ଶିଳ୍ପାନୁଷ୍ଠାନରେ ପ୍ରଦୂଷଣ ଯାଞ୍ଚ

ଢେଙ୍କାନାଳ ଅଫିସ, ୨୭।୯: ଓଡ଼ିଶା ବିଧାନସଭା ପ୍ରଦୂଷଣ ନିୟନ୍ତ୍ରଣ ସବ୍‌କମିଟି ସଦସ୍ୟ ସୋମବାର ଢେଙ୍କାନାଳ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରି ପ୍ରଦୂଷଣ ସ୍ଥିତି ଯାଞ୍ଚ କରିଛନ୍ତି। କମିଟି ଅଧ୍ୟକ୍ଷ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଧାୟକ ସାରଦା ପ୍ରସାଦ ନାୟକ, ବିଧାୟିକା ମିନାକ୍ଷୀ ମହାନ୍ତ, ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଉକ୍ତ ଟିମ୍‌ରେ ଆସିଥିଲେ। ପ୍ରଦୂଷଣକୁ ଯଥାସାଧ୍ୟ ନିୟନ୍ତ୍ରଣରେ ରଖିବା ଲାଗି ବ୍ୟବସ୍ଥା କରିବାକୁ କମିଟି ସଦସ୍ୟ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଶିଳ୍ପାନୁଷ୍ଠାନର ପାଉଁଶ ପରିବହନ ଯୋଗୁ ୫୫ନଂ. ଜାତୀୟ ରାଜପଥରେ ଧୂଳି ଜମୁଥିବାରୁ ଏହାକୁ ନେଇ କମିଟି ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶିଳ୍ପାନୁଷ୍ଠାନ ନିକଟ ଜାତୀୟ ରାଜପଥରେ ପାଣି ସିଞ୍ଚନ, ପରିବେଶ ସୁରକ୍ଷା ପାଇଁ ଅଧିକ ବନୀକରଣ, ଇ-ଯାନ ବ୍ୟବହାରକୁ ଗୁରୁତ୍ୱ ଦେବାକୁ ସେମାନେ କହିଛନ୍ତି।
ଜିଲାପାଳ ସରୋଜ କୁମାର ସେଠୀ, ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି, ଅନୁଗୋଳ ଅତିରିକ୍ତ ଜିଲାପାଳ ରଜନୀକାନ୍ତ ସ୍ବାଇଁ, ଢେଙ୍କାନାଳ ଅତିରିକ୍ତ ଜିଲାପାଳ ଉଦୟ ମହାପାତ୍ର, ଅନୁଗୋଳସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀ ଡ. ଏ.କେ. ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବିଧାନସଭା ପ୍ରଦୂଷଣ ନିୟନ୍ତ୍ରଣ ସବ୍‌କମିଟି ସଦସ୍ୟ ପର୍ଯ୍ୟାୟକ୍ରମେ ନର୍ଭେରାମ କମ୍ପାନୀ, ଏମ୍‌ଜିଏମ୍‌ ଏବଂ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ କମ୍ପାନୀ ପରିଦର୍ଶନ କରିଥିଲେ। ଟାଟାଷ୍ଟିଲ ପକ୍ଷରୁ ପ୍ରଦୂଷଣ ରୋକିବା, ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ, କ୍ରୀଡ଼ାର ବିକାଶ ପାଇଁ ନିଆଯାଇଥିବା ବହୁବିଧ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ନିର୍ମାଣାଧୀନ ୫୫ନଂ. ଜାତୀୟ ରାଜପଥଠାରୁ ଦୂରରେ ବନୀକରଣ ପାଇଁ ଶିଳ୍ପାନୁଷ୍ଠାନ ଅଧିକାରୀମାନଙ୍କୁ କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି।