କଟକ ଅଫିସ,୮।୫: ଚଳିତ ବର୍ଷର ମାଟ୍ରିକ ସମେଟିଭ-୨ ପରୀକ୍ଷା ଶନିବାର ଶେଷ ହୋଇଛି। ଶେଷଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଥିବାବେଳେ ଏଥିରେ କପି କରି ୪୩ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ମୋଟ୍ ୧୫୬ ଜଣ କପି କରି ଧରାପଡ଼ିଛନ୍ତି। ଆସନ୍ତା ୧୦ ତାରିଖରେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଶେଷ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଥିବାବେଳେ ଖାତାଦେଖା ଆସନ୍ତା ୨୦ କିମ୍ବା ୨୧ ତାରିଖରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।
ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୬ ହଜାର ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିବା ନେଇ ଚର୍ଚ୍ଚା ହେଉଛି ା ପ୍ରକୃତରେ କେତେ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି ସେ ନେଇ ବୋର୍ଡ ପାଖରେ ତଥ୍ୟ ନାହିଁ ବୋଲି ହାଜରା କହିଛନ୍ତି। ଏଥିସହ ସେ କହିଛନ୍ତି, ପରୀକ୍ଷା ପରିଚାଳନା ଆମ କାମ, ପିଲା ଫର୍ମ ପୂରଣ କଲେ ଆମେ ପରୀକ୍ଷା କରେଇବୁ। ପ୍ରକୃତରେ ସେ ଠିକ୍ ପିଲା କି ନୁହେଁ ତାହା ଯାଞ୍ଚ କରିବା ପାଇଁ ଆମର କୌଣସି ବ୍ୟବସ୍ଥା ନାହିଁ। ଯେଉଁମାନେ ଫର୍ମ ପୂରଣ କରିଥିଲେ ଆମେ ତାଙ୍କ ପାଇଁ ଆଡ୍ମିଟ କାର୍ଡ ଇସ୍ୟୁ କରିବା ସହ ପରୀକ୍ଷା ବନ୍ଦୋବସ୍ତ କରିଥିଲୁ। ତେବେ ପ୍ରକୃତରେ କେତେ ପିଲା ପରୀକ୍ଷା ଦେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଆଉ ଦିନେ ଦୁଇଦିନ ମଧ୍ୟରେ ଏନେଇ ସୂଚନା ମିଳିଯିବ। ନୋଡାଲ ସେଣ୍ଟରଗୁଡ଼ିକରୁ ଉତ୍ତର ଖାତା ଆସିବା ପରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟା କହିପାରିବୁ। ଏ ନେଇ ଗଣଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି। ଇଂଲିଶ, ଗଣିତ ଓ ସାମାଜିକ ବିଜ୍ଞାନ ବିଷୟରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ କରୁଥିବା ଅଭିଯୋଗର ତର୍ଜମା କରାଯିବ। କେବଳ ଇଂଲିଶ ବିଷୟର କିଛି ପ୍ରଶ୍ନକୁ ନେଇ ତ୍ରୁଟି ଥିବା ଜଣାପଡ଼ିଛି ବୋଲି ହାଜରା କହିଛନ୍ତି।
Posted inଆମ ଜିଲା ଖବର, କଟକ