ପାର୍ବଣରେ ବଢ଼ିପାରେ ସଂକ୍ରମଣ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତରେ ଚଳିତ ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧିପାଇବା ଆଶଙ୍କା ରହିଛି। ଏଥିପାଇଁ ବିଶେଷଜ୍ଞଙ୍କଠାରୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି। ନୀତି ଆୟୋଗ ବିଷେଶଜ୍ଞଙ୍କ ମତରେ ଶୀତଋତୁରେ କୋଭିଡ୍‌-୧୯ର ଦ୍ୱିତୀୟ ପ୍ରବାହ ଆରମ୍ଭ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ନୀତି ଆୟୋଗ ସଦସ୍ୟ ତଥା ନ୍ୟାଶନାଲ ଏକ୍ପପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରେଶନ ଫର୍‌ କୋଭିଡ୍‌-୧୯ (ଏନ୍‌ଇଜିଭିଏସି) ମୁଖ୍ୟ ଭି.କେ. ପଲ୍‌ ରବିବାର କହିଛନ୍ତି, ବିଗତ ତିନି ସପ୍ତାହ ଧରି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମି ଅନେକ ରାଜ୍ୟରେ ସ୍ଥିର ରହିଥିବାେଳେ ଶୀତରେ ସଂକ୍ରମଣ ବୃଦ୍ଧି ପାଇପାରେ। ବର୍ତ୍ତମାନ ୫ ରାଜ୍ୟ କେରଳ, କର୍ନାଟକ, ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଏବଂ ୩ରୁ ୪ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣର ଟ୍ରେଣ୍ଡ ବଢ଼ୁଛି।
ତେବେ କୋଭିଡ୍‌-୧୯ ଭାକ୍ସିନ ଉପଲବ୍ଧ ହେବା ପରେ ନାଗରିକଙ୍କୁ ତାହା ଯୋଗାଇବା ପାଇଁ ଅନେକ ସାଧନ ରହିବ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଶୀତଋତୁରେ କୋଭିଡ୍‌-୧୯ର ପ୍ରାଦୁର୍ଭାବ ବଢ଼ିଛି। ଏହି ଦୃଷ୍ଟିରୁ ଭାରତରେ ମଧ୍ୟ ଶୀତରେ ସଂକ୍ରମଣ ବଢ଼ିପାରେ। ବିଶେଷକରି ପାର୍ବଣ ଋତୁରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ। ଉତ୍ତର ଭାରତରେ ପ୍ରଦୂଷଣ ବୃଦ୍ଧି ଚିନ୍ତା ବଢ଼ାଇବ ବୋଲି ପଲ୍‌ ସତର୍କ କରାଇଛନ୍ତି।

ଭାରତରେ ଗୋଷ୍ଠୀ ସଂକ୍ରମଣ:କେନ୍ଦ୍ର ମାନିଲା
ଦେଶରେ ଗୋଷ୍ଠୀ ସଂକ୍ରମଣ ଚାଲିଥିବା ସମ୍ପର୍କରେ ମାସ ମାସ ଧରି ଖଣ୍ଡନ କରିଆସୁଥିବା କେନ୍ଦ୍ର ସରକାର ଶେଷରେ ସତ ସ୍ବୀକାର କରିଛନ୍ତି। ଭାରତ ଗୋଷ୍ଠୀ ସଂକ୍ରମଣ ସ୍ତରରେ ରହିଛି ବୋଲି ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମାନିଛନ୍ତି। ତେବେ ଏହା କେତେକ ନିର୍ଦ୍ଦିଷ୍ଟ ରାଜ୍ୟର କିଛି ଜିଲାରେ ସୀମିତ ଥିବା ସେ କହିଛନ୍ତି। ‘ସଣ୍ଡେ ସମ୍ବାଦ’ ଶୀର୍ଷକ ଓ୍ବେବିନାରରେ ସୋସିଆଲ ମିଡିଆ ଅଡିଏନ୍ସଙ୍କ ସହ ଆଲୋଚନା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଥିବା ନେଇ ସୋମବାର ସ୍ବୀକାର କରିବା ପରେ ହର୍ଷବର୍ଦ୍ଧନଙ୍କ ଏହି ମନ୍ତବ୍ୟ ଆସିଛି। ଦୁର୍ଗା ପୂଜା ଋତୁରେ ସତର୍କତା ଅବଲମ୍ବନ କରିବା ପାଇଁ ମମତା ଜନସାଧାରଣଙ୍କୁ ଗତ ସପ୍ତାହରେ ସଚେତନ କରାଇଥିଲେ।

Share