Categories: ଜାତୀୟ

ପୁଞ୍ଚ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ, ୨ ଗିରଫ…

ଶ୍ରୀନଗର,୯।୪ : ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ସୁରକ୍ଷା ବାହିନୀ ଶନିବାର ଏବଂ ରବିବାର ବିଳମ୍ବିତ ରାତିରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ପାରରୁ କିଛି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଯବାନଙ୍କ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଆତଙ୍କବାଦୀମାନେ ସେନା ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସେନା ଯବାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା।

ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଜୀବନ୍ତ ଧରାପଡିଛନ୍ତି। ତେବେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ କୌଣସି ଅସ୍ତ୍ର ଜବତ କରାଯାଇ ନାହିଁ। ସେନା ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେଶନ ଜାରି ରଖିଛି। ଧରାପଡିଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଯବାନମାନେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଆତଙ୍କବାଦୀଙ୍କ ନିକଟରୁ ଏକ ବଡ ବ୍ୟାଗ ଜବତ କରାଯାଇଛି। ସେନା ଏବଂ ପୋଲିସ ମିଳିତ ଭାବେ ଆତଙ୍କବାଦୀଙ୍କୁ ପଚରାଉଚରା କରୁଛନ୍ତି।

Share