Advertisement

‘ପାକିସ୍ତାନରେ ବଢ଼ିବ ସଂକ୍ରାମକ ରୋଗ’

ଓ୍ବାଶିଂଟନ,୭ା୯: ଭୟଙ୍କର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ସଂଘର୍ଷ କରୁଥିବା ବେଳେ ରେକର୍ଡ ବର୍ଷା ଯୋଗୁ ଦେଶରେ ଅବସ୍ଥା ବିଗିଡ଼ିବା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି। ପୂର୍ବ ଭୂମଧ୍ୟସାଗର ପାଇଁ ଡବ୍ଲ୍ୟୁଏଚ୍‌ଓର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଅହମ୍ମଦ ଅଲ୍‌-ମନ୍ଧାରୀ ପାକିସ୍ତାନରେ ହୋଇଥିବା ବନ୍ୟା ସମ୍ପର୍କରେ କହିଛନ୍ତି, ଭୟଙ୍କର ମୌସୁମୀ ବନ୍ୟା ପରି ପାକିସ୍ତାନବାସୀ ସମ୍ମୁଖୀନ ହେଉଥିବା ମାନବିକ ସଙ୍କଟକୁ ଆମେ ଅତି ନିକଟରୁ ବିଚାର କରୁଛୁ। ୫ ସେପ୍ଟେମ୍ବରରେ ପ୍ରକାଶିତ ଏକ ପ୍ରେସ ବିବୃତ୍ତିରେ ଡକ୍ଟର ଅଲ୍‌-ମନ୍ଧାରୀ କହିଛନ୍ତି, ବନ୍ୟା ଯୋଗୁ ବର୍ତ୍ତମାନର କ୍ଷୟକ୍ଷତି ଏବଂ ବିନାଶର ସ୍ତର ପାକିସ୍ତାନରେ କେବେ ଦେଖାଯାଇ ନ ଥିଲା। ଦୀର୍ଘକାଳୀନ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ଅଧିକ ଭୟଙ୍କର ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ପାନୀୟ ତଥା ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପାଇଁ ଅସୁରକ୍ଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏହା ଭୟଙ୍କର ସଂକ୍ରାମକ ରୋଗ ସୃଷ୍ଟି କରିବ ବୋଲି ଡବ୍ଲ୍ୟୁଏଚ୍‌ଓ ଚେତାବନୀ ଦେଇଛି। ଏପରିକି ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ, ଟାଇଫଏଡ୍‌, ମିଳିମିଳା, ଲାଇସମାନିଆସିସ୍‌ ପରି ରୋଗ ବ୍ୟାପୀ ପାରେ। ପୋଲିଓ ଏବଂ କରୋନା ମହାମାରୀ ପରି ରୋଗ ବ୍ୟାପିପାରେ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share