ପଠାନର କମାଲ, ୩୨ ବର୍ଷ ପରେ କଶ୍ମୀର ଘାଟିର ସିନେମା ହଲରେ ହାଉସଫୁଲ ସାଇନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଦୀପିକା ପାଦୁକୋନ ଷ୍ଟାରର ମୁଭି ‘ପଠାନ’ର ଚର୍ଚ୍ଚା ଏବେ ସବୁଠି । ‘ପଠାନ’ ରିଲିଜ୍ ହେବା ପରେ କଶ୍ମୀର ଘାଟିରେ କମାଲ କରିଛି । ୩୨ ବର୍ଷ ଧରି ଯାହାକୁ ଅପେକ୍ଷା ଥିଲା ‘ପଠାନ’ ରିଲିଜ୍ ହେବା ପରେ ଘାଟିରେ ତାହା ଦେଖିବାକୁ ମିଳିଛି ।
କଶ୍ମୀର ଘାଟିର ସିନେମା ହଲରେ ‘ହାଉସଫୁଲ’ ସାଇନ ୩୨ ବର୍ଷ ପରେ ପୁଣିଥରେ ଫେରିଛି । ଜଣାଶୁଣା ମଲ୍ଟିପ୍ଲେକ୍ସ ଚୈନ ଆଇନକ୍ସ ଲିଜର ଲିମିଟେଡ ଏହି ଦାବି କରିଛି । ଏହାସହ ଆଇନକ୍ସ ଶାହାରୁଖ ଖାଁଙ୍କୁ ଧନ୍ୟବାଦ ଦେଇଛି ।

ଆଇନକ୍ସର ଅଫିସିୟାଲ ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି । ଟୁଇଟରେ ଲେଖାଯାଇଛି, ଆଜି ଦେଶରେ ପଠାନ ଉନ୍ମାଦର ସହ, ଆମେ ୩୨ ବର୍ଷ ପରେ କଶ୍ମୀର ଘାଟିରେ ମୂଲ୍ୟବାନ ହାଉସଫୁଲ ସାଇନକୁ ଫେରାଇ ଆଣିଥିବାରୁ ଆମେ କିଙ୍ଗ ଖାଁଙ୍କ ନିକଟରେ କୃତଜ୍ଞ, ଥ୍ୟାଙ୍କ ୟୁ ଶାହାରୁଖ ଖାଁ ।
ସୂଚନାଯୋଗ୍ୟ, ବେଶ କିଛି ବର୍ଷ ପରେ ପୁଣି ବଡ ପରଦାକୁ ଫେରିଛନ୍ତି ଶାହାରୁଖ । ତାଙ୍କର ଏହି ଧମାକାଦର ଏଣ୍ଟ୍ରିକୁ ନେଇ ଫିଲ୍ମ ନିର୍ମାତା ଗୁରୁବାର କହିଛନ୍ତି’ପଠାନ’ ରିଲିଜର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦୬ କୋଟି ଟଙ୍କା ଆୟ କରିଛି । ୟଶରାଜ ଫିଲ୍ମର ସୂଚନା ଅନୁଯାୟୀ, ଘରୋଇ ସ୍ତରରେ ଫିଲ୍ମ ପ୍ରଥମ ଦିନରେ ୫୫ କୋଟି ଆୟ କରିଛି, ଯାହା କୌଣସି ହିନ୍ଦୀ ଫିଲ୍ମର ପ୍ରଥମ ଦିନର ଆୟ ତୁଳନାରେ ସର୍ବାଧିକ ବୋଲି କୁହାଯାଉଛି । ସେହିପରି ଡବ ସଂସ୍କରଣରେ ୨କୋଟିରୁ ଅଧିକ ଆୟ ହୋଇଛି । ମୁଭି କ୍ରିଟିକ ତରନ ଆଦର୍ଶ କହିଛନ୍ତି, ଭାରତରେ ରିଲିଜ୍ର ଦ୍ୱିତୀୟ ଦିନରେ ରାତି ୧୦ ପର୍ଯ୍ୟନ୍ତ’ପଠାନ’ ମୁଭି ୩୧.୬୦ କୋଟି ଆୟ କରିଛି । ‘ପଠାନ’ ବୁଧବାର ହିନ୍ଦୀ ସହ ତାମିଲ ଓ ତେଲଗୁ ଭାଷାରେ ବି ରିଲିଜ କରାଯାଇଥିଲା ।

Share