ଅମାନିଆଙ୍କ ଲାଗି ବଢୁଛି ସଂକ୍ରମଣ

ଭୋଗରାଇ, ୨୬।୪(ଡି.ଏନ.ଏ.):  ପଶ୍ଚିମବଙ୍ଗରେ କରୋନାର ନୂଆ ଷ୍ଟ୍ରେନ ଦେଖାଦେବା ପରେ ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସ୍ବାସ୍ଥ୍ୟବିଭାଗ, ପ୍ରଶାସନ, ସାମାଜିକ ଅନୁଷ୍ଠାନ ଏଥିପ୍ରତି ସତର୍କ ରହି ସଚେତନତା କରୁଥିବା ବେଳେ ଅମାନିଆଙ୍କ ପାଇଁ ଭୋଗରାଇ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କାମଧନ୍ଦା ନ ପାଇ ଏହି ଅଞ୍ଚଳରୁ ପ୍ରାୟ ୨୦ହଜାର ବେକାର ଯୁବକ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଇଥିଲେ। ଅନ୍ୟ ରାଜ୍ୟରେ କରୋନା ଭୂତାଣୁ କାୟା ବିସ୍ତାର କରୁଥିବାରୁ ପ୍ରବାସୀମାନେ ଏବେ ଘରମୁହାଁ ହୋଇଛନ୍ତି। ସେମାନଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଉଥିବା ବେଳେ କେତେକ ଅମାନିଆ ଘରୁ ବାହାରକୁ ବାହାରି ଚଲାବୁଲା କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହାଟବଜାରରେ ବିନା ମାସ୍କରେ ଗହଳି କରିବା ସହିତ ବିବାହ, ପୂଜା ଓ ଅନ୍ୟ ଉତ୍ସବରେ ଖୁଲମଖୁଲା ଭିଡ଼ କରୋନାକୁ ଆମନ୍ତ୍ରଣ କରୁଛି।
ଅପରପକ୍ଷରେ ପ୍ରବାସୀଙ୍କ ପାଇଁ ଭୋଗରାଇ ଉପାନ୍ତ ସାହାବାଜିପୁର ମହାବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳୀ, ବାଡ଼ସରିଷା ହାଇସ୍କୁଲ ଓ ସରସ୍ବତୀପୁର ନୋଡ଼ାଲ ହାଇସ୍କୁଲରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଭୋଗରାଇର ୩୬ଟି ରାସ୍ତା ପଶ୍ଚିମବଙ୍ଗକୁ ସଂଯୋଗ କରିଥିବା ବେଳେ ପୋଲିସ ପ୍ରଚଣ୍ଡ ଖରାରେ ୨୪ଘଣ୍ଟିଆ ପହରା ଦେଉଛି। କିନ୍ତୁ ଉଭୟ ରାଜ୍ୟର ସୀମାନ୍ତବାସୀ ଜରୁରୀ କାର୍ଯ୍ୟରେ କୌଶଳକ୍ରମେ ଗଳାବାଟ ଓ ଧାନଜମି ଦେଇ ଯାତାୟାତ କରୁଛନ୍ତି। ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ୧୫୧ ଜଣ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ଆଉ ୧୫ଜଣ ସଂକ୍ରମିତ ହୋଇଥିବା ଚିକିତ୍ସାଧିକାରୀ କମଳାକାନ୍ତ ଜେନା ସୂଚନା ଦେଇଛନ୍ତି। ଏଥିସହିତ ୫୦ ପଞ୍ଚାୟତରେ ସ୍ବାସ୍ଥ୍ୟକର୍ମୀମାନେ ଗାଁ ଗାଁ ପରିକ୍ରମା କରି ପ୍ରବାସୀଙ୍କ ନିମନ୍ତେ ସଚେତନତା ବାର୍ତ୍ତା ବାଣ୍ଟୁଥିବା ଦୃଷ୍ଟିକୁ ଆସୁଛି। ଏଭଳି ସ୍ଥିତିରେ ଭୋଗରାଇରେ ୧ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ସହ ଅନ୍ୟୁନ ୨୫ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲିବାକୁ କଂଗ୍ରେସ ନେତା ସତ୍ୟଶିବ ଦାସ, ଆଶିଷ କୁମାର ପାତ୍ର, ସନ୍ତୋଷ ଜେନା ପ୍ରମୁଖ ସରକାରଠାରେ ଦାବି କରିଛନ୍ତି।

Share