Categories: ଜାତୀୟ

ବିଧାୟକଙ୍କ ଅଯୋଗ୍ୟ ମାମଲା ବୃହତ୍‌ ଖଣ୍ଡପୀଠକୁ ଯାଇପାରେ, ବିଧାନସଭା ରେକର୍ଡକୁ ସୁରକ୍ଷିତ ରଖିବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ …

ନୂଆଦିଲ୍ଲୀ,୨୦।୭ : ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟ ମାମଲା ଉପରେ ସୁପ୍ରିମକୋର୍ଟ(ଏସ୍‌ସି)ରେ ଶୁଣାଣି ବୁଧବାର ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗରେ ଆସନ୍ତା ଶୁକ୍ରବାର ସୁଦ୍ଧା ସମସ୍ତଙ୍କୁ ଉତ୍ତର ଦେବାକୁ ପଡିବ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ ରେ  ହେବ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ପୃଥକ ଖଣ୍ଡପୀଠ ଗଠନ କରାଯାଇପାରିବ। ଶୁଣାଣି ସମୟରେ ବିଧାନସଭା ପ୍ରକ୍ରିୟାକୁ ସଂରକ୍ଷଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ଓକିଲ କପିଲ ସିବଲ ଉଦ୍ଧବ ଠାକରେଙ୍କ ପକ୍ଷରୁ ହାଜର ହୋଇ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ପାଇଁ ଆବେଦନ କରିଥିବାବେଳେ  ହରିଶ ସାଲଓ୍ବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ତରଫରୁ ହାଜର ହୋଇଥିଲେ।

ତେବେ ମହାରାଷ୍ଟ୍ରର ରାଜନୈତିକ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ସୁପ୍ରିମକୋର୍ଟ ବର୍ତ୍ତମାନ ଏହି ମାମଲାର ଶୁଣାଣି ପାଇଁ ଏକ ବୃହତ୍‌ ଖଣ୍ଡପୀଠ ଗଠନ କରିପାରିବେ। ବୁଧବାର ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ.ଭି. ରମନା ଏହି ସଙ୍କେତ ଦେଇଛନ୍ତି। ଏହି ମାମଲାର ଶୁଣାଣି ପାଇଁ ଏକ ବୃହତ୍‌ ଖଣ୍ଡପୀଠ ଆବଶ୍ୟକ ହୋଇପାରେ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ଖଣ୍ଡପୀଠ କିଭଳି ହେବ ସେନେଇ ବିଚାର କରି ଏହାର ଗଠନ ପାଇଁ କିଛି ସମୟ ଲାଗିପାରେ।

ଶିନ୍ଦେ ଗୋଷ୍ଠୀର ଓକିଲ ହରିଶ ସାଲଓ୍ବେ ଉଦ୍ଧବଙ୍କ ଦଳର ଆବେଦନ ଉପରେ ଉତ୍ତର ଦାଖଲ କରିବାକୁ ଏକ ସପ୍ତାହ ସମୟ ମାଗିଥିଲେ। ଏହା ଉପରେ କୋର୍ଟ କହିଛନ୍ତି ଯେ ସମସ୍ତ ପକ୍ଷ ସେମାନଙ୍କର ଲିଖିତ ଯୁକ୍ତି ଉପସ୍ଥାପନ କରିବା ଉଚିତ। ନିଜ ମଧ୍ୟରେ ଆଲୋଚନା କରନ୍ତୁ ଏବଂ ଶୁଣାଣି ହେବାକୁ ଥିବା ଦାବି ଗୁଡ଼ିକର ଏକ ସଂକଳନ ଦାଖଲ କରନ୍ତୁ।

ପ୍ରଧାନ ବିଚାରପତି ଏନ.ଭି ରମନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ହିମା କୋହଲିଙ୍କ ନେତୃତ୍ୱରେ ଗଠିତ ଏକ ୩ ଜଣିଆ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରୁଛନ୍ତିି। ଏହାପୂର୍ବରୁ ସୁପ୍ରିମକୋର୍ଟ ଜୁଲାଇ ୧୧ରେ କହିଥିଲେ ଯେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଅଦାଲତ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ।

 

Share