ଶିଳ୍ପର ନିଆଁ, ଧୂଆଁ: ଲୁଣା ହେନ୍ତାଳ ଜଙ୍ଗଲ ପ୍ରତି ବିପଦ

ମହାକାଳପଡ଼ା, ୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପରିବେଶ ସୁରକ୍ଷା ପ୍ରତି ବିପଦ ସୃଷ୍ଟିହେବାରେ ଲାଗିଛି। ଏହି ଅଞ୍ଚଳ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପ କାରଖାନାରୁ ନିର୍ଗତ ଶିଳ୍ପର ନିଆଁ, ଧୂଆଁ ଲୁଣା ହେନ୍ତାଳ ଜଙ୍ଗଲ ପ୍ରତି ବିପଦ, ଧୂଳିଯୁକ୍ତ ପରିବେଶ ମହାକାଳପଡ଼ା ବ୍ଲକ ଅଞ୍ଚଳର ବତିଘର, ଖରିନାସୀ, ରାମନଗର, ଜମ୍ବୁ, ବଉଳକଣି, ପେଟଛେଲା, ସୁନିତି, ବରକନ୍ଧା ଆଦି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳର ବାଡ଼ିବଗିଚା, ସ୍ଥାନୀୟ ସଂରକ୍ଷିତ ଲୁଣା ହେନ୍ତାଳ ଜଙ୍ଗଲ ଗଛପତ୍ରଗୁଡ଼ିକରେ ତେଲିଆଯୁକ୍ତ ବହଳିଆ ଆସ୍ତରଣ କଳାରଙ୍ଗର ଦେଖିବାକୁ ମିଳୁଛି। ଫଳରେ ଅଞ୍ଚଳର ବାଡ଼ିବଗିଚାର ଗଛ ଲତାରେ ଫଳ ଫଳିବା ଯଥେଷ୍ଟ ହ୍ରାସ ପାଇଛି ବୋଲି ବିଶୁ ଜାନା, ବିଶ୍ୱେରର ମାଇତିଙ୍କ ସମେତ ଅନେକ ଚାଷୀ କହିଛନ୍ତି। ପୂର୍ବ ଅପେକ୍ଷା ବାଡ଼ିରେ ଆଉ ପନିପରିବା, କାଜୁବାଦାମ ମଞ୍ଜି, ନଡ଼ିଆ, ଆମ୍ବ ଭଳି ଅନ୍ୟ ଫଳ ଫୁଲ ଉତ୍ପାଦନ ହ୍ରାସ ପାଇଛି। ଅପରପକ୍ଷରେ ଏହି ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରେ ହେନ୍ତାଳ ଓ ଲୁଣା ଜାତୀୟ ଚାରା ରୋପଣ କରାଯାଇଛି। ହେଲେ ଅପରପାର୍ଶ୍ୱର ଶିଳ୍ପ କାରଖାନାର ନିଆଁ, ଧୂଆଁ, ଧୂଳି ଯୋଗୁ ଚାରା ଗଛଗୁଡ଼ିକରେ କଳାରଙ୍ଗର ଆସ୍ତରଣ ପଡ଼ି ନଷ୍ଟହେବା ଆଶଙ୍କା ପ୍ରକାଶ ପାଇଛି ବୋଲି ପରିବେଶପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ ଅଭିଯୋଗ କରିଛନ୍ତି। ତେବେ ମହାନଦୀ ଅବବାହିକା ତ୍ରିକୋଣ ଭୂମି ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲଗୁଡ଼ିକ ମଧ୍ୟରେ ହେଟା ମୁଣ୍ଡିଆ, କଂସାର ଡିଆ, ଭିତର ଖରିନାସୀ ସଂରକ୍ଷିତ ଜଙ୍ଗଲ, ବତିଘରର ଯୋଗୀ ଧାନକୁଦ, ସରଳି କୁଦ, ହସିଣା କନ୍ଧା, ସାନ ଟୁବିରେ ପୂର୍ବରୁ ଚାରା ରୋପଣ କରାଯାଇଥିଲା। ତେବେ ବର୍ଷେ ପୂର୍ବେ ବଡ଼ଟୁବି ଓ ନିପାଣିଆ ଗ୍ରାମ ସଂଲଗ୍ନ ଆଦି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ଜବରଦଖଲକାରୀମାନଙ୍କଠାରୁ ବନ ବିଭାଗ ସରକାରୀ ଜମିକୁ ଉଦ୍ଧାରକରି ବିଭିନ୍ନ ପ୍ରଜାତିର ଶହେ ହେକ୍ଟର ଜମିରେ ୩ ଲକ୍ଷରୁ ଅଧିକ ଲୁଣା ହେନ୍ତାଳ ଚାରା ରୋପଣ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ନିଆଁ, ଧୂଆଁ ଆସ୍ତରଣ ପାଇଁ ଏହି ଲୁଣା ଜାତୀୟ ଗଛ ବୃଦ୍ଧି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀ କହିଛନ୍ତି।
ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି, ଶିଳ୍ପ କାରଖାନାରୁ ନିର୍ଗତ ବିଷାକ୍ତ ନିଆଁ, ଧୂଆଁ, ଧୂଳି ଏହି ଅଞ୍ଚଳର ଜନଜୀବନ ପ୍ରଭାବିତ ହେଉଛି। ଅଧିକାଂଶ ଲୋକମାନଙ୍କ ଶରୀରରେ ଚର୍ମ ରୋଗ ଓ ଆଖି ସମସ୍ୟା ରହୁଛି। ଏ ସଂକ୍ରାନ୍ତରେ ବନ ବିଭାଗର ଜମ୍ବୁ ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡାଇଙ୍କୁ ପଚାରିବାରେ ଶିଳ୍ପ କାରଖାନାର ନିଆଁ, ଧୂଆଁ ଧୂଳି ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଏହା ବାଦ୍‌ ଗଛଲତା ପ୍ରଭାବିତ ହେଉଛ। ସୁରକ୍ଷା ପାଇଁ ସ୍ଥାନୀୟ ଲୋକମାନଙ୍କୁ ନିଜ ବାଡ଼ି ବଗିଚାରେ ଚାରା ରୋପଣ କରିବାକୁ ସଚେତନ କାର୍ଯ୍ୟକ୍ରମ ଖୁବ୍‌ ଶୀଘ୍ର କରାଯିବ ବୋଲି ସେ କହିଛନ୍ତି।

Share