ଜୟତି ଘୋଷ
ଏକ ସାର୍ବଭୌମ ରାଷ୍ଟ୍ରରେ ଗୋଟିଏ ଘରୋଇ କମ୍ପାନୀ ତାହାର ଅଧିକାର କ୍ଷେତ୍ରକୁ ପ୍ରଭାବଶାଳୀ ରୂପରେ ଗଢ଼ିବା ଏବଂ ତାହାକୁ ନିୟନ୍ତ୍ରଣରେ ରଖିବା କଥା କଳ୍ପନା କରନ୍ତୁ। ଏଭଳି କମ୍ପାନୀ ନିଜସ୍ବ ମୁଦ୍ରା ପ୍ରବର୍ତ୍ତନ କରେ, ଆଇନ ପ୍ରଣୟନ କରେ ଏବଂ କୋର୍ଟ, କାରାଗାର, ପୋଲିସ ଫୋର୍ସ ଏବଂ ଏପରିକି ଗୁପ୍ତଚର ସେବା ପ୍ରତିଷ୍ଠା କରେ। ଜାତୀୟ ନିୟମ ସହ ସୁସଙ୍ଗତି ନ ରଖି ନିଜସ୍ବ ଟିକସ, ଶ୍ରମ ଏବଂ ପରିବେଶ ନିୟମାବଳୀ ପ୍ରସ୍ତୁତ କରେ। ଏହି କମ୍ପାନୀ ବିଟ୍ କଏନକୁ ଏହାର ମୁଦ୍ରା ଭାବେ ଗ୍ରହଣ କରିବା ସହ ସରକାରୀ ସେବାକୁ ଘରୋଇକରଣ କରିବାର ଯୋଜନା ଘୋଷଣାକରେ। ଏହା ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥା ବଦଳରେ ଏକ ଆର୍ବିଟ୍ରେଶନ ସେଣ୍ଟର ପ୍ରତିଷ୍ଠା କରିଥାଏ। ଏହା ବ୍ୟତୀତ ଏକ ଚୁକ୍ତି ସମ୍ବଳିତ ଦେୟ-ଆଧାରିତ ନାଗରିକତ୍ୱ ମଡେଲ ମଧ୍ୟ ଉପସ୍ଥାପନ କରେ। ପରିଶେଷରେ, ଗଣତାନ୍ତ୍ରିକ ଉପାୟରେ ଦେଶର ନିର୍ବାଚିତ ସରକାର ଏଭଳି ନିରର୍ଥକ ପଦ୍ଧତିକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣକରିବା ସହ ଏହି ଅଧିକାର କ୍ଷେତ୍ରରେ ଜାତୀୟ ଆଇନ ସମାନ ଭାବରେ ପ୍ରଯୁଜ୍ୟ ବୋଲି ନିଶ୍ଚିତ କରିଛି। କିନ୍ତୁ ଏହା ମାନିବା ପରିବର୍ତ୍ତେ କମ୍ପାନୀ ଏହାର ଆନୁମାନିକ ଆର୍ଥିକ କ୍ଷତି ଦର୍ଶାଇ ସରକାରଠାରୁ ବହୁ କୋଟି ଟଙ୍କା ପାଇବା ଲାଗି ମକଦ୍ଦମା ଦାୟର କରିଛି।
ଏହି କଥା ହୋଣ୍ଡୁରାସ୍ରେ ଘଟୁଛି। ବିଭିନ୍ନ ଘରୋଇ ନିଗମ ଦ୍ୱାରା ଦାଖଲ ହୋଇଥିବା ୭ଟି ଅନ୍ତର୍ଜାତୀୟ ଇଣ୍ଟରନ୍ୟାଶନାଲ ଇନ୍ଭେଷ୍ଟର- ଷ୍ଟେଟ୍ ଡିସ୍ପ୍ୟୁଟ ସେଟେଲମେଣ୍ଟ (ଆଇଏସ୍ଡିଏସ୍) ଦାବି (ଯାହା ବିଦେଶୀ ନିବେଶକମାନଙ୍କୁ ସେମାନଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାଉଥିବା ନୀତି ପରିବର୍ତ୍ତନ ପାଇଁ କ୍ଷତିପୂରଣ ମାଗିବାକୁ ସୁଯୋଗ ଦେଇଥାଏ) ର ଜଟିଳ ସ୍ଥିତିକୁ ହୋଣ୍ଡୁରାସ୍ ସରକାର ସାମ୍ନା କରୁଛନ୍ତି। ଡେଲାୱେରରେ ଅବସ୍ଥିତ ଆମେରିକୀୟ କମ୍ପାନୀ ପ୍ରୋସପେରା ୧୦.୭ ବିଲିୟନ ଡଲାର ଦାବିକରି ମକଦ୍ଦମା ଦାୟର କରିଛି, ଯାହାକି ୨୦୨୩ ପାଇଁ ସରକାରଙ୍କ ଧାର୍ଯ୍ୟ ବଜେଟର ଦୁଇ ତୃତୀୟାଂଶ। ୨୦୦୯ରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଣ୍ଡୁରାସ୍ର ରାଷ୍ଟ୍ରପତି ମାନୁଏଲ ଜେଲାୟାଙ୍କୁ ବହିଷ୍କାରକରି ସେନା ଶାସନ ଦଖଲ କରିବାପରଠାରୁ ଏହି କାହାଣୀ ଆରମ୍ଭ ହୋଇଥିଲା। ସେନାର ନୂତନ ସରକାର ଉପର ବର୍ଣ୍ଣିତ ବୈଶିଷ୍ଟ୍ୟଗୁଡିକ ଥିବା ସ୍ବତନ୍ତ୍ର ବିକାଶ ଅଞ୍ଚଳ ଗଠନ ପାଇଁ ଏକ ଆଇନ ପ୍ରଣୟନ କଲେ। ୨୦୧୨ରେ ହୋଣ୍ଡୁରାସ୍ର ସାର୍ବଭୌମତ୍ୱ ଉପରେ ଖୋଲା ଉଲ୍ଲଂଘନ ହେତୁ ହୋଣ୍ଡୁରାସ୍ର ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଇନକୁ ଖଣ୍ଡନ କରିଥିଲେ। ଏହାର ଜବାବରେ ଜାତୀୟ କଂଗ୍ରେସ ଅନେକ ବିଚାରପତିଙ୍କ ଉପରେ ଅଙ୍କୁଶ ଲଗାଇ ସେମାନଙ୍କ ସ୍ଥାନରେ ଅନୁକୂଳ ହେଉଥିବା ବିଚାରପତିଙ୍କୁ ଅବସ୍ଥାପିତ କରିଥିଲା। ଫଳରେ ୨୦୧୩ ରେ ଜୋନ୍ ଫର୍ ଏମ୍ପ୍ଲୟମେଣ୍ଟ ଆଣ୍ଡ୍ ଇକୋନୋମିକ ଡେଭଲପ୍ମେଣ୍ଟ (ଜେଡ୍ଇଡିଇ) ବା ରୋଜଗାର ଏବଂ ଅର୍ଥନୈତିକ ବିକାଶ ଆଇନ ପ୍ରଣୟନ ପାଇଁ ମଞ୍ଚ ସ୍ଥିର କରିପାରିଥିଲା।
ଏବେ ହୋଣ୍ଡୁରାସ୍ରେ ୩ଟି ଜେଡ୍ଇଡିଇ ଅଛି। ସେଗୁଡ଼ିକ ହେଲା ପ୍ରୋସପେରା, ଓର୍କିଡେ ଏବଂ ସିଉଡାଡ୍ ମୋରାଜାନ। ଏହି ସଂସ୍ଥାଗୁଡ଼ିକ ପିଟର ଥାଇଲ ଏବଂ ମାର୍କ ଆଣ୍ଡ୍ରେସେନଙ୍କ ଭଳି ବିଲିୟନେୟାର ନିବେଶକଙ୍କ ଦ୍ୱାରା ଚାଲିଛି। ଏମାନେ ଦୀର୍ଘଦିନ ଧରି ମୌଳିକ ଗଣତାନ୍ତ୍ରିକ ନିୟମକୁ ଖଣ୍ଡନ କରୁଥିବା କ୍ରିପ୍ଟୋ-ଆଧାରିତ କମ୍ ଟିକସର ସ୍ବପ୍ନ ଦେଖିଥିଲେ। ଅସୀମିିତ ବିସ୍ତାର ପାଇଁ ଅନୁମତି ଦେଉଥିବା ଆଇନ ସ୍ଥାନୀୟ ବାସିନ୍ଦାଙ୍କ ଭୂମି ଅଧିଗ୍ରହଣ କରିବାକୁ କମ୍ପାନୀକୁ ସୁଯୋଗ ଦେଇଛି। ପ୍ରୋସପେରା ଜେଇଡିଇରେ କମ୍ପାନୀ ମାଲିକଙ୍କ ଦ୍ୱାରା ୪୪% ଗଭର୍ନିଂ ଅଥରିଟି ସଦସ୍ୟଙ୍କୁ ସିଧାସଳଖ ନିଯୁକ୍ତ କରାଯାଇଛି। ଅତିରିକ୍ତ ୨୨% ଜମି ମାଲିକଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି, ଯେଉଁମାନଙ୍କ ଭୋଟର ମୂଲ୍ୟ ସେମାନଙ୍କ ଜମିର ଆକାର ସହ ସମାନୁପାତିକ। ଏହିସବୁ ପଦକ୍ଷେପ ଉଭୟ ହୋଣ୍ଡୁରାସ୍ ଏବଂ ସମଗ୍ର ବିଶ୍ୱରେ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଜିଓମାରା କାଷ୍ଟ୍ରୋଙ୍କ ନେତୃତ୍ୱରେ ବାମପନ୍ଥୀ ଲିବ୍ରେ ପାର୍ଟି ୨୦୨୧ ନିର୍ବାଚନରେ ଜିତିବା ପରେ ନୂତନ ପ୍ରଶାସନ ଜେଡ୍ଇଡିଇ ଆଇନକୁ ରଦ୍ଦ କରିବା ପାଇଁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ଶୀଘ୍ର ପୂରଣ କରିଥିଲା। ଏହାକୁ ହୋଣ୍ଡୁରାସ୍ର ନାଗରିକମାନେ ସମର୍ଥନ କରିଥିଲେ। ପ୍ରୋସପେରା ପଛକୁ ହଟଲା, କିନ୍ତୁ ତାହା ଦାବି କରିଛି ଯେ, ପୂର୍ବ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମା ୫୦ ବର୍ଷର ଆଇନଗତ ସ୍ଥିରତା ନିଶ୍ଚିତ କରିଛି, ନିବେଶକଙ୍କ ଅଧିକାର ଏବଂ ସୁବିଧା ସ୍ବୀକାର କରିଛି। ଡୋମିନିକାନ ରିପବ୍ଲିକ-ସେଣ୍ଟ୍ରାଲ ଆମେରିକା ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ଏବଂ ଆମେରିକା-ହୋଣ୍ଡୁରାସ୍ ଦ୍ୱିପାକ୍ଷିକ ବିନିଯୋଗ ଚୁକ୍ତି ଦ୍ୱାରା ସ୍ଥିରୀକୃତ ଅନ୍ତର୍ଜାତୀୟ ନିବେଶ ଆଇନ ଅନୁଯାୟୀ ସୁରକ୍ଷାକୁ ଏହା ସାମିଲ କରିଛି। ଏବେ ପ୍ରୋସପେରା କମ୍ପାନୀ ଜାତୀୟ ନିୟମ କାର୍ଯ୍ୟକାରୀ କରିବାକୁ ହୋଣ୍ଡୁରାସ୍ ସରକାରଙ୍କଠାରୁ କ୍ଷତିପୂରଣ ଚାହୁଁଛି।
ବିଶେଷକରି ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡିକରେ ସରକାର ସବୁ ଆଇଏସ୍ଡିଏସ୍ ପ୍ରକ୍ରିୟା ପ୍ରତି ସାବଧାନ ରୁହନ୍ତି। ପ୍ରଥମରୁ ଜାତୀୟକରଣ ମାଧ୍ୟମରେ ଘରୋଇ ସମ୍ପତ୍ତି ଜବରଦଖଲ କିମ୍ବା ବେଦଖଲକୁ ରୋକିବା ପାଇଁ ଆଇଏସ୍ଡିଏସ୍ ଉଦ୍ଦିଷ୍ଟ ଥିଲା। କିନ୍ତୁ ଘରୋଇ ସମ୍ପତ୍ତି ଜବରଦଖଲ ଏତେ ବଢ଼ିଯାଇଛି ଯେ ଏହା ବର୍ତ୍ତମାନ ଯେକୌଣସି ନୂଆ ନିୟମାବଳୀ ଏବଂ ଟିକସ ଅନ୍ତର୍ଭୁକ୍ତ କରିପାରେ। ନିବେଶକମାନଙ୍କ ବିଶ୍ୱାସ ଯେ, ଏହା ସେମାନଙ୍କର ଲାଭ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
ସାଧାରଣତଃ ଯେତେବେଳେ ବିବାଦ ଦେଖାଦିଏ ସେତେବେଳେ ସେଗୁଡ଼ିକୁ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ କରାଯାଏ। ବର୍ତ୍ତମାନ ଗୋଟିଏ ସରକାରୀ ଟ୍ରିବ୍ୟୁନାଲ ସମେତ ଅନେକ ଟ୍ରିବ୍ୟୁନାଲ ଅଛି। ବିଶ୍ୱ ବ୍ୟାଙ୍କର ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍ ଇନ୍ଭେଷ୍ଟମେଣ୍ଟ ଡିସ୍ପ୍ୟୁଟ (ଆଇସିଏସ୍ଆଇଡି) ଏବଂ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ବାଣିଜ୍ୟ ଆଇନ ଆୟୋଗ ଏବଂ ଲଣ୍ଡନ କୋର୍ଟ ଅଫ୍ ଇଣ୍ଟରନ୍ୟାଶନାଲ ଆର୍ବିଟ୍ରେଶନ ଓ ସିଙ୍ଗାପୁର ଇଣ୍ଟରନ୍ୟାଶନାଲ ଆର୍ବିଟ୍ରେଶନ ସେଣ୍ଟର ଭଳି ଘରୋଇ ସଂସ୍ଥା ରହିଛି। କିନ୍ତୁ ଏହି ଟ୍ରିବ୍ୟୁନାଲଗୁଡିକ ନିବେଶକଙ୍କୁ ଅତ୍ୟଧିକ ସମର୍ଥନ କରନ୍ତି। ଅନ୍ୟପକ୍ଷରେ ଆର୍ବିଟ୍ରେଟରମାନେ ସରକାରଙ୍କୁ ବିପୁଳ କ୍ଷତିପୂରଣ ଦେବାକୁ ବାଧ୍ୟ କରିପାରିବେ। ଏପରିକି ନିଷ୍ପତ୍ତି ଉପରେ ଅପିଲ କରିବାକୁ କୌଣସି ଆଇନଗତ ବାଟ ରଖନ୍ତି ନାହିଁ। ଅଧିକନ୍ତୁ, ଏହି ପଦ୍ଧତି କର୍ପୋରେଟରମାନଙ୍କୁ ଦେଶ ବିରୋଧରେ ଆର୍ଥିକ ଦାବି କରିବାକୁ ଅନୁମତି ଦେବା ପାଇଁ ଗଠନ କରାଯାଇଥିବାବେଳେ ସରକାରଙ୍କୁ ଘରୋଇ କମ୍ପାନୀଗୁଡିକ ବିରୋଧରେ ମକଦ୍ଦମା ଦାୟର କରିବାର ବାଟ ରଖିନାହିଁ। ଏହା ସ୍ପଷ୍ଟ ଭାବେ ଏକ ପକ୍ଷପାତିତା ଯେଉଁଥିପାଇଁ କେତେକ ବିକାଶଶୀଳ ଦେଶକୁ ଆଇସିଏସ୍ଆଇଡିରୁ ଓହରିଯିବାକୁ ପଡ଼ୁଛି।
ଆଇସିଏସ୍ଆଇଡି ପ୍ରତିଷ୍ଠା କରିବାରେ ଆମେରିକା ପ୍ରମୁଖ ଭୂମିକା ନେଇଛି। ୨୦୨୦ରେ ସେତେବେଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଆଇଏସ୍ଡିଏସ୍କୁ ଦୃଢ ସମାଲୋଚନା କରି ଲେଖିଥିଲେ, ‘ମୁଁ ବିଶ୍ୱାସ କରେ ନାହିଁ ଯେ କର୍ପୋରେଟରମାନେ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ପାଇବା ଉଚିତ ଯାହା ଅନ୍ୟ ସଂଗଠନ ପାଇଁ ଉପଲବ୍ଧ ନୁହେଁ’। ବାଇଡେନ କହିଥିଲେ, ଆଇଏସ୍ଡିଏସ୍ ପ୍ରକ୍ରିୟା ମାଧ୍ୟମରେ ସେ ବେସରକାରୀ ନିଗମର ଶ୍ରମ, ସ୍ବାସ୍ଥ୍ୟ ଏବଂ ପରିବେଶ ନୀତି ଉପରେ ଆକ୍ରମଣ କରିବାର କ୍ଷମତା ଏବଂ ଭବିଷ୍ୟତରେ ବାଣିଜ୍ୟ ଚୁକ୍ତିରେ ଏହିପରି ବ୍ୟବସ୍ଥା ଅନ୍ତର୍ଭୂକ୍ତ କରିବାକୁ ବିରୋଧ କରିଥିଲେ। ସେହି ଦିନଠାରୁ ବାଇଡେନ୍ ଭବିଷ୍ୟତର ବାଣିଜ୍ୟ ଚୁକ୍ତିରୁ ଆଇଏସ୍ଡିଏସ୍ ଧାରାକୁ ବାଦ୍ ଦେବାକୁ ଦେଇଥିବା ପ୍ରତିଶ୍ରୁତିକୁ ଦେହରାଉଛନ୍ତି। ତଥାପି ସେଗୁଡ଼ିକ ଏବକାର ଚୁକ୍ତି ପାଇଁ ପ୍ରଜୁଯ୍ୟ ଯେଉଁଥିରୁ ଗୋଟିଏ ହୋଣ୍ଡୁରାସ୍କୁ ପ୍ରଭାବିତ କରୁଛି।
ମେ ମାସରେ ସିନେଟର ଏଲିଜାବେଥ୍ ୱାରେନ ଏବଂ ପ୍ରତିନିଧି ଓଲିଉଡ୍ ଡଗେଜେଟଙ୍କ ନେତୃତ୍ୱରେ କଂଗ୍ରେସର ୩୩ ରୁ ଅଧିକ ସଦସ୍ୟ ଆମେରିକାର ବାଣିଜ୍ୟ ପ୍ରତିନିଧି କ୍ୟାଥରିନ ତାଇ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଆଇଏସ୍ଡିଏସ୍ ମାମଲାରେ ହୋଣ୍ଡୁରାସ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବାଇଡେନ୍ ପ୍ରଶାସନ ଏହି ଘୃଣିତ ପ୍ରକ୍ରିୟାକୁ ଆମେରିକାର କୋର୍ଟରେ ଉପସ୍ଥାପନ ଲାଗି ଅନୁମତି ଦେଇଛି। ତେବେ ହୋଣ୍ଡୁରାସ୍ ଆଇଏସ୍ଡିଏସ୍ ମାମଲା ବାଇଡେନ୍ ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ସମୟ। ଆମେରିକା ଯଦି ଏ କ୍ଷେତ୍ରରେ ଦେହରା ମାନଦଣ୍ଡ ଜାରି ରଖେ ଓ ସ୍ପଷ୍ଟ ମତ ନ ଦିଏ ତେବେ ଏହା ଆମେରିକାର ବୈଶ୍ୱିକ ନେତୃତ୍ୱ ପାଇଁ ଅପୂରଣୀୟ କ୍ଷତି ଘଟାଇବ।
ପ୍ରାଧ୍ୟାପିକା (ଅର୍ଥନୀତି), ୟୁନିଭର୍ସିଟି ଅଫ୍ ମାସାଚ୍ୟୁସେଟ୍ସ ଆମର୍ହଷ୍ଟ