ବିମାନ, ଟ୍ରେନ୍‌ରୁ ସଂକ୍ରମଣ

ଭୁବନେଶ୍ୱର,୫।୪(ବ୍ୟୁରୋ): ବାହାର ଦେଶ ଓ ରାଜ୍ୟରୁ କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଓଡ଼ିଶାକୁ ପଶି ଆସୁଛି। ଟ୍ରେନ୍‌, ବିମାନ ଓ ଗାଡିମୋଟର ଦେଇ ଚାରିଆଡୁ ସଂକ୍ରମଣ ମାଡ଼ି ଆସୁଛି। ତେଣୁ ଏହି ଘାତକ ମହାମାରୀକୁ ପ୍ରତିହତ କରିବା ପାଇଁ ଏବେ କଟକଣାକୁ ବଢ଼ାଇ ଦିଆଯାଇଛି। ସୀମାନ୍ତ ଜିଲାରେ କର୍ଫ୍ୟୁ, କଣ୍ଟେନମେଣ୍ଟ ଜୋନ୍‌ କରାଯାଇ ପ୍ରବେଶ ପଥରେ ଯାଞ୍ଚ ଚାଲିଥିବାବେଳେ ଏପଟେ ଭୁବନେଶ୍ୱର ରେଳ ଷ୍ଟେଶନ ଓ ବିମାନ ବନ୍ଦରରେ ମଧ୍ୟ ଯାତ୍ରୀ ଯାଞ୍ଚକୁ ତ୍ୱରାନ୍ବିତ କରାଯାଇଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୮ଜଣ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ରେଳ ଷ୍ଟେଶନରୁ ୩ଜଣ ଓ ବିମାନବନ୍ଦରରୁ ୧୧ଜଣ ରହିଛନ୍ତି। ତେବେ ଯାଞ୍ଚ ସମୟରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ପ୍ରଥମଥର ପାଇଁ ଯାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ଯାଞ୍ଚ ଚାଲିଛି। ଏଥିସହ ଷ୍ଟେଶନ ଓ ସହରରେ ଟେଷ୍ଟିଂକୁ ତ୍ୱରାନ୍ବିତ କରାଯାଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ଅପରପକ୍ଷେ ଚିନ୍ତା ବଢ଼ାଇଲାଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଗତ ୩ ଦିନ ଭିତରେ ୨୫ଜଣ ଯାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରବିବାର ଆଉ ୧୧ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସଛି। ମୁମ୍ବାଇ ଓ ପୁଣେରୁ ଆସିଥିବା ୭ ବିମାନର ୩୧୩ଜଣ ଯାତ୍ରୀଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ୧୧ ଯାତ୍ରୀ ସଂକ୍ରମିତ ଥିବା ଜଣାପଡିଛି। ତେବେ ଏମାନଙ୍କୁ ମିଶାଇ ବିମାନବନ୍ଦରରୁ ମୋଟ୍‌ ୩୬ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ପଜିଟିଭ୍‌ ସମସ୍ତ ଯାତ୍ରୀଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦିଆଯାଇଛି। ବିମାନ ଯୋଗେ ବାହାର ଦେଶରୁ ଯାତ୍ରୀମାନେ ଆସୁଥିବାରୁ ସେମାନଙ୍କ ଟେଷ୍ଟିଂ ସହ ଷ୍ଟ୍ରେନ୍‌ ଚିହ୍ନଟ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

Share