ସାରା ଦେଶ ଏବେ ମା’ ଆଦ୍ୟାଶକ୍ତିଙ୍କ ଆବାହନରେ ମଗ୍ନ। ମା’ ଆସିବେ ଦୁଷ୍ଟ ଶକ୍ତିର ସଂହାର କରିବେ। ଏଥିପାଇଁ ତ ଏବେ ସବୁଆଡେ ଚାଲିଛି ନବରାତ୍ର ପୂଜା। ଏହି ସମୟରେ ଆଦ୍ୟାଶକ୍ତିଙ୍କୁ ନବଧା ରୂପରେ ଆବାହନ କରାଯାଏ। ନାରୀଶକ୍ତିର ପ୍ରତୀକଭାବେ କେତେକ ସ୍ଥାନରେ କୁଆଁରୀ କନ୍ୟାଙ୍କୁ ବି ପୂଜା କରାଯାଏ। ପୂର୍ବରୁ ଭାରତର ଅନ୍ୟସ୍ଥାନରେ ବିଶେଷଭାବରେ ଏହି ପୂଜା କରାଯାଉଥିବାବେଳେ ଏବେ ଆମ ରାଜ୍ୟରେ ବି ଏହି ବ୍ରତକୁ ଅନେକେ ଭାବଭକ୍ତିରେ ପାଳନ କରୁଛନ୍ତି…
ନବରାତ୍ରି, ଅର୍ଥାତ୍ ନଅ ଦିନର ପୂଜାର୍ଚ୍ଚନା। ନଅ ଦିନ ମଧ୍ୟରେ ମାଆଙ୍କର ନଅଟି ରୂପକୁ ଆବାହନ କରାଯାଏ। ନବମାତୃକାଙ୍କର ଏହି ପୂଜାରେ ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ। ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ। ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ବତୀଭାବେ ପୂଜା ପାଇଥାନ୍ତି। ହିନ୍ଦୁ ପରମ୍ପରା ଅନୁଯାୟୀ ବର୍ଷରେ ପାଞ୍ଚଥର ( ପୌଷ, ମାଘ, ଚୈତ୍ର, ଆଷାଢ଼ ଓ ଆଶ୍ୱିନ) ନବରାତ୍ରି ପାଳନ ହେଉଥିଲେ ମଧ୍ୟ ଶରତ ଋତୁରେ (ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ) ପାଳିତ ହେଉଥିବା ନବରାତ୍ରି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାକୁ ମହାନବରାତ୍ରି ମଧ୍ୟ କୁହାଯାଏ।
ନବରାତ୍ରି ପୂଜା ନିମନ୍ତେ ପ୍ରଥମେ ପୂଜାବେଦିରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ। ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ବସ୍ତିକ ଚିହ୍ନ ଅଙ୍କନ କରାଯାଏ। ନିଅଦିନ ପର୍ଯ୍ୟନ୍ତ ପୂଜା ସରିବା ପରେ ଶେଷ ଦିନ ଘଟ ବିସର୍ଜନ କରାଯାଏ। ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ କମ୍ ବୟସର ୯ଜଣ କୁମାରୀଙ୍କୁ ଦୁର୍ଗାଙ୍କ ନଅଟି ମୂର୍ତ୍ତି ଯଥା- କୁମାରୀ(କୁମାରିକା), ତ୍ରିମୂର୍ତ୍ତିନୀ (ତ୍ରିମୂର୍ତ୍ତି), କଲ୍ୟାଣୀ (କଳହାଣୀ), ରୋହିଣୀ, କାଳୀ, ଚଣ୍ଡିକା, ଶମ୍ଭବୀ(ଶାମ୍ଭବୀ), ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଏ।
ନାବରାତ୍ର ବ୍ରତ ଧାରଣ କରିଥିବା ମହିଳାମାନେ ସାଧାରଣତଃ ଏହି ନଅଦିନ କେବଳ ଫଳ ଆହାର କିମ୍ବା ମିଠାଜାତୀୟ ବ୍ୟଞ୍ଜନ ଗ୍ରହଣ କରି ରହିଥାନ୍ତି। କେହି କେହି ସାରାଦିନ କେବଳ ସରବତ ବା ଫଳ ଖାଇ ରହିଥାନ୍ତି। ଏ ସାରେ ମାଆଙ୍କ ପୂଜା ପରେ ପୁରି, ଖିରି କିମ୍ବା ପରଟା ଆଦି ଖାଇ ରହନ୍ତି। ପୂଜା ବିଧି ଅନୁସାରେ ଏହି ସମୟରେ ସାଧାରଣତଃ ଲୁଣ ଖାଇବା ମଧ୍ୟ ବାରଣ ଥାଏ। କିନ୍ତୁ ଲୁଣ ସ୍ଥାନରେ ସୈନ୍ଧବ ଲୁଣକୁ ଗ୍ରହଣ କରାଯାଏ।
ମାଆଙ୍କ ନିର୍ଦ୍ଦେଶରେ ପୂଜା କରୁଛି
ପିଲାଦିନରୁ ମୁଁ ମାଆଙ୍କ ପୂଜା କରେ। ତାପରେ ଥରେ ମାଆ ମତେ ସ୍ବପ୍ନରେ ଦର୍ଶନ ଦେଇ ଘରେ ଘଟ ସ୍ଥାପନ ନିମନ୍ତେ କହିଥିଲେ। ସେହିଦିନ ଠାରୁ ପ୍ରାୟ ୩୦ ବର୍ଷ ହେଲାଣି ମୁଁ ନବରାତ୍ରି ବ୍ରତ କରୁଛି। ନଅ ଦିନ ପର୍ଯ୍ୟନ୍ତ ଆମ ଘରେ ସମସ୍ତେ ନିଷ୍ଠାର ସହିତ ଏହି ବ୍ରତ ପାଳନ କିରବାରେ ସାହାଯ୍ୟ କରିଥାନ୍ତି। ସମସ୍ତେ ଏକାଠି ବସି ମାଆଙ୍କ ପୂଜା କରୁ। ଏବେ ମୋର ତିନି ଝିଅ ବି ନବରାତ୍ରି ପୂଜା କରୁଛନ୍ତି। ଘରେ ଘଟ ସ୍ଥାପନ କରି ପୂଜା ହେଉଥିବାରୁ ଏହି ନଅ ଦିନ ଘରର ବାତାବରଣ ବେଶ୍ ପବିତ୍ର ମନେ ହୋଇଥାଏ। -ବିଜୟଲକ୍ଷ୍ମୀ ବେଉରା, ଗୃହିଣୀ, ମଞ୍ଚେଶ୍ୱର, ଭୁବନେଶ୍ୱର
ମାଆ ଆସୁଛନ୍ତି ବୋଲି…
ଆମ ଘରେ ଛୋଟବେଳରୁ ମାଆଙ୍କ ପୂଜା କରାଯାଏ। ମୁଁ କଲେଜରେ ପଢ଼ିବା ସମୟରୁ ଏହି ବ୍ରତ ପାଳି ଆସୁଛି। ଏବେ ବିବାହ ପରେ ପ୍ରଥମ ଥର ପାଇଁ ମୁଁ ଏବର୍ଷ ଶାଶୁ ଘରେ ବି ନବରାତ୍ରି ପୂଜା କରୁଛି। ସମସ୍ତେ ଏକାଠି ହୋଇ ପ୍ରତିଦିନ ସକାଳ ଓ ସାରେ ଆମେ ମାଆଙ୍କ ପୂଜା କରୁଛୁ। ଘରେ ଘଟ ସ୍ଥାପନ ହୋଇଥିବାରୁ ସମସ୍ତେ ଅରୁଆ ଖାଉଛନ୍ତି। କହିବାକୁ ଗଲେ ମାଆ ଆସୁଛନ୍ତି ବୋଲି ଘରେ ଏବେ ଏକ ପବିତ୍ର ବାତାବରଣ ସୃଷ୍ଟି ହୋଇଛି।
-ଶୁଭଲକ୍ଷ୍ମୀ ମହାପାତ୍ର, କର୍ମଜୀବୀ, ଶୈଳଶ୍ରୀ ବିହାର, ଭୁବନେଶ୍ୱର