ଜମ୍ମୁ,୨୩।୧: କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ସମୟରେ କଶ୍ମୀରୀ ପଣ୍ଡିତମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି। ସେମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ୟାକେଜ୍ରେ ନିଯୁକ୍ତି ପାଇଥିବା କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ଲୋକମାନେ ଭିକ୍ଷା ମାଗିବା ଉଚିତ୍ ନୁହେଁ ବୋଲି ପୂର୍ବରୁ ସିହ୍ନା କହିଥିଲେ। ସାମ୍ବା ଜିଲାରେ ସୋମବାର ସକାଳେ ଭାରତ ଯୋଡ଼ୋ ଯାତ୍ରା ଅବସରରେ ରାହୁଲଙ୍କ କଶ୍ମୀରୀ ପଣ୍ଡିତମାନଙ୍କ ଏକ ପ୍ରତିନିଧି ଦଳ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଆତଙ୍କବାଦୀଙ୍କ ଦ୍ୱାରା ସେମାନେ ଟାର୍ଗେଟ କିଲିଂର ଶିକାର ହେଉଥିବାରୁ ପ୍ରଧାନମନ୍ତ୍ରୀ ପ୍ୟାକେଜ୍ରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଆନ୍ଦୋଳନ କରିଆସୁଛନ୍ତି। ସରକାର ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେମାନେ ଅଭିଯୋଗ କରିଥିଲେ। କର୍ମଚାରୀମାନେ ଭିକ୍ଷା ମାଗୁନାହାନ୍ତି, ସେମାନଙ୍କ ଅଧିକାର ଦାବି କରୁଛନ୍ତି ବୋଲି ରାହୁଲ କହିଛନ୍ତି।