ପଟ୍ଟାଙ୍ଗି, ୪।୫(ଡି.ଏନ୍.ଏ.): ଓଡ଼ିଶାର ସୀମାନ୍ତ ଗ୍ରାମରେ ପୁଣି ଆନ୍ଧ୍ର ରାଜ୍ୟର ଉଚ୍ଚ ପଦାଧିକାରୀଙ୍କ ଅନୁପ୍ରବେଶ। ସୋମବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନା ଦୋରା ଆସି ବିଭିନ୍ନ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା ଫେରିଥିଲେ। ବୁଧବାର ଆନ୍ଧ୍ର ପାର୍ବତୀପୁରମ୍ ଜିଲାର ଆଇଟିଡିଏ ପିଓ ସି.ବିଷ୍ଣୁ ଚରଣ ଏବଂ ଆସିଷ୍ଟାଣ୍ଡ ପ୍ରୋଜେକ୍ଟ ଡାଇରେକ୍ଟର ଓ୍ବାଇ ସତ୍ୟାମ୍ ନାଇଡୁ ଓ ଅନ୍ୟ ଅଧିକାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମ ଗସ୍ତରେ ଆସିଛନ୍ତି। ସେମାନେ ଫାଟୁସିନେରି ଗ୍ରାମରେ ପହଞ୍ଚତ୍ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ସହ ଆଲୋଚନାକରି ଗ୍ରାମର ଚାଷୀଙ୍କ ଦ୍ୱାରା ଉତ୍ପାଦିତ ହଳଦୀ ଦେଖିଥିଲେ। ଉକ୍ତ ହଳଦୀ କିପରି ଉଚିତ ମୂଲ୍ୟରେ ଆନ୍ଧ୍ର ବଜାରରେ ବିକ୍ରି ହୋଇପାରିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି। ଏ ନେଇ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନାକରି ଚାଷୀ ଯେପରି ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେଥିପ୍ରତି ଧ୍ୟାନଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ଉକ୍ତ ପଞ୍ଚାୟତ ସୀମାନ୍ତ ଗ୍ରାମ ଓ ପଞ୍ଚାୟତକୁ ଆନ୍ଧ୍ର ରାଜ୍ୟର ପଦାଧିକାରୀ ରାଜନେତା ବାରମ୍ବାର ଅନୁପ୍ରବେଶ କରୁଛନ୍ତି। କୋରାପୁଟ ଜିଲା ଓ ପଟ୍ଟାଙ୍ଗି ପ୍ରଶାସନର କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନ ଥିବା ପରିଲକ୍ଷିତ ହେଉଛି। ସୀମାନ୍ତ ଗ୍ରାମରେ ଉନ୍ନତୀକରଣ ଜାରି ରହିଥିବା ଦର୍ଶାଇ ଓଡ଼ିଶାର ପଦାଧିକାରୀମାନେ ରାଜ୍ୟ ସରକାରଙ୍କ ପାଖରେ ବାହାବା ନେଉଥିବା ବେଳେ ସେପଟେ ଆନ୍ଧ୍ରର ଉଚ୍ଚ ପଦାଧିକାରୀ ଅନୁପ୍ରବେଶକରି ନିଜ ଉପସ୍ଥିତ ଜାରି ରଖିଛନ୍ତି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।