ଡର୍ହାମ,୨୦।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜ୍ଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ାଇଛି ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଆହତ ସମସ୍ୟା। ଦୁହେଁ ଭିନ୍ନ ଭିନ୍ନ ଆହତ ସମସ୍ୟା କାରଣରୁ ଚେଷ୍ଟର ଲେ-ଷ୍ଟ୍ରିଟ୍ଠାରେ କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ୩ ଦିନିଆ ମ୍ୟାଚ୍ରେ ଖେଳୁ ନାହାନ୍ତି। ଉଭୟଙ୍କ ଅନୁପସ୍ଥିତିରେ ଅଧିନାୟକ ଭାର ସମ୍ଭାଳୁଛନ୍ତି ରୋହିତ ଶର୍ମା।
ସୋମବାର ସନ୍ଧ୍ୟାରେ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିଥିଲେ କୋହଲି। ଏଣୁ ମେଡିକାଲ ଟିମ୍ର ପରାମର୍ଶ କ୍ରମେ ତାଙ୍କୁ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ରାହାନେଙ୍କ ବାମଗୋଡ଼ର ମାଂସପେଶୀ ଫୁଲି ଯାଇଛି। ଇଞ୍ଜେକଶନ ଦିଆଯିବ ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି। କିନ୍ତୁ ପ୍ରଥମ ଟେଷ୍ଟ ପୂର୍ବରୁ ଦୁହେଁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି। ଏହାବାଦ୍ ଅଭ୍ୟାସ ମ୍ୟାଚ୍ର ପ୍ରଥମ ସେସନରେ ରିଜର୍ଭ ପେସର ଅଭେଶ ଖାଁଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଛି।