ସ୍କୁଲ କ୍ରୀଡ଼ାରେ ଭିତ୍ତିଭୂମି ବାଧକ

କ୍ରୀଡ଼ା ଜରିଆରେ ଓଡ଼ିଶାର ଛାତ୍ରୀଛାତ୍ରମାନଙ୍କ ବ୍ୟକ୍ତିତ୍ୱ ବିକାଶ କରିବା ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ। ସରକାର ସବୁବେଳେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରର ଉତ୍କର୍ଷ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ସେଥିପାଇଁ ଭାରତରେ ଓଡ଼ିଶା ଏକ ବୃହତ୍‌ କ୍ରୀଡ଼ା ହବ୍‌ ଭାବେ ଉଭା ହୋଇଛି। ଏହି ସଫଳତାକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଗତ ମେ ୨୪ ତାରିଖରେ ‘ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା’ ଆରମ୍ଭ କରିଥିଲେ। ଏହାଦ୍ୱାରା ପାଠଶାଳାରୁ ଅଲିମ୍ପିକ୍ସ ପ୍ରସ୍ତୁତି ହେବ। ଛାତ୍ରୀଛାତ୍ର ସ୍କୁଲ ସମୟରୁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ। ସ୍କୁଲରେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ ସ୍କୁଲରେ ଏହି ଯୋଜନା ଆରମ୍ଭ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରାଜ୍ୟର ଅନ୍ୟ ସ୍କୁଲରେ କାର୍ଯ୍ୟକାରୀ କରାଯିବ। କିନ୍ତୁ ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟ ଆଗରେ ଭିତ୍ତିଭୂମି ଅଭାବ ବାଧକ ସାଜିଛି। ସରକାର ସ୍କୁଲରେ ଖେଳକୁଦ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି ସତ, ହେଲେ ଖେଳପଡ଼ିଆ ଉପଲବ୍ଧ କରାଇବା ଏବଂ କ୍ରୀଡ଼ା ଶିକ୍ଷକ ପଦବୀ ପୂରଣ କରିବାରେ ସଫଳ ହୋଇପାରି ନାହାନ୍ତି। ଏଥିପାଇଁ ରାଜ୍ୟର ବହୁ ସ୍କୁଲରେ ପିଲାମାନେ ଖେଳକୁଦରୁ ବଞ୍ଚତ୍ତ ହେଉଛନ୍ତି।

ଜଗତ୍‌ସିଂହପୁର/ ଭୁବନେଶ୍ୱର/ନବରଙ୍ଗପୁର/ଯାଜପୁର/ ସୁନ୍ଦରଗଡ଼/ନୟାଗଡ଼, ୩ା୧୧: ରାଜ୍ୟରେ ମୋଟ ୨୭,୬୩୯ ସରକାରୀ ପ୍ରାଥମିକ, ୧୬,୫୩୮ ଉଚ୍ଚ ପ୍ରାଥମିକ ଏବଂ ୫,୭୮୩ ହାଇସ୍କୁଲ ରହିଛି। ୨୦୨୨-୨୩ରେ ଏହି ସବୁ ସରକାରୀ ସ୍କୁଲକୁ ମୋଟ ୪୪ କୋଟି ୮୧ ଲକ୍ଷ ୫୦ ହଜାର ଟଙ୍କା ଯୋଗାଇ ଦିଆଯାଇଛି। ୨୦୨୧-୨୨ରେ ଏହି ଅନୁଦାନ ପରିମାଣ ଥିଲା ୪୬ କୋଟି ୩୪ ଲକ୍ଷ ୬୦ ହଜାର ଟଙ୍କା। ୨୦୨୧ ଡିସେମ୍ବର ୧ ସୁଦ୍ଧା ରାଜ୍ୟର କେବଳ ସରକାରୀ ହାଇସ୍କୁଲଗୁଡ଼ିକରେ ୧,୨୧୮ କ୍ରୀଡ଼ା ଶିକ୍ଷକ ପଦବୀ ଖାଲିପଡ଼ିଥିଲା। ଏ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକର ଖେଳପଡ଼ିଆ ଅଭାବ ଦୂର କରାଯାଇ ପାରିନାହିଁ। ରାଜ୍ୟ ସାରା ଏଭଳି ସ୍ଥିତି ଥିବାବେଳେ ଜଗତ୍‌ସିଂହପୁର, ସୁନ୍ଦରଗଡ଼, ନବରଙ୍ଗପୁର, ନୟାଗଡ଼ ଏବଂ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜଗତ୍‌ସିଂହପୁର ଜିଲାରେ ମୋଟ ୯୬୪ ସରକାରୀ ବିଦ୍ୟାଳୟ (ପ୍ରାଥମିକରୁ ଉଚ୍ଚ)ର ଛାତ୍ରୀଛାତ୍ରଙ୍କ ପାଇଁ କ୍ରୀଡ଼ା ଅନୁଦାନ ବାବଦରେ ବାର୍ଷିକ ୯୩,୭୫,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ ବାସ୍ତବରେ ୯୦୦ରୁ ଅଧିକ ବିଦ୍ୟାଳୟର ନିଜସ୍ବ ଖେଳପଡ଼ିଆ ନାହିଁ। କେତେକ ସ୍କୁଲର ଛାତ୍ରୀଛାତ୍ର ନିକଟସ୍ଥ ସରକାରୀ ଜମିକୁ ଖେଳପଡ଼ିଆ ଭାବେ ବ୍ୟବହାର କରୁଛନ୍ତି। ଏତିକି ନୁହେଁ, ଜିଲାରେ ୧୯ କ୍ରୀଡ଼ା ଶିକ୍ଷକ (ପିଇଟି) ପଦବୀ ଖାଲିପଡ଼ିଛି। ଏଭଳିସ୍ଥିତିରେ ଅନୁଦାନ ରାଶି କିପରି ବିନିଯୋଗ ହେଉଥିବ ତାହା ସହଜେ ଅନୁମେୟ। ଏହି ପ୍ରସଙ୍ଗକୁ ନେଇ ଅନିୟମିତତାର ଗନ୍ଧ ବାରି ହୋଇଛି। ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ କିଛି ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି।

ଜିଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ପ୍ରାଥମିକ ୫୧୨, ଉଚ୍ଚ ପ୍ରାଥମିକ ୨୯୯ ଓ ହାଇସ୍କୁଲ ସଂଖ୍ୟା ୧୫୩ ରହିଛି। ସେଥିମଧ୍ୟରୁ ୧୦୩ଟି ହାଇସ୍କୁଲରେ ଖେଳିବା ପାଇଁ ଆଦୌ ସୁଯୋଗ ନାହିଁ। ଅବଶିଷ୍ଟ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମ ସରକାରୀ ଜମିରେ ଖେଳକୁଦ କରୁଥିବା ଦର୍ଶାଯାଇଛି। ହେଲେ କେଉଁଠି ଖେଳୁଛନ୍ତି ତାହାର କୌଣସି ସ୍ପଷ୍ଟ ଚିତ୍ର ବିଭାଗ ପାଖରେ ନାହିଁ। ଏଣେ ସରକାରୀ ନିଷ୍ପତ୍ତି ମୁତାବକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପିଛା ବାର୍ଷିକ ୫,୦୦୦, ଉଚ୍ଚ ପ୍ରାଥମିକ ୧୦,୦୦୦ ଓ ଉଚ୍ଚ ବିଦ୍ୟାଳୟ ପିଛା ୨୫,୦୦୦ ଟଙ୍କା ଲେଖାଏ ଅନୁଦାନ ଯୋଗାଇ ଦିଆଯାଉଛି। ଏହାବାଦ୍‌ ଅନ୍ୟ ଯୋଜନାରେ ମଧ୍ୟ ବିଦ୍ୟାଳୟ ଖେଳପଡ଼ିଆର ଉନ୍ନତୀକରଣ ଓ ଉପକରଣ କିଣା ଆଦି ପାଇଁ ଅର୍ଥ ବିନିଯୋଗ ହେଉଛି। କ୍ରୀଡ଼ା ଅନୁଦାନରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ୨୦, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକ ୨୨ ପ୍ରକାର ଲେଖାଏ କ୍ରୀଡ଼ା ଉପକରଣ କିଣିବା ସୁଯୋଗ ରହିଛି। ବାସ୍ତବରେ ଏସବୁ କିଣାଯାଉଛି କି ନାହିଁ ତାହା ଅନୁଧ୍ୟାନସାପେକ୍ଷ। ଜଗତ୍‌ସିଂହପୁର ସହର ନିକଟ ବଡ଼ବାଗ ଗାଁରେ ଥିବା ୧୦୦ ବର୍ଗ ମିଟର ପଡ଼ିଆକୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଭାବେ ବ୍ୟବହାର କରାଯାଉଛି। ଉକ୍ତ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ ପାତ୍ର ଓ ଛାତ୍ର ଅଂଶୁମାନ୍‌ ସାହୁ କହିଛନ୍ତି, ଖେଳପଡ଼ିଆ ନ ଥିବାରୁ ବିଦ୍ୟାଳୟ ପରିସର ଫାଙ୍କା ସଂକୀର୍ଣ୍ଣ ସ୍ଥାନରେ ସେମାନେ ଖେଳୁଛନ୍ତି।

ତେଣୁ ସ୍ଥାୟୀ ଖେଳପଡ଼ିଆ ଆବଶ୍ୟକ। ଏନେଇ ପ୍ରଧାନଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଓ ଜିଲାପାଳଙ୍କ ପକ୍ଷରୁ ୩ା୧୧ା୨୧ରେ ଖେଳ ପଡ଼ିଆ ସମ୍ପର୍କିତ ଚିଠି ହସ୍ତଗତ ହୋଇଛି। ଚିଠି ପାଇ ସେ ବିଦ୍ୟାଳୟଠାରୁ ପାଖାପାଖି ୧ କିଲୋମିଟର ଦୂର ୧ ଏକର ଜମି ବିଦ୍ୟାଳୟ ନାମରେ କରିବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ୧୧ା୨ା୨୨ରେ ଚିଠି କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ରେକର୍ଡ ହୋଇନାହିଁ ବୋଲି ରାଉତ କହିଛନ୍ତି। ଏନେଇ ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ଦେଖାଦେଇଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି।

ନବରଙ୍ଗପୁର ଜିଲାରେ ୨୦୨୧ ସୁଦ୍ଧା ୧୮୮ ସରକାରୀ ହାଇସ୍କୁଲ, ୟୁଜି ହାଇସ୍କୁଲ, ଗ୍ରାଣ୍ଟ ଓ ନୂତନ ଗ୍ରାଣ୍ଟ ହାଇସ୍କୁଲ ରହିଛି। ସେଥିମଧ୍ୟରୁ ୧୦୯ ହାଇସ୍କୁଲର ନିଜସ୍ବ ଖେଳପଡ଼ିଆ ରହିଛି। ଗୋଟିଏ ହାଇସ୍କୁଲର ଖେଳପଡ଼ିଆ ଗୋଚର ଜମିରେ ରହିଛି। ୭୯ ହାଇସ୍କୁଲର ନିଜସ୍ବ ଖେଳପଡ଼ିଆ ନ ଥିବାରୁ ଜମି ପାଇଁ ସମ୍ପୃକ୍ତ ବ୍ଲକର ତହସିଲଗୁଡ଼ିକରେ ଆବେଦନ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ପ୍ରୋସେସ୍‌ରେ ରହିଥିବାବେଳେ ଅନ୍ୟଗୁଡ଼ିକ ଆବେଦନରେ ସୀମିତ ଅଛି। ୨୦୨୧ ସୁଦ୍ଧା ଜିଲାର ୧୮୫ ହାଇସ୍କୁଲ ମଧ୍ୟରୁ ୧୬୩ଟିରେ କ୍ରୀଡ଼ା ଶିକ୍ଷକ ପଦବୀ ପାଇଁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ୩୮ ହାଇସ୍କୁଲରେ କ୍ରୀଡ଼ା ଶିକ୍ଷକ ପଦବୀ ଖାଲି ପଡ଼ିଛି। ଗ୍ରାଣ୍ଟ, ନୂତନ ଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକରେ ଖେଳ ଶିକ୍ଷକ ଅଛନ୍ତି। ଜିଲାରେ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ ସମଗ୍ର ଶିକ୍ଷା ଅଭିଯାନ ଜିଲା କାର୍ଯ୍ୟାଳୟରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଖେଳ ଉପକରଣ ପାଇଁ ଅନୁଦାନ ପ୍ରଦାନ କରାଯାଇଥିଲେ ମଧ୍ୟ ଏଯାଏ ୟୁସି କୌଣସି ବିଦ୍ୟାଳୟକୁ ବ୍ଲକସ୍ତରରୁ ଜିଲାସ୍ତରକୁ ଆସି ପହଞ୍ଚତ୍ ନାହିଁ। ୨୦୨୨-୨୩ ବର୍ଷରେ ୧୬୧୮ ପ୍ରାଥମିକ ବିଦ୍ୟାଳୟକୁ ୫ହଜାର, ୫୩୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଏବଂ ୧୮୨ ହାଇସ୍କୁଲକୁ ୨୫ ହଜାର ଟଙ୍କା ଲେଖାଏ ମୋଟ ୧୮ଶହ ବିଦ୍ୟାଳୟକୁ ୧ କୋଟି ୫୩ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

ଯାଜପୁର ଜିଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୨୭ ସ୍କୁଲ ରହିଛି। ହେଲେ ସେଥିରୁ ୧୦୬୨ ସ୍କୁଲରେ ଖେଳପଡ଼ିଆ ନାହିଁ। ସେହିପରି ୪୨୨ ହାଇସ୍କୁଲ ମଧ୍ୟରୁ ୨୬୫ଟିର ଛାତ୍ରୀଛାତ୍ର ପଡ଼ିଆ ଅଭାବରୁ ଖେଳରୁ ବଞ୍ଚିତ ରହିଛନ୍ତି। ଶିକ୍ଷାକ୍ଷେତ୍ରରେ ପିଲାଙ୍କ ଶାରୀରିକ ବିକାଶ କରି କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଖେଳପଡ଼ିଆ ନ ଥିବା ଦୁର୍ଭାଗ୍ୟଜନକ। ଏନେଇ ୨୦୧୯ରେ ଆଶିଷ ଖଇତାନ ନାମକ ଜଣେ ବ୍ୟକ୍ତି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ରେ ଏକ ମାମଲା ରୁଜୁ କରିଥିଲେ। ଏହା ଉପରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ତତ୍କାଳୀନ ଯୁଗ୍ମ ସଚିବ ନିବେଦିତା ମିଶ୍ର ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏବଂ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାଏ ଉପରୋକ୍ତ ସମସ୍ୟାର ସମାଧାନ ହୋଇ ପାରିନାହିଁ। ବରଂ କେତେକ ସ୍କୁଲରେ ଥିବା ଖେଳ ପଡ଼ିଆ ଜବରଦଖଲକାରୀଙ୍କ କବଜାକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏଠାରେ ଯାଜପୁର ଜିଲା ବ୍ୟାସନଗର ନରସିଂହ ଚୌଧୁରୀ(ଏନ୍‌ସି) ହାଇସ୍କୁଲକୁ ଉଦାହରଣ ଭାବେ ନିଆଯାଇପାରେ। ୧୯୪୫ରେ ପ୍ରତିଷ୍ଠିତ ଏହି ହାଇସ୍କୁଲର ୧୭.୪୬ ଏକର ଜମି ରହିଛି। ହେଲେ ଏହାର କିଛି ଜମିକୁ କେତେଜଣ ଜବରଦଖଲକାରୀଙ୍କୁ ଟେକି ଦେଇ ରାଜନୈତିକ ଦଳ ଭୋଟବ୍ୟାଙ୍କ କରିଛନ୍ତି। ଫଳରେ ଏହି ହାଇସ୍କୁଲ ଖେଳପଡ଼ିଆର ବିକାଶ ତ ଦୂରର କଥା, ଏବେ ତାହା ଖୋଲା ପାଇଖାନା ପାଲଟିଛି। ରାଜ୍ୟ ସରକାର ବିଭିନ୍ନ ଖେଳପଡ଼ିଆକୁ ମିନି ଷ୍ଟାଡିୟମ ରୂପ ଦେଉଥିବାବେଳେ ଏନ୍‌ସି ହାଇସ୍କୁଲ ପଡ଼ିଆ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି।

ସୁନ୍ଦରଗଡ ଜିଲାରେ ୨୫୬ ସରକାରୀ ଏବଂ ୧୨୮ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ରହିଛି। ମୋଟି ୩୮୪ ହାଇସ୍କୁଲ ମଧ୍ୟରେ ୨୬୫ ସ୍କୁଲର ଖେଳପଡ଼ିଆ ରହିଛି। ସେହିପରି ମୋଟ ୧୮୩ ମଞ୍ଜୁରୀପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ମଧ୍ୟରୁ ୮ଟି ପଦବୀ ଖାଲି ରହିଛି। ଖେଳ ଉପକରଣ କିଣିବା ପାଇଁ ସରକାର ଦେଉଥିବା ଅନୁଦାନ ନୟାଗଡ଼ ଜିଲାରେ ଠିକ୍‌ ବିନିଯୋଗ ହେଉନାହିଁ ବୋଲି ଜିଲା ପରିଷଦ ବୈଠକରେ କ୍ଷୋଭ ପ୍ରକାଶ ପାଇଆସିଛି। ଖେଳ ଅନୁଦାନରେ ଦୁର୍ନୀତି ଚାଲିଥିବାବେଳେ ଏହା କେତେଜଣଙ୍କ ପାଇଁ ଲାଭବାନ ହୋଇଛି ବୋଲି କୁହାଯାଉଛି। ଗୋଟିଏ ଗୋଟିଏ ଖେଳ ଉପକରଣକୁ ୩ଥର ଲେଖାଏ ବିଲ୍‌ କରାଯାଉଛି। ନୟାଗଡ଼ ଜିଲାରେ ୧୧୦୦ ପ୍ରାଥମିକ ଏବଂ ୬୦୭ ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି। ସେହିପରି ୧୪୦ ସରକାରୀ ଏବଂ ୭୩ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ରହିଛି। ଏଥିମଧ୍ୟରୁ ୧୩୦ ହାଇସ୍କୁଲର ଖେଳପଡ଼ିଆ ନ ଥିବାବେଳେ ୩୪ ସ୍କୁଲରେ ଖେଳ ଶିକ୍ଷକ ନାହାନ୍ତି। ପ୍ରାଥମିକ ସ୍କୁଲରେ ଅବସ୍ଥା ଆହୁରି ଖରାପ। ହେଲେ ଏ ଦିଗରେ ସମୀକ୍ଷା ହେଉ ନଥିବାରୁ ଅସନ୍ତୋଷ ବଢ଼ି ଚାଲିଛି। ଏନେଇ ଜିଲା ପରିଷଦର ଶିକ୍ଷା ଷ୍ଟାଣ୍ଡିଂ କମିଟି ନଂ. ୭ର ଅଧ୍ୟକ୍ଷ ରାମେଶ୍ୱର ଶତପଥୀ କୁହନ୍ତି, ସ୍କୁଲରେ ଖେଳ ଶିକ୍ଷକ ଅଭାବ ସାଙ୍ଗକୁ ଖେଳିବାକୁ ପଡିଆ ନାହିଁ। କେତେକ ସ୍କୁଲରେ ପଡ଼ିଆ ଥିଲେ ମଧ୍ୟ ଖେଳକୁଦ ପାଇଁ ଛାତ୍ରୀଛାତ୍ରଙ୍କୁ ସୁଯୋଗ ଦିଆଯାଉନାହିଁ। ତେଣୁ ସ୍କୁଲକୁ ଖେଳ ଅନୁଦାନ ଆସୁଥିଲେ ମଧ୍ୟ ଛାତ୍ରୀଛାତ୍ର ଉପକୃତ ହେଉ ନଥିବା ନେଇ ଜିଲା ପରିଷଦ ବୈଠକ ଓ ଶିକ୍ଷାର ଷ୍ଟାଣ୍ଡି କମିଟି ବୈଠକରେ ଆଲୋଚନା ହୋଇଛି। ଏପରିକି ଖେଳ ଅନୁଦାନରେ ଅନିୟମିତତା ହୋଇଥିବା ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ଏନେଇ ଉତ୍ତର ଦେଇ ନ ପାରିି ଅପଦସ୍ଥ ହୋଇଛନ୍ତି। ବିଶିଷ୍ଟ କ୍ରୀଡ଼ାବିତ୍‌ ଗୋଡିପଡାର ପୁରୁଷୋତ୍ତମ ମହାରଣା କୁହନ୍ତି, ପ୍ରାଥମିକ ସ୍କୁଲରେ ଖେଳକୁଦ କରାଯାଉ ନାହିଁ। ପଚାରିଲେ ଉତ୍ତର ମିଳୁଛି ସରକାର ଅନୁଦାନ ଦେଉନାହାନ୍ତି। କିଛି ହାଇସ୍କୁଲରେ ବର୍ଷକୁ କେବଳ ଫୁଟବଲଟିଏ ଧରାଇ କାମ ଶେଷ କରାଇ ଦେଉଛନ୍ତି। ଏଣୁ ଖେଳକୁଦ ଅନୁଦାନ କାମରେ ଲାଗି ପାରୁନି ବୋଲି ମହାରଣା କହିଛନ୍ତି।

କ୍ରୀଡ଼ା ଶିକ୍ଷକଙ୍କ ନିର୍ଦ୍ଦିଷ୍ଟ ଯୋଗ୍ୟତା ରହୁ: ସଂଘ
ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ(ବିପିଏଡ଼) ସଂଘ ସଭାପତି ଅମରେନ୍ଦ୍ର ସ୍ବାଇଁ କୁହନ୍ତି, କ୍ରୀଡ଼ାର ବିକାଶ କରିବା ପାଇଁ କୁହାଯାଉଛି, କିନ୍ତୁ ଭିତ୍ତିଭୂମି ସଜାଡ଼ିବାକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ସମସ୍ତ ବିଦ୍ୟାଳୟରେ ଖେଳପଡ଼ିଆ ଓ ଶିକ୍ଷକ ପଦବୀ ପୂରଣ କରିବା ଆବଶ୍ୟକ। ରାଜ୍ୟରେ ୫,୭୮୩ ସରକାରୀ ହାଇସ୍କୁଲ ସମେତ ମୋଟ ୮,୩୧୭ ହାଇସ୍କୁଲ ରହିଛି। ସେଥିରୁ ୨,୩୦୯ ସ୍କୁଲରେ କ୍ରୀଡ଼ା ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେହିଭଳି ଅର୍ଦ୍ଧାଧିକ ସ୍କୁଲରେ ଖେଳପଡ଼ିଆ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କ୍ରୀଡ଼ା ଶିକ୍ଷକଙ୍କ ନିର୍ଦ୍ଦିଷ୍ଟ ଯୋଗ୍ୟତା ଧାର୍ଯ୍ୟ କରାଯାଉ ନାହିଁ। ନ୍ୟାଶନାଲ କାଉନସିଲ ଫର୍‌ ଟିଚର ଏଜୁକେଶନ(ଏନ୍‌ସିଟିଇ) ନିୟମାନୁସାରେ ହାଇସ୍କୁଲରେ ବିପିଏଡ୍‌ ଯୋଗ୍ୟତାଧାରୀମାନେ କ୍ରୀଡ଼ା ଶିକ୍ଷକ ରହିବେ। ଏହା ଅନ୍ୟ ରାଜ୍ୟରେ ପାଳନ କରାଯାଉଥିଲେ ମଧ୍ୟ ଓଡ଼ିଶାରେ ତାହା ହେଉନାହିଁ। ଓଡ଼ିଶାରେ ଅନ୍ୟ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଏନ୍‌ସିଟିଇ ନିୟମ ପାଳନ କରାଯାଉଛି। କିନ୍ତୁ କ୍ରୀଡ଼ା ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ତାହା ଲାଗୁ କରାଯାଇ ନାହିଁ। ଯେତିକି ବି କ୍ରୀଡ଼ା ଶିକ୍ଷକ ନିଯୁକ୍ତି ହୋଇଛନ୍ତି, ସେଥିରେ ବିପିଏଡ୍‌ ଓ ସିପିଏଡ୍‌ ଯୋଗ୍ୟତାଧାରୀ ରହିଛନ୍ତି। ତେଣୁ ଯେଉଁ ସିପିଏଡ୍‌ ଯୋଗ୍ୟତାଧାରୀ କ୍ରୀଡ଼ା ଶିକ୍ଷକ ଅଛନ୍ତି, ସେମାନଙ୍କୁ ଗ୍ରୀଷ୍ମଛୁଟି ସମୟରେ ପ୍ରଶିକ୍ଷଣ ଦିଆଯାଇ ବିପିଏଡ୍‌ରେ ସାମିଲ କରାଯାଉ। ସମସ୍ତ ଶିକ୍ଷକଙ୍କୁ ବିପିଏଡ୍‌ଧାରୀ କରାଗଲେ କ୍ରୀଡ଼ାର ମାନ ବୃଦ୍ଧି ପାଇପାରିବ। ଅନ୍ୟପକ୍ଷରେ ବିଦ୍ୟାଳୟଗୁଡିକରେ କ୍ରୀଡ଼ା ପାଠ୍ୟପୁସ୍ତକ ରଖାଯିବା ଉଚିତ। ସ୍କୁଲ ପାଠ୍ୟକ୍ରମରେ କ୍ରୀଡ଼ା ପାଠ୍ୟପୁସ୍ତକ ଲାଗୁ କରିବା ପାଇଁ ତତ୍କାଳୀନ ଗଣଶିକ୍ଷା ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ୨୦୧୪ ମେ’ ୧୩ରେ ଏ ନେଇ ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିଲା। କିନ୍ତୁ ଏଯାବତ ତାହା ଲାଗୁ ହୋଇପାରିଲା ନାହିଁ ବୋଲି ଅମରେନ୍ଦ୍ର କହିଛନ୍ତି। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ୫-ଟି ଆଧାରରେ ସ୍କୁଲରେ ଖେଳପଡ଼ିଆ ରହିବା ପାଇଁ ଗୁରୁତ୍ୱ ଦିଆଯାଇଛି। ତେଣୁ କିଛି ସ୍କୁଲରେ ଖେଳପଡ଼ିଆ ଥିବା ବେଳେ ଆଉ କିଛି ସ୍କୁଲରେ ଖେଳପଡ଼ିଆ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିଭଳି ରାଜ୍ୟରେ ଏବେ ଶିକ୍ଷକ ପଦବୀ ପୂରଣକୁ ପ୍ରାଧାନ୍ୟ ଦିଆଯାଉଛି। ଖୁବ୍‌ଶୀଘ୍ର ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ପୂରଣ ହେବ। ଏହାପରେ ଖାଲି ପଡ଼ିଥିବା କ୍ରୀଡ଼ା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ନିଶ୍ଚିତ ଭାବେ ଆବଶ୍ୟକ ନିଷ୍ପତ୍ତି ନେବେ।

 

-ପ୍ରମୋଦ କୁମାର ନାୟକ, ଅସମାପିକା ସାହୁ, ସଦାଶିବ ପ୍ରହରାଜ, ହର୍ଷବର୍ଦ୍ଧନ ବେହେରା, ଜୟନାରାୟଣ ମେଣ୍ଡୁଳି, ଲୋକନାଥ ମିଶ୍ର

Share