ଗାଁଠାରୁ ସହରରେ ସଂକ୍ରମଣ ଅଧିକ

କଟକ ଅଫିସ,୧୦।୮: କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି। ଜିଲାରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୫୯୬ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ସେଥିରୁ ଗ୍ରାମାଞ୍ଚଳରୁ ୧୩୬୪ (୪୬.୯%) ଓ କଟକ ସହରରୁ ୧୫୪୬ (୫୩.୧%) ଜଣ ଚିହ୍ନଟ ହୋଇଛନ୍ତି। ଗ୍ରାମାଞ୍ଚଳରେ ୨୧୬ ଓ କଟକ ସହରରେ ୭୭୩ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ସହରର ଏହି ଚିକିତ୍ସିତଙ୍କ ମଧ୍ୟରୁ ଗତ ସପ୍ତାହରେ ହିଁ ୬୪୧ ଜଣ ଚିହ୍ନଟ ହୋଇଥିଲେ, ଯାହା କେବଳ କଟକ ମହାନଗର ନିଗମ ନୁହେଁ, ବରଂ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।
ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହରେ ୬୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୨୯୮, ଗୃହ ସଙ୍ଗରୋଧରୁ ୨୧୧, ସରକାରୀ ସଙ୍ଗରୋଧରୁ ୪୫ ଓ ସ୍ଥାନୀୟ ଆକ୍ରାନ୍ତ ଭାବେ ୮୭ ଜଣଙ୍କୁ ଚିହ୍ନଟ କରାଯାଇଛି। ବେହେରାସାହିରୁ ଜୁଲାଇ ୨୩ରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ସହ ପ୍ରାୟ ୧୨ଶହ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ୬୮୯ଟି ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ୨୮୦ଟି ପଜିଟିଭ୍‌ ବାହାରିଛି। ଏହି ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାରୁ ତେଲୁଗୁ ସାହି ଓ ଜଲୁଆ ସାହିକୁ ବଫର୍‌ ଜୋନ୍‌ କରାଯାଇ ସେଠାରେ ମଧ୍ୟ ପରୀକ୍ଷା ହେଲା। ତେଲୁଗୁ ସାହିରେ ୩୪୫ ଜଣଙ୍କ ସ୍କ୍ରିନ୍‌ ହୋଇ ସଂଗୃହୀତ ୨୧୨ ନମୁନାରୁ ୮୧ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଜଲୁଆ ସାହିରେ ୩୪୯ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ୬୨ଟି ନମୁନା ସଂଗ୍ରହ ହୋଇଥିବା ବେଳେ ସେଥିରୁ ୪୩ଟି ପଜିଟିଭ୍‌ ବାହାରିଥିଲା। ଅନ୍ୟପକ୍ଷରେ ବେହେରାସାହିରେ ସ୍ଥିତି ଧୀରେଧୀରେ ସୁଧୁରୁଛି। ଜୁଲାଇ ୨୩ରେ ମୋଟ ପରୀକ୍ଷାରୁ ଶତ ପ୍ରତିଶତ ରିପୋର୍ଟ ପଜିଟିଭ୍‌ ଆସିଥିଲା। କିନ୍ତୁ ୨୮ ତାରିଖରେ ୬୧ ପ୍ରତିଶତ, ୩୦ ତାରିଖରେ ୫୬, ୩୧ ତାରିଖରେ ୫୫.୮୧, ଅଗଷ୍ଟ ୧ରେ ୪୪.୦୬, ୨ ତାରିଖରେ ୫୭, ୩ ତାରିଖରେ ୫୬.୫୬, ୫ ତାରିଖରେ ୨୯.୪୫, ୬ ତାରିଖରେ ୨୯.୧୧ ଓ ୭ ତାରିଖରେ ୧୦.୭୧ ପ୍ରତିଶତ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ଶନିବାର ସବୁ ରିପୋର୍ଟ ନେଗେଟିଭ୍‌ ଥିବା କମିଶନର ଦାସ ସୂଚନା ଦେଇଛନ୍ତି। ଅପରପକ୍ଷେ ଲକ୍ଷଣବିହୀନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୮ଟି କୋଭିଡ୍‌ କେୟାର ସେଣ୍ଟରରେ ୧୨୩୫ଟି ବେଡ୍‌ ବ୍ୟବସ୍ଥା କରାଯାଇଛି। ୯୭ ଜଣ ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ରହିଥିବା କମିଶନର କହିଛନ୍ତି।

Share