Categories: ରାଜ୍ୟ

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୧୭ଟି ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୨୯ା୬: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଶନିବାର ଓ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ଭୁବନଶ୍ୱେର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଜି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷା ହେବ । ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସେହିସବୁ ଜିଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ନିର୍ଦ୍ଦେଶ ଦେଇଛନ୍ତି ।

ମତ୍ସ୍ୟଜୀବୀମାନଙ୍କୁ ଆଗାମୀ ୩ ଦିନ ଯାଏ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ୧୦ଟି ସ୍ଥାନରେ ପ୍ରବଳ ବର୍ଷା ଓ ୩ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

ସେହିପରି ରାଜ୍ୟରେ ୬୦ ଦଶମିକ ୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଚଳିତ ଜୁନ୍‍ ପହିଲାରୁ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୪୧ ଦଶମିକ ୩ ମିଲିମିଟର ବର୍ଷା ହୋଇଯାଇଛି । ଏହି ସମୟ ମଧ୍ୟରେ ୨୦୧ ଦଶମିକ ୪ ମିଲିମିଟର ବର୍ଷା ଆକଳନ କରାଯାଇଥିଲା । ତେବେ ରାଜ୍ୟର ଗୋଟିଏ ଜିଲାରେ ସର୍ବାଧିକ ପରିମାଣ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ସାଧାରଣ ଓ ଦୁଇଟି ଜିଲାରେ ସାଧାରଣରୁ ସାମାନ୍ୟ ଅଧିକ ବର୍ଷା ହୋଇଛି । ୧୭ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବିଭାଗ କହିଛି ।

Share