Categories: ଖେଳ

‘ଜିଲାସ୍ତରରେ ଭିତ୍ତିଭୂମି ବିକାଶ ଅପରିହାର୍ଯ୍ୟ’

ଭୁବନେଶ୍ୱର,୨୬ା୪ (ସ୍ପୋଟର୍‌ସ ବ୍ୟୁରୋ): କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ହେଲେ ଜିଲାସ୍ତରରେ ସ୍ବଳ୍ପ ବ୍ୟୟରେ ଭିତ୍ତିଭୂମି ବିକାଶ ଅପରିହାର୍ଯ୍ୟ। ସମ୍ପ୍ରତି ଇମ୍ଫାଲଠାରେ କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ଏବଂ କ୍ରୀଡ଼ା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଆୟୋଜିତ ଦୁଇ ଦିନିଆ ସମ୍ମିଳନୀ ‘ଚିନ୍ତନ ଶିବିର’ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଭାଗୀୟ ସଚିବ ଭିନିଲ କ୍ରିଷ୍ଣା ମତବ୍ୟକ୍ତ କରିଥିଲେ। ‘ଚିନ୍ତନ ଶିବିର’ରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ବେହେରା କହିଥିଲେ ଯେ, ରାଜ୍ୟରେ କ୍ରୀଡ଼ା ଇକୋସିଷ୍ଟମର ସାମଗ୍ରିକ ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଅନନ୍ୟ ଭାଗୀଦାରି ହାଇପରଫର୍ମାନ୍ସ ସେଣ୍ଟର ଏବଂ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ସହ ପାର୍ଟନରଶିପ୍‌ରୁ ପ୍ରତିଫଳିତ ହେଉଛି।
ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ (୨୦୧୮, ୨୦୨୩), ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌, ସାଫ୍‌ ୨୦ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ଭଳି ବଡ଼ ବଡ଼ ଅନ୍ତର୍ଜାତୀୟ ଓ ଜାତୀୟ ଇଭେଣ୍ଟ ସମେତ ଅନ୍ୟ କ୍ରୀଡ଼ାର ସଫଳ ଆୟୋଜନ ଦ୍ୱାରା ଓଡ଼ିଶା ଏକ ସ୍ପୋଟର୍‌ସ ହବ୍‌ରେ ପରିଣତ ହୋଇପାରିଛି। ସେ କହିଥିଲେ, ଭାରତକୁ ଏକ କ୍ରୀଡ଼ା ସୁପରପାଓ୍ବାର ଭାବେ ଗଢ଼ିତୋଳିବାକୁ ହେଲେ ଦେଶରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିବାକୁ ହେବ। ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ହେବ। ‘ଚିନ୍ତନ ଶିବିର’ରେ ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ନାଗାଲାଣ୍ଡ, ମଣିପୁର, ପଶ୍ଚିମବଙ୍ଗ ଏବଂ ମେଘାଳୟକୁ ନେଇ ଗଠିତ ଗ୍ରୁପ୍‌ର ନେତୃତ୍ୱ ନେଇଥିଲେ। ସେ କ୍ରୀଡ଼ା ଭିତ୍ତିଭୂମି ଓ କୋଚ୍‌ ବିକାଶ ଉପରେ ଆଲୋକପାତ କରିଥିଲେ। କ୍ରୀଡ଼ା ବିଜ୍ଞାନ, ତୃଣମୂଳସ୍ତରରେ ବିକାଶ, କୋଚ୍‌ ଶିକ୍ଷା କାର୍ଯ୍ୟକ୍ରମ ଏବଂ ବ୍ଲକ ଓ ଜିଲା ସ୍ତରରେ ସ୍ବଳ୍ବ ବ୍ୟୟରେ ଭିତ୍ତିଭୂମି ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ।

Share