ନୂଆଦିଲ୍ଲୀ, ୧୨ା୯: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରି ଆଲ୍ଲାହବାଦ୍ ହାଇକୋର୍ଟ ୧୯୭୫ ମସିହାରେ ଦେଇଥିବା ରାୟ ସାହସିକତାପୂର୍ଣ୍ଣ ଥିଲା ବୋଲି କହିଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍. ଭି. ରମନା। ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆସିବା ପରେ ଦେଶବ୍ୟାପୀ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଉକ୍ତ ମସିହା ଜୁନ୍ ୧୨ରେ ହାଇକୋର୍ଟ ଜଷ୍ଟିସ୍ ଜଗମୋହନଲାଲ ସିହ୍ନା ଅଦାଲତଙ୍କ ସାହସିକତାର ସହ ବିଚାର କରିଥିଲେ ବୋଲି ଶନିବାର ଉତ୍ତରପ୍ରଦେଶ ନ୍ୟାଶନାଲ ଲ’ ୟୁନିଭର୍ସିଟି ଏବଂ ଆଲ୍ଲାହାବାଦ ହାଇକୋର୍ଟର ନୂଆ ବିଲ୍ଡିଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ଏହା କହିଛନ୍ତି। ଏହି ହାଇକୋର୍ଟର ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା। ଏହାର ବାର୍ ଏବଂ ବେଞ୍ଚ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଦେଇଛି ବୋଲି ସିଜେଆଇ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଜେଆଇଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଉକ୍ତ ରାୟ ପରେ ୧୯୭୫ ଜୁନ୍ ୨୫ରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁହୋଇଥିଲା।