ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ନିୟମର ସେକ୍ସନ ୨୦(୧)ଅନୁସାରେ ୨୫ ହଜାର ଟଙ୍କା ଜରିମାନା ରେ ଦଣ୍ଡିତ କରିଛନ୍ତି l ଗତ ୨ ଏପ୍ରିଲ ୨୦୨୪ ରେ ଉକ୍ତ ଆଦେଶ ପ୍ରକାଶ ପାଇଛି l ସେକେଣ୍ଡ ଅପିଲ ନଂ ୧୦୬୧/୨୦୨୩ ଅଟେ l ଆଦେଶ ପାଇବାର ଏକ ମାସ ମଧ୍ୟରେ ଉକ୍ତ ଟଙ୍କା ଜମା କରିବାକୁ ନିର୍ଦେଶରେ ଉଲ୍ଲେଖ ରହିଛି l ଏଥିରୁ ବ୍ୟତିକ୍ରମ ହେଲେ ଜନ ସୂଚନା ଅଧିକାରୀଙ୍କ ଦରମା କିମ୍ବା ପେନସ ରୁ କିସ୍ତି କରି ୫ ମାସ ରେ ଉକ୍ତ ଟଙ୍କା ଆଦାୟ ହେବ l ଏ ବାବଦରେ ହାଟଡିହୀ ବିଡ଼ିଓ ପଦକ୍ଷେପ ନେଇ କମିଶନ ରେଜିଷ୍ଟାରଙ୍କୁ ଜଣାଇବେ ବୋଲି ନିର୍ଦେଶ ମଧ୍ୟ ରହିଛି l ଆହୁରି ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୂଚନା କମିଶନ ତରଫରୁ କେନ୍ଦୁଝର ଜିଲାପାଳଙ୍କୁ ଉକ୍ତ ଆଦେଶନାମା ପଠାଯାଇଛି।
ସୂଚନାଯୋଗ୍ୟ, ହାଟଡିହୀ ବ୍ଲକ ସମ୍ପର୍କିତ ଏକ ସୂଚନା ନିମନ୍ତେ ଜଣେ ବ୍ୟକ୍ତି ୪ ନଭେମ୍ବର ୨୦୨୨ରେ ସୂଚନା ଅଧିକାର ବଳରେ ଆବେଦନ କରିଥିଲେ। କିନ୍ତୁ କୌଣସି ସୂଚନା ପ୍ରଦାନ ହେଲାନି। ଫଳରେ ଅପିଲେଟ ଅଧିକାରୀ ତଥା ବିଡ଼ିଓଙ୍କ ନିକଟରେ ପ୍ରଥମ ଅପିଲ ହୋଇଥିଲା l ତଥାପି ସୂଚନା ମିଳିଲାନି। ଫଳରେ ଓଡିଶା ସୂଚନା କମିଶନଙ୍କ ନିକଟରେ ଦିତୀୟ ଅପିଲ ହୋଇଥିଲା l ୧୮ ଜାନୁୟାରୀ ୨୦୨୪ ରେ ପ୍ରଥମ ଶୁଣାଣି ହୋଇଥିଲା l କିନ୍ତୁ ପ୍ରଥମ ଅପିଲେଟ ଅଧିକାରୀ ତଥା ବିଡ଼ିଓ ଏବଂ ଜନ ସୂଚନା ଅଧିକରୀ ଅନୁପସ୍ଥିତ ଥିଲେ l ଏକ ମାସ ମଧ୍ୟରେ ସୂଚନା ପ୍ରଦାନ କରିବା ସହ ପରବର୍ତ୍ତୀ ଶୁଣାଣି ରେ ଉଭୟ ଅଧିକାରୀ ଜବାବ ଦାଖଲ ପାଇଁ ନିର୍ଦେଶ ଜାରି ହୋଇଥିଲା l ପରବର୍ତ୍ତୀ ଶୁଣାଣି ପାଇଁ ୨ ଏପ୍ରିଲ ୨୦୨୪କୁ ତାରିଖ ଧାର୍ଯ୍ୟ ହୋଇଥିଲା l କିନ୍ତୁ ଏହି ତାରିଖ କେହି ହାଜର ହୋଇ ନ ଥିଲେ କି କୌଣସି ପ୍ରକାରର ଜବାବ ପ୍ରଦାନ କରି ନଥି ଲେ l