ସ୍ତନ୍ୟପାନ କରାଇପାରିବେ ସଂକ୍ରମିତ ମହିଳା

ନୂଆଦିଲ୍ଲୀ, ୨୭।୭: କୋଭିଡ୍‌ ପଜିଟିଭ୍‌ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସାନି ଆଡଭାଇଜରି ଜାରି କରିଛନ୍ତି। କରୋନା ଆକ୍ରାନ୍ତ ମାଆମାନେ ସେମାନଙ୍କ ପିଲାଙ୍କୁ ସ୍ତନ୍ୟପାନ କରାଇପାରିବେ। ତେବେ ଅନ୍ୟ ସମୟରେ ସେମାନେ ପିଲାଙ୍କୁ ଅନୂ୍ୟନ ୬ ଫୁଟ ଦୂରରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ଗର୍ଭବତୀ ମହିଳା କୋଭିଡ୍‌ରୁ ଭଲ ହେବା ପରେ ଗର୍ଭସ୍ଥ ଶିଶୁ ଓ ମାଆ ଠିକ୍‌ ଅଛନ୍ତି କି ନାହିଁ ଜାଣିବା ପାଇଁ ସ୍ବାସ୍ଥ୍ୟ ଚେକ୍‌ଅପ୍‌ କରାଇବାକୁ କୁହାଯାଇଛି। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅଧିକ ମହିଳା କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ଗୁରୁତର ମାମଲା ହୋଇଥିଲେ ଗର୍ଭାବସ୍ଥାରେ ଏହା ଜଟିଳ ସମସ୍ୟା ସୃଷ୍ଟି କରିପାରେ। ବ୍ଲଡ୍‌ ଅକ୍ସିଜେନ ସାଚୁରେଶନ ହଠାତ୍‌ କମିଯିବା ଫଳରେ ମାଆ ଓ ଶିଶୁ ଉଭୟଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ନୂଆଦିଲ୍ଲୀର ଲେଡି ହାର୍ଡିଞ୍ଜେ ମେଡିକାଲ କଲେଜର ଡାକ୍ତର ମଞ୍ଜୁ ପୁରୀ କହିଛନ୍ତି। ଗର୍ଭବତୀ ଟିକା ନେଇଥିଲେ ସଂକ୍ରମଣ ଗୁରୁତର ହୋଇ ନ ଥାଏ। ମାଆ ଟିକା ନେଇଥିଲେ ନବଜାତ ଶିଶୁକୁ ମଧ୍ୟ କିଛି ପରିମାଣରେ ସୁରକ୍ଷା ମିଳିଥାଏ ବୋଲି ସେ କହିଛନ୍ତି।

Share