Categories: ଜାତୀୟ

ପୋଲିସ ଲାଠିମାଡ଼ରେ ଆହତ ଚାଷୀଙ୍କ ମୃତ୍ୟୁ

ଚଣ୍ଡିଗଡ଼, ୩୦।୮: ହରିୟାଣାର କର୍ନଲ ଜିଲାରେ ଶନିବାର ପୋଲିସ ଲାଠିମାଡ଼ରେ ଆହତ ଜଣେ ଚାଷୀଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବରିଷ୍ଠ ବିକେୟୁ ନେତା ଗୁରନାମ୍‌ ସିଂ ଚାଡୁନି ଏହି ସୂଚନା ଦେଇଛନ୍ତି। ସୁଶୀଲ କାଜଲ ନାମକ ଉକ୍ତ ଚାଷୀ ୯ ମାସ ହେଲା ଚାଷୀ ଆନ୍ଦୋଳନରେ ସାମିଲ ହୋଇଆସିଥିଲେ। ଶନିବାର କର୍ନଲରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଭାଜପା ବୈଠକକୁ ଚାଷୀମାନେ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଟୋଲ ପ୍ଲାଜା ନିକଟରେ ଆନ୍ଦୋଳନରତ ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାଳନା କରିବାରୁ ସୁଶୀଲଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଚାଷୀ ଆହତ ହୋଇଥିଲେ। ଗୁରୁତର ଆହତ ସୁଶୀଲଙ୍କର ସେଦିନ ରାତିରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ତାଙ୍କ ବଳିଦାନକୁ ଚାଷୀକୁଳ ସବୁଦିନ ମନେରଖିବେ ବୋଲି ଚାଡୁନି ଟୁଇଟ୍‌ କରିଛନ୍ତି।
ଚାଷୀଙ୍କ ମୁଣ୍ଡ ଫଟାଇବାକୁ ପୋଲିସକୁ କହିଥିବା କର୍ନଲ ଏସ୍‌ଡିଏମ୍‌ ଆୟୁଷ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା କହିଛନ୍ତି। ୨୦୧୮ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଲାଠିମାଡ଼ ପାଇଁ ନିର୍ଦ୍ଦେଶ ଦେବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇଛି। ଭାଜପା ଏମ୍‌ପି ବରୁଣ ଗାନ୍ଧୀ ମଧ୍ୟ ଏସ୍‌ଡିଏମ୍‌ଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି।

Share