ବେଦିକ କଲେଜରେ ବଢୁଛି ସଂକ୍ରମଣ

ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବେଦିକ କଲେଜରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଶନିବାର ୯ରେ ପହଞ୍ଚିଛି। ସମସ୍ତ ଛାତ୍ର ଗୋଟିଏ ହଷ୍ଟେଲରେ ରହୁଥିବା ଜଣାପଡିଛି। ଖବର ପ୍ରଚାର ହେବା ପରେ କଲେଜ ପରିସରରେ ଭୟର ବାତାବରଣ ଖେଳିଯାଇଛି।

ଏଡିଏମ୍‌ଓ ଆଶୋକ ଦାସ କହିଛନ୍ତି, ଜଣେ ଛାତ୍ର ଥାଲାସେମିଆ ପରୀକ୍ଷା କରିବା ପାଇଁ ନିକଟରେ ଥିବା ପାପପାଲି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର କୋଭିଡ୍‌ ଲକ୍ଷଣ ଜାଣି ପରୀକ୍ଷା କରିବାକୁ କହିଥିଲେ। ପରୀକ୍ଷା ପରେ କୋଭିଡ୍‌ ଆକ୍ରାନ୍ତ ଥିବା ଜଣାପଡିଥିଲା। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ କଲେଜ ପରିଦର୍ଶନ କରି ଅନ୍ୟ କେତେଜଣ ଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ କରିଥିଲେ। ପରୀକ୍ଷା ପରେ ପୁଣି ୨ଛାତ୍ର ସଂକ୍ରମିତ ଥିବା ଜଣାପଡିଥିଲା। ପରେ ହଷ୍ଟେଲର ଅନ୍ୟ କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ ହୋଇଥିଲା। ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ଆଉ ୬ ଜଣ ପଜିଟିଭ ଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗର ଟିମ୍‌ ରବିବାର ପୁଣି କଲେଜ ପରିଦର୍ଶନ କରିବାକୁ ସ୍ଥିର ହୋଇଛି। ନିୟମିତ କଲେଜ ସହ ଯୋଗାଯୋଗ ରଖାଯାଇ କିଭଳି ସଂକ୍ରମଣ ନ ବ୍ୟାପିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ। କଲେଜ ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ କହିଛନ୍ତି, କଲେଜରେ ଯୁକ୍ତ ୨ ପ୍ରଥମବର୍ଷର ଜଣେ ଛାତ୍ର କୋଭିଡ୍‌ ସଂକ୍ରମିତ ଥିବା ଜଣାପଡିଥିଲା। କଲେଜରେ ଆଡ୍‌ମିଶନ ସମୟରେ ଛାତ୍ରଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯିବାରୁ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ହେଲେ ଆର୍‌ଟିପିସିଆର୍‌ ଟେଷ୍ଟରେ ପଜିଟିଭ ଆସିଥିଲା ସଙ୍ଗେ ସଙ୍ଗେ ଛାତ୍ରଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଅନ୍ୟ ରିପୋର୍ଟ ଆମ ପାଖକୁ ଆସି ନାହିଁ। କଲେଜ ପକ୍ଷରୁ କୋଭିଡ୍‌ ନିୟମ ମାନି ସୁରକ୍ଷା ଦିଗରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ପର୍ଯ୍ୟାୟକ୍ରମେ ଆସୁଛନ୍ତି ଓ ପରୀକ୍ଷା ଶେଷହେବା ପରେ ପୁଣି ଫେରିଯାଉଛନ୍ତି ବୋଲି କହିଥିଲେ।

Share