ଅନୁଗୋଳ ଅଫିସ, ୩ା୬: ଜନ୍ମରୁ ୨୮ ଦିନ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ସଂକ୍ରମଣ (ଇନ୍ଫେକ୍ଶନ) ହିଁ ଅଧିକ ଶିଶୁଙ୍କ ଜୀବନହାନି ଘଟାଇଥାଏ। ତେଣୁ ନବଜାତକଙ୍କୁ ଇନ୍ଫେକ୍ଶନରୁ ସୁରକ୍ଷିତ ରଖିବାକୁ ଲେବର ରୁମ୍, ଓଟି ଏବଂ ନବଜାତ ଓ୍ବାର୍ଡର ବିଶୋଧନକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥାଏ। କିନ୍ତୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏ କ୍ଷେତ୍ରରେ ଘୋର ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ନବଜାତ ଶିଶୁଙ୍କ ମୃତ୍ୟୁ ହାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଗତ ୩ ବର୍ଷ ମଧ୍ୟରେ ଜିଲାର ବିଭିନ୍ନ ଡାକ୍ତରଖାନାରେ ମୋଟ୍ ୧୩୩୯ ନବଜାତକଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି।
ଗର୍ଭଧାରଣଠାରୁ ସୁରକ୍ଷିତ ପ୍ରସବ ଓ ଶିଶୁ ମୃତ୍ୟୁହାର ରୋକିବା ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ମାଳ ମାଳ ଯୋଜନା ସହ ଡାକ୍ତରଖାନାରେ ପ୍ରସବ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଏହାସତ୍ତ୍ୱେ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତକ ସଂକ୍ରମଣର ଶିକାର ହେବା କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନବଜାତ ଶିଶୁମାନଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ ହେଲେ ଡାକ୍ତରଖାନାର ଲେବର ରୁମ୍, ଓଟି ଓ ନବଜାତ ୱାର୍ଡକୁ ନିୟମିତ ଭାବେ ବିଶୋଧନ କରାଯିବା ଉଚିତ। ଏହି ସ୍ଥାନଗୁଡ଼ିକ କିଭଳି ଭାବେ ସଂକ୍ରମଣ ମୁକ୍ତ ରହିବ, ସେହି ଦାୟିତ୍ୱ ମେଡିକାଲ ପରିଚାଳକଙ୍କ ଉପରେ ନ୍ୟସ୍ତ କରାଯାଇଛି। ଠିକ୍ ଭାବେ ସଫେଇ ସହ ଶିଶୁର ମା, ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ବ୍ୟତୀତ ବାହାର ଲୋକ ଯେଭଳି ନବଜାତ ଶିଶୁ ୱାର୍ଡକୁ ନ ଯିବେ, ସେଥିପ୍ରତି ଧ୍ୟାନ ଦିଆଯିବା ଜରୁରୀ। କିନ୍ତୁ ଢିଲା ସୁରକ୍ଷା କାରଣରୁ ଉକ୍ତ ୱାର୍ଡକୁ ଅନ୍ୟ ଲୋକ ପ୍ରବେଶ କରୁଛନ୍ତି। ୨୪ ଘଣ୍ଟିଆ ସଫେଇ ହେଉ ନ ଥିବାବେଳେ କେବଳ ଆବଶ୍ୟକ ପଡ଼ିଲେ କର୍ମଚାରୀଙ୍କୁ ଡକାଯାଇ ବିଶୋଧନ କରାଯାଉଛି। ଏଥିଯୋଗୁ ଅଧିକାଂଶ ଶିଶୁ ସଂକ୍ରମଣର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁ ଜନ୍ମ ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥାଏ। ଏଥିସହ ଜନ୍ମ ସମୟରେ ଅମ୍ଳଜାନ ଅଭାବ ମଧ୍ୟ ଶିଶୁ ମୃତ୍ୟୁର ଅନ୍ୟ ଏକ କାରଣ। ନବଜାତକଙ୍କୁ ଏଥିରୁ ରକ୍ଷା କରିବାକୁ ହେଲେ ଲେବର ରୁମ୍, ଓଟି, ୱାର୍ଡ ଓ ଏସ୍ଏନ୍ସିୟୁରୁ ସ୍ବାବ୍ ସଂଗ୍ରହ କରି ପରୀକ୍ଷା କରାଯିବା ଉଚିତ। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା କରାଯାଉ ନାହିଁ। ସେହିପରି ଯନ୍ତ୍ରାଂଶ ଓ ଚଟାଣରେ ସଂକ୍ରମଣ ରହିଛି କି ନାହିଁ, ତାହା ଯାଞ୍ଚ ହେଉନାହିଁ। ଏପରି ଅବହେଳା ଯୋଗୁ ୨୦୧୮-୧୯ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୮୬ ଓ ୨୮ଦିନରୁ ୧୨ ମାସ ମଧ୍ୟରେ ୧୩୨ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୧୯-୨୦ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୧୭ ଓ ୨୮ ଦିନରୁ ୧୨ ମାସ ମଧ୍ୟରେ ୧୧୨ ଶିଶୁ, ୨୦୨୦-୨୧ ବର୍ଷରେ ଶୂନରୁ ୨୮ ଦିନ ମଧ୍ୟରେ ୩୦୬ ଏବଂ ୨୮ ଦିନରୁ ୧୨ ମାସ ମଧ୍ୟରେ ୮୬ ଶିଶୁଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅନୁଧ୍ୟାନ ପରେ ଜଣାପଡ଼ିବ
ନୂଆ କରି ଅନୁଗୋଳରେ ଯୋଗ ଦେଇଛି। ଶିଶୁ ମୃତ୍ୟୁ ସମ୍ପର୍କରେ ତର୍ଜମା କରିନାହିଁ। ଏ ନେଇ ସମୀକ୍ଷା ବୈଠକ କରାଯିବା ପରେ ଜିଲାରେ କେତେ ନବଜାତକ ଓ ଶିଶୁଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିବ। କେବଳ ସଂକ୍ରମଣ ନୁହେଁ, ଅନ୍ୟ କାରଣ ମଧ୍ୟ ରହିଛି। ତେବେ ସମୀକ୍ଷା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ।
-ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅନୁଗୋଳ
ତଦାରଖ କରିବା ଅଧିକାରୀ ଢିଲା ମାରୁଛନ୍ତି
ନବଜାତ ଶିଶୁ ମୃତ୍ୟୁର ବିଭିନ୍ନ କାରଣ ରହିଛି। ତଥାପି ସଂକ୍ରମଣ ଯୋଗୁ ହିଁ ଅଧିକ ମୃତ୍ୟୁ ଘଟିଥାଏ। ଇମ୍ଫେକଶନ ରୋକିବାକୁ ମେଡିକାଲଗୁଡ଼ିକ ପକ୍ଷରୁ ଯାଞ୍ଚ କରାଯାଉନାହିଁ। ତଦାରଖ ଦାୟିତ୍ୱରେ ଥିବା ଅଧିକାରୀ ଢିଲା ମାରୁଛନ୍ତି। ଖାଲି ପାଦ ଓ ପରିଧାନ କରିଥିବା ପୋଷାକରେ ଆଶା, ମେଡିକାଲ କର୍ମଚାରୀମାନେ ଲେବର ରୁମ୍, ଓଟି ଓ ଶିଶୁ ୱାର୍ଡକୁ ପ୍ରବେଶ କରୁଛନ୍ତି। ଠିକ୍ ସମୟରେ ରେଫର କରା ନ ଯିବା ମଧ୍ୟ ଏଥିପାଇଁ ଦାୟୀ।
-ଡାକ୍ତର ନୀଳକଣ୍ଠ ସାହୁ, ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ,ଅନୁଗୋଳ
ସଂକ୍ରମଣରୁ ସୁରକ୍ଷା ଜରୁରୀ
ମେଡିକାଲ ପରିଚାଳନା ପାଇଁ ପରିଚାଳକ ନିୟୋଜିତ ହୋଇଛନ୍ତି। ସେ ସଂକ୍ରମଣ ଓ ବିଶୋଧନ କାର୍ଯ୍ୟ ତଦାରଖ କରିବେ। ଏହାଛଡ଼ା ଉପଯୁକ୍ତ ଚିକିତ୍ସା ମଧ୍ୟ ଆବଶ୍ୟକ। ଶିଶୁ ନ କାନ୍ଦିଲେ କି ଓଜନ ଅଢ଼େଇ କିଲୋ ହୋଇ ନ ଥିଲେ, ତୁରନ୍ତ ଏସ୍ଏନ୍ସିୟୁକୁ ଆଣିବା କଥା। ଦୂରରୁ ଆଣୁଥିଲେ ଗାଡ଼ିର କାଚ ଆବଦ୍ଧ କରିବା ସହ ଭଲ କରି ଘୋଡ଼ାଇ ଆଣନ୍ତୁ। ଶିଶୁକୁ ସଂକ୍ରମଣରୁ ଦୂରେଇ ରଖିବା ଅତି ଜରୁରୀ।
-ଡାକ୍ତର ନନ୍ଦକିଶୋର ସାହୁ, ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ
ଶିଶୁ ମୃତ୍ୟୁ ସମ୍ପର୍କରେ ଜଣାନାହିଁ
ଜିଲା ମୁଖ୍ୟ ଚିକିତ୍ସାଳୟରେ କାହିଁକି ନବଜାତ ଶିଶୁଙ୍କ ମୃତ୍ୟୁ ହେଉଛି, ସେ ସମ୍ପର୍କରେ ଜଣାନାହିଁ। ଏ ନେଇ ଶିଶୁ ଡାକ୍ତରଙ୍କ ସହ ଯୋଗାଯୋଗ କରାଗଲେ ସେ କହିପାରିବେ। ମୋ କାର୍ଯ୍ୟ ମେଡିକାଲ ପରିଚାଳନା। କେତେ ଶିଶୁ ମଲେ, ସେହି ତଥ୍ୟ ମୋ ନିକଟରେ ନାହିଁ।
-ଦେବାଶିଷ ଦାସ, ପରିଚାଳକ, ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ
କର୍ତ୍ତୃପକ୍ଷଙ୍କ ଅପାରଗତା ଧରାପଡ଼ିଯାଇଛି
୩ ବର୍ଷ ମଧ୍ୟରେ ଅନୁଗୋଳ ଜିଲାରେ ଏତେ ସଂଖ୍ୟାରେ ନବଜାତ ଶିଶୁଙ୍କ ମୃତ୍ୟୁ ହେବା କର୍ତ୍ତୃପକ୍ଷଙ୍କ ଅପାରଗତା ଧରାପକାଇଦେଇଛି। ୨୦୧୭ରୁ ଅନୁଗୋଳ ମେଡିକାଲରେ ସ୍ବତନ୍ତ୍ର ଭାବେ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। କିନ୍ତୁ ପରିଚାଳନାଗତ ତ୍ରୁଟି କାରଣରୁ ଏଭଳି ସମସ୍ୟା ଉପୁଜୁଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି, ଅନୁଗୋଳ