ତିହାର ଜେଲରେ କ୍ଷମତାଠାରୁ ୨ ଗୁଣା ଅଧିକ କଏଦୀ: କରୋନା କାଳରେ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ତିହାର ଜେଲରେ ବୃଦ୍ଧି ପାଉଥିବା କଏଦୀଙ୍କ ସଂଖ୍ୟା ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ଜେଲର କ୍ଷମତା ୧୦ ହଜାର ୨୬ ଥିବାବେଳେ ଏଠାରେ ୨୦ ହଜାର ୪୧ ଜଣ କଏଦୀ ରହିଛନ୍ତି। ତିହାର ଜେଲ ଅଧିନରେ ଥିବା ରୋହିଣି ଏବଂ ମଣ୍ଡୋଲି ଜେଲରେ ମଧ୍ୟ କଏଦୀଙ୍କ ସଂଖ୍ୟା କ୍ଷମତାଠାରୁ ଅଧିକ ରହିଛି। ମାର୍ଚ୍ଚ ୩୦ ରିପୋର୍ଟ ଅନୁସାରେ ତିହାର ଜେଲର କ୍ଷମତା ୫ ହଜାର ୨୦୦ ଥିବାବେଳେ ଏଠାରେ ୧୩ ହଜାର ୫୮୭ କଏଦୀ ଅଛନ୍ତି। ଅପରପକ୍ଷରେ ତିହାରର ଜେଲ ନମ୍ବର ୧୦ ଅର୍ଥାତ୍‌ ରୋହିଣିର କ୍ଷମତା ହଜାରେ ୫୦ ଥିବାବେଳେ ଏଠାରେ ହଜାରେ ୭୩୩ କଏଦୀ ରହିଛନ୍ତି। ସେହିପରି ମାଣ୍ଡୋଲି ଜେଲର କ୍ଷମତା ୩ ହଜାର ୭୭୬ ଥିବାବେଳେ ଏଠାରେ ୪ ହଜାର ୭୨୧ ଜଣ କଏଦୀ ଅଛନ୍ତି। କ୍ଷମତାଠାରୁ ଅଧିକ କଏଦୀ ଥିବାରୁ ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବୃଦ୍ଧି ପାଇଛି। ଜେଲରେ ଯଦି କରୋନା ସଂକ୍ରମଣ ହୁଏ ତେବେ କିଭଳି ଏହାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ସେନେଇ ଆଶଙ୍କା ବଢ଼ିବାରେ ଲାଗିଛି। ସେହିପରି ସମ୍ପ୍ରତି ଗରମ ବଢୁଥିବାରୁ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଥିବାରୁ ସମସ୍ୟା ଦେଖାଦେଇଛି। କଏଦୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି।

Share