ଢେଙ୍କାନାଳ ଅଫିସ, ୫।୨
କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍ ଲାଗି ଏଠାକୁ ଆସିବା ପରେ ବଦଳିଯାଏ ଜୀବନ ଏବଂ ଜୀବନ ଶୈଳୀ। ସାଧାରଣ ମଣିଷରୁ ଜଣେ ପାଲଟିଯାଏ କଏଦୀ। ଜେଲ ରହଣି ଭିତରେ ମାନସିକତା ବଦଳାଇବା, ଦଣ୍ଡ ଭୋଗି ସାରିବାପରେ ସମ୍ମାନର ସହ ବଞ୍ଚତ୍ବା ଏବଂ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କାରାଗାରରେ ଆରମ୍ଭ କରିଛନ୍ତି ବହୁବିଧ ସଂସ୍କାର କାର୍ଯ୍ୟକ୍ରମ, ଯାହା କଏଦୀଙ୍କୁ ନେଉଛି ଆତ୍ମନିର୍ଭରଶୀଳ ପଥରେ। ଏଭଳି ସଂସ୍କାରମୂଳକ କାର୍ଯ୍ୟକ୍ରମରେ ୧୦୦ବର୍ଷର ଢେଙ୍କାନାଳ ଜିଲା କାରାଗାର ଆଗୁଆ ରହିଛି।
ସ୍ବାଧୀନତା ଆନ୍ଦୋଳନର ଦୀର୍ଘବର୍ଷ ପୂର୍ବରୁ ୧୯୧୬ରେ ପ୍ରତିଷ୍ଠା ହୋଇଥିଲା ଢେଙ୍କାନାଳ ଜିଲା କାରାଗାର। ଏହା ଏବେ ୧୦୪ ବର୍ଷରେ ପଦାର୍ପଣ କରିଛି। ବର୍ତ୍ତମାନ ଏଠାରେ ମୋଟ ୩୧୬ ମହିଳା ଓ ପୁରୁଷ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୫୬ ବିଚାରାଧୀନ କଏଦୀ ଥିବାବେଳେ ବିଭିନ୍ନ ମାମଲାରେ ୬୦ଜଣ ସଜା କାଟୁଛନ୍ତି। ଇତିମଧ୍ୟରେ ସେମାନଙ୍କ ଲାଗି ଆରମ୍ଭ ହୋଇଛି ସଂସ୍କାରମୂଳକ କାର୍ଯ୍ୟକ୍ରମ। ଆତ୍ମନିର୍ଭରଶୀଳ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କାରାଗାରରେ ଅନ୍ତେବାସୀମାନେ ତନ୍ତବୁଣା ଗାମୁଛା, ରୁମାଲ, ବେଡଶିଟ୍, ଦରି, ଆସନ ପ୍ରସ୍ତୁତ କରୁଛନ୍ତି। ଏହାକୁ ସର୍ବସାଧାରଣରେ ବିକ୍ରି କରାଯାଉଛି। ରାଜ୍ୟର ବିଭିନ୍ନ ଜେଲକୁ ମଧ୍ୟ ପଠାଯାଉଛି। ଦିନକୁ ଦିନ ଅନ୍ତେବାସୀଙ୍କ ହାତ ତିଆରି ସାମଗ୍ରୀ ଆଦୃତ ହେବାରେ ଲାଗିଛି। ସେହିପରି ବ୍ୟବସାୟିକ ଭିତ୍ତିରେ ଗୋପାଳନ ମଧ୍ୟ ହେଉଛି। ୯ଟି ଗାଈ ରଖାଯାଇଥିବା ବେଳେ ଦୈନିକ ୫୦ ଲିଟର କ୍ଷୀର ବିକ୍ରି ହେଉଛି। ଜେଲରୁ ଉତ୍ପାଦିତ ପରିବା ସ୍ଥାନୀୟ ବଜାରକୁ ଯାଉଛି।
ଏବେ ଅନ୍ତେବାସୀଙ୍କୁ ଆହୁରି କୁଶଳୀ କରିବା ଏବଂ ବୈଷୟିକ ଜ୍ଞାନ ବୃଦ୍ଧି ଲାଗି ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ସରକାର ଏବଂ ଜେଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପ୍ୟୁଟର ତାଲିମ ଆରମ୍ଭ ହେବ। ଏଥିଲାଗି ପ୍ରଶିକ୍ଷକ ରହିବେ। ଏଥିସହ ଅଟା, ବେସନ, ମସଲା ଆଦି ପ୍ରସ୍ତୁତ କରିବା ପାଇଁ ଖୁବ୍ଶୀଘ୍ର ମେଶିନ ବସାଯିବାକୁ ଯୋଜନା କରାଯାଉଛି। କାରାଗାରରେ ପାଠପଢ଼ି କେତେଜଣ ଅନ୍ତେବାସୀ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷା ପାଇଁ ଜିଲା ଜେଲରେ ଭିତ୍ତିଭୂମି ରହିଛି। ଏହାର ଭରପୂର ଉପଯୋଗ କରିବାକୁ ଜେଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି।
ଏ ସଂକ୍ରାନ୍ତରେ ଜେଲ ଅଧୀକ୍ଷକ ଅନିଲ କୁମାର ସାହୁ କୁହନ୍ତି, ଦୀର୍ଘ ବର୍ଷ ହେଲା ଢେଙ୍କାନାଳ ଜିଲା କାରାଗାରର ଅନ୍ତେବାସୀମାନେ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଗୋପାଳନ, ପରିବା ଚାଷ କରାଯାଉଛି। କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବା ଲାଗି ପତ୍ର ଆସିଛି। ଖୁବ୍ଶୀଘ୍ର ଅଟା, ବେସନ, ମସଲା ପ୍ରସ୍ତୁତ କରିବା ପାଇଁ ମେଶିନ ବସାଯିବ।
ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉ
ଜେଲ ଅନ୍ତେବାସୀଙ୍କୁ ଧନ୍ଦାମୂଳକ କାର୍ଯ୍ୟକ୍ରମରେ ସାମିଲ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଗଲେ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବ। ଧନ୍ଦାମୂଳକ ଶିକ୍ଷା ସେମାନଙ୍କୁ ସ୍ବାବଲମ୍ବୀ କରିପାରିବ।
-ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ
କୌଶଳ ବିକାଶ ମାନସିକତା ବଦଳାଇବ
କୁସଙ୍ଗରେ ପଡ଼ି ଯୁବଗୋଷ୍ଠୀ ଆପରାଧିକ କାର୍ଯ୍ୟରେ ଜଡ଼ିତ ହୋଇଯାଉଛନ୍ତି। ସେମାନଙ୍କ ମାନସିକତା ବଦଳାଇବା ଲାଗି ଯଥେଷ୍ଟ ଉଦ୍ୟମ ଜରୁରୀ। କଏଦୀଙ୍କୁ କୌଶଳ ବିକାଶ ଶିକ୍ଷା ଦେବା ଫଳରେ ସେମାନଙ୍କ ମାନସିକତା ବଦଳିବ
-ଶାନ୍ତି ମିଶ୍ର, ସାମାଜିକ କର୍ମୀ
ନୂତନ ଜୀବନ ଆରମ୍ଭ କରିପାରିବେ
ଜେଲ ଅନ୍ତେବାସୀଙ୍କୁ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ଦିଆଯିବା ନିହାତି ଜରୁରୀ। ଏହାଦ୍ୱାରା ସେମାନଙ୍କ ମାନସିକତାରେ ପରବର୍ତ୍ତନ ଆସିବ। ସମାନ୍ତରାଳ ଭାବେ ଜେଲର ବିକାଶ ମଧ୍ୟ ହେବ। ସେମାନେ ନୂତନ ଜୀବନ ଆରମ୍ଭ କରିପାରିବେ ା
-ବିରଞ୍ଚତ୍ ନାରାୟଣ ପାଣି, ସାମାଜିକ କର୍ମୀ