ବେଜିଂ,୭।୧୨: ଚାଇନା ପୁଣି ଥରେ ତାଇଓ୍ବାନ ଉପରେ ନିଜର ଦାଦାଗିରି ଆରମ୍ଭ କରିଛି। ତାଇୱାନର ଆକାଶ ମାର୍ଗ ସୀମାରେ ଚାଇନାର ୪ ଯୁଦ୍ଧ ବିମାନ ପୁଣି ଅନୁପ୍ରବେଶ କରିଛି। ଚାଇନା ଏଭଳି କରି ତାଇଓ୍ବାନକୁ ଭୟଭୀତ କରିବାକୁ ଚେଷ୍ଟା କରିଛି। ଚାଇନାର ସାମରିକ ବିମାନ ତାଇୱାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ (ଆଡିଜ) ରେ ଅନୁପ୍ରବେଶ କରିଛି । ତେବେ ତାଇୱାନ ମଧ୍ୟ ଏହାର ପାଲଟା ଜବାବ ଦେଇଛି।
ଯାହା ପରେ କିଛି ସମୟ ମଧ୍ୟରେ ଚାଇନା ଯୁଦ୍ଧ ବିମାନଗୁଡ଼ିକ ପଳାଇ ଯାଇଥିଲା। ତାଇୱାନ ଗଣମାଧ୍ୟମ ଅନୁଯାୟୀ, ତାଇୱାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ପିପୁଲ୍ସ ଲିବରେସନ ଆର୍ମି ବାୟୁସେନାର ୨ଟି ଶେଙ୍ଗୟାଙ୍ଗ ଜେ-୧୧ ଯୁଦ୍ଧ ବିମାନ, ଗୋଟିଏ ଶାନକ୍ସି ଓ୍ବାଇ-୮ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ ବିମାନ ଏବଂ ଗୋଟିଏ ଶାନସି ଓ୍ବାଇ-୮ ଟୋହି ବିମାନ ଉଡ଼ାଣ ଆରମ୍ଭ କରିଛି।
ଚଳିତ ମାସରେ ଇତିମଧ୍ୟରେ, ଚାଇନାର ୧୩ଟି ସାମରିକ ବିମାନ ତାଇୱାନରେ ଅନୁପ୍ରବେଶ କରିଛି। ତାଇୱାନ ନ୍ୟୁଜ ରିପୋର୍ଟ ଅନୁଯାୟୀ ସେଥିମଧ୍ୟରେ ସାତୋଟି ସ୍ପଟର୍ ପ୍ଲେନ ଏବଂ ୬ଟି ଯୁଦ୍ଧ ବିମାନ ରହିଛି।