୍ତୋଷଜନକ ନ ଥିଲା। ବହୁ ସର୍ବେକ୍ଷଣରୁ ଜଣାଯାଏ ଯେ ଉଭୟ ସରକାରୀ ଉଦ୍ୟୋଗ ଓ ଘରୋଇ ବୃହତ୍‌ ଶିଳ୍ପର ସଂଯୋଗୀକରଣ ବହୁତ ଦୁର୍ବଳ ଥିଲା। ରାଉରକେଲା ଇସ୍ପାତ କାରଖାନା ତୁଳନାରେ ନାଲ୍‌କୋ (ଅନୁଗୋଳ କ୍ଷେତ୍ର)ର ଅଗ୍ରଗାମୀ ଓ ପଶ୍ଚାତବର୍ତ୍ତୀ ସଂଯୋଗୀକରଣ ବହୁତ କମ୍‌। ଅତୀତରେ ଏକ ସର୍ବେକ୍ଷଣରୁ ଜଣାପଡ଼ିଲା ଯେ ଓଡ଼ିଶାର ନମୁନା ଅତି କ୍ଷୁଦ୍ର ଓ କ୍ଷୁଦ୍ର ଶିଳ୍ପର ସମୁଦାୟ ବିକ୍ରିର ମାତ୍ର ୨ ପ୍ରତିଶତ ନାଲ୍‌କୋକୁ ଯାଉଥିଲା। ଅନ୍ୟ ପକ୍ଷରେ ରାଉରକେଲା ସହରର ନମୁନା ଅସଂଗଠିତ କ୍ଷେତ୍ର ଶିଳ୍ପର ସମୁଦାୟ ବିକ୍ରିର ୪୨ ପ୍ରତିଶତ ଆରଏସ୍‌ପିକୁ ଯାଉଥିଲା। ନାଲ୍‌କୋର ଅଗ୍ରଗାମୀ ସଂଯୋଗୀକରଣ ଓଡ଼ିଶାର ଶିଳ୍ପ ସହ ମଧ୍ୟ ଦୁର୍ବଳ ଥିଲା। ଏହାର କେବଳ ଆଲୁମିନିୟମ ଧାତୁର ସମୁଦାୟ ବିକ୍ରିର ୩.୭୨ ପ୍ରତିଶତ ଓଡ଼ିଶା ବଜାରରେ ବିକ୍ର ହେଉଥିଲା। ଯଦିଓ ରାଉରକେଲା ସହରର କେତେକ ନମୁନା କ୍ଷୁଦ୍ର ଶିଳ୍ପ ତାଙ୍କର ଉତ୍ପାଦିତ ପଦାର୍ଥ ବିକ୍ରି ଦ୍ୱାରା ଓ ସେମାନଙ୍କର କଞ୍ଚାମାଲ କ୍ରୟ ମାଧ୍ୟମରେ ଆର୍‌ଏସ୍‌ପି ସହ ସଂଯୋଗୀକରଣ ଥିଲା। ଏଲ୍‌ଏଣ୍ଡଟି ଓ ଆର୍‌ଏସ୍‌ପି ଭଳି ବୃହତ୍‌ ଶିଳ୍ପ ସେମାନଙ୍କଠାରୁ କେବଳ ଅତିରିକ୍ତ ଯନ୍ତ୍ରପାତି ଓ ବ୍ୟବହାର୍ଯ୍ୟ ଦ୍ରବ୍ୟ କିଣୁଥିଲେ।
ଏହି ସଂଯୋଗୀକରଣର ଉପକାରିତା ଉପଲବ୍ଧି କରି କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ଶିଳ୍ପ ମାଧ୍ୟମରେ ସହାୟକ ଶିଳ୍ପ ବିକାଶ କାର୍ଯ୍ୟକ୍ରମ ୭୦ ଦଶକରେ ଆରମ୍ଭ କରିଥିଲେ। ସେତେବେଳେ ଓଡ଼ିଶାର କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ୧୫୦ଟି ବୃହତ ଓ ମଧ୍ୟମ ଶିଳ୍ପ ଥିଲେ ମଧ୍ୟ ସହାୟକ ଶିଳ୍ପ ବିକାଶ କାର୍ଯ୍ୟକ୍ରମ ସନ୍ତୋଷଜନକ ହୋଇ ନ ଥିଲା। ମାତ୍ର ୧୨୦ଟି ସଂସ୍ଥାକୁ ସହାୟକ ଶିଳ୍ପ ପଦ ଦିଆଯାଇଥିଲା, ତାହା କେବଳ ଆର୍‌ଏସ୍‌ପି, ନାଲ୍‌କୋ, ହାଲ୍‌ ଭଳି ରାଷ୍ଟ୍ରାୟତ୍ତ ଶିଳ୍ପଗୁଡ଼ିକ ଦ୍ୱାରା।
ଓଡ଼ିଶା ଭଳି ଖଣିଜ ପଦାର୍ଥରେ ଭରପୂର ରାଜ୍ୟର ଅର୍ଥନୈତିକ ସୁଯୋଗକୁ କ୍ଷତି କରୁଥିବା କେନ୍ଦ୍ର ସରକାରଙ୍କ ୧୯୫୨ର ମାଲପରିବହନ ସମୀକରଣ ନୀତି ୧୯୯୩ରେ ପ୍ରତ୍ୟାହାର ଓ ରଦ୍ଦ ହେବା ପରେ ରାଜ୍ୟରେ ଶିଳ୍ପର ସାମ୍ଭାବ୍ୟ ଅଗ୍ରଗାମୀ ସଂଯୋଗୀକରଣର ବୃଦ୍ଧି ହେବାର ସୁଯୋଗ ବଢ଼ିଛି। ଆମ ରାଜ୍ୟରେ ପ୍ରତିଷ୍ଠିତ ଇସ୍ପାତ, ଆଲୁମିନା ଓ ଆଲୁମିନିୟମ କାରଖାନାରୁ ଉତ୍ପାଦିତ ଧାତୁରୁ ଅଗ୍ରଗାମୀ ଶିଳ୍ପ ପ୍ରତିଷ୍ଠା ହୋଇ ମୂଲ୍ୟଯୁକ୍ତ ପଦାର୍ଥ ଉତ୍ପାଦନ ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେବା ଓ ବୃହତ୍‌ ଶିଳ୍ପଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ। ଯଥା କାର୍‌, ଭାରିଯାନ, ଦୁଇ/ତିନି ଚକିଆ ଗାଡ଼ି, ସାଇକେଲ, ମୋଟରଗାଡ଼ି ସମ୍ପର୍କିତ ସହାୟକ ଯନ୍ତ୍ରପାତି, ଉଚ୍ଚଗୁଣର ଇସ୍ପାତ, ଘରକରଣା ବସ୍ତୁ, କୃଷି ଯନ୍ତ୍ରପାତି ଓ ସରଞ୍ଜାମ, ଭାରିଯନ୍ତ୍ର କଳକବ୍‌ଜା ଭଳି ମୂଲ୍ୟଯୁକ୍ତ ପଦାର୍ଥ ଲୁହା ଓ ଇସ୍ପାତରୁ ଓଡ଼ିଶାରେ ଉତ୍ପାଦନ କରାଯାଇପାରିବ। ସେହିଭଳି ରାଜ୍ୟରେ ଉତ୍ପାଦିତ ଆଲୁମିନା ଓ ଆଲୁମିନିୟମରୁ ମଧ୍ୟ ପତଳା ପାତ୍ର (ଫଏଲ୍‌), କ୍ରିମ୍‌ କିମ୍ବା ଟୁଥ୍‌ପେଷ୍ଟ ଭଳି ଖାଉଟି ଦ୍ରବ୍ୟ ରଖିବା ପାଇଁ ଭଙ୍ଗପ୍ରବଣ ନଳୀ, ତରଳ ପଦାର୍ଥ ସଂରକ୍ଷଣ ନିମନ୍ତେ ଧାତବ ପାତ୍ର, ବାସନକୁସନ, ଆଧାର ପାତ୍ର (କଣ୍ଟେନର୍‌), ଆଲୁମିନିୟମ ଗୁଣ୍ଡ, ଛାଞ୍ଚ, କୋଠାବାଡ଼ିରେ ବ୍ୟବହାର ହେଉଥିବା ଜିନିଷ, ବିମାନ ଓ ମୋଟର ଗାଡ଼ି ପାଇଁ ସହାୟକ ଯନ୍ତ୍ରପାତି ଆଦି ମୂଲ୍ୟଯୁକ୍ତ ପଦାର୍ଥର ଉତ୍ପାଦନ କାରଖାନା ପ୍ରତିଷ୍ଠା ହୋଇପାରନ୍ତା। ଏହି ସବୁ ମୂଲ୍ୟଯୁକ୍ତ ପଦାର୍ଥ ଆମ ରାଜ୍ୟରେ ଉତ୍ପାଦନ ହେଲେ ଓଡ଼ିଶାରେ ନିଯୁକ୍ତିର ସୁଯୋଗ ବହୁଗୁଣରେ ବୃଦ୍ଧି ହେବ ଏବଂ ତୁଳନାତ୍ମକ ଭାବେ ପ୍ରଦୂଷଣ ଓ ଅନଭିପ୍ରେତ ବିସ୍ଥାପନ ହ୍ରାସ ପାଇବ।
ସାରାଂଶରେ ଅଗ୍ରଗାମୀ ସଂଯୋଗୀକରଣ ସ୍ଥାପନ ହେଲେ ମୂଲ୍ୟଯୁକ୍ତ ଦ୍ରବ୍ୟର କାରଖାନା ପ୍ରତିଷ୍ଠା ହେବ ଏବଂ ବନ୍ଦ ହୋଇଥିବା କଳକାରଖାନା ଖୋଲିଲେ ଉଭୟ ନବନିଯୁକ୍ତ ଶ୍ରମିକ ଓ ଛଟେଇ ହୋଇଥିବା ପୁନଃ ନିଯୁକ୍ତ ଶ୍ରମିକଙ୍କର ଆୟ ବୃଦ୍ଧି ହୋଇ ବଜାରରେ ଖର୍ଚ୍ଚ ହେବ ଓ ଉତ୍ପାଦିତ ପଦାର୍ଥର ଚାହିଦା ବଢ଼ିବ। ପରୋକ୍ଷ ସଂଯୋଗୀକରଣ ଦ୍ୱାରା ମଧ୍ୟ ଅନେକ ନିଯୁକ୍ତି ବଢ଼ିବ। ଏଠରେ ସୂଚାଇ ଦିଆଯାଇପାରେ ଯେ, ନାଲ୍‌କୋ (ଅନୁଗୋଳ କ୍ଷେତ୍ର)ରେ ଯେତେ ନିଯୁକ୍ତି ପାଇଛନ୍ତି, ପ୍ରାୟ ତାହାର ଦୁଇଗୁଣରୁ ଅଧିକ ନାଲ୍‌କୋ ନଗରରେ ଦୋକାନ ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନରେ ନିଯୁକ୍ତି ପାଇଛନ୍ତି। କାରଖାନା ପାଖର ଏହି ଅସଂଗଠିତ କ୍ଷେତ୍ରର ବ୍ୟବସାୟ ପ୍ରତିଷ୍ଠାନ ମୁଖ୍ୟତଃ ନାଲ୍‌କୋର ଶ୍ରମିକ ଓ ପଦାଧିକାରୀଙ୍କର ଖାଉଟି ଚାହିଦାକୁ ମେଣ୍ଟାଇବା ପାଇଁ ଗଢ଼ି ଉଠିଛି ଏବଂ ଏହାକୁ ପରୋକ୍ଷ ସଂଯୋଗୀକରଣ କୁହାଯାଏ ଓ ଏହାଦ୍ୱାରା ମଧ୍ୟ ନିଯୁକ୍ତି ବୃଦ୍ଧି ପାଏ। ଅତଏବ ପ୍ରତ୍ୟକ୍ଷ ଅଗ୍ରଗାମୀ ଓ ପଶ୍ଚାତବର୍ତ୍ତୀ ସଂଯୋଗୀକରଣ ଏବଂ ନିର୍ଗମ ଆୟ ମାଧ୍ୟମରେ ପରୋକ୍ଷ ସଂଯୋଗୀକରଣ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ସ୍ଥାଣୁରୁ ଗତିଶୀଳ ଓ କର୍ମଚଞ୍ଚଳ କରିବ।
ଭୁବନେଶ୍ୱର,ମୋ-୯୪୩୭୦୪୮୪୯୬