Categories: ଜାତୀୟ

ଆଜି ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍‌ ଇମ୍ଫାଲ

ନୂଆଦିଲ୍ଲୀ,୨୫ା୧୨(ପି.ଟି.): ବ୍ରହ୍ମୋସ୍‌ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମିଶାଇଲ୍‌ରେ ସଜ୍ଜିତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ଇମ୍ଫାଲ ମଙ୍ଗଳବାର ନୌସେନାରେ ସାମିଲ ହେବ। ଭାରତ ମହାସାଗର ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବାବେଳେ ନୌସେନାରେ ଆଇଏନ୍‌ଏସ୍‌ ଇମ୍ଫାଲ ସାମିଲ ହେଲେ ଭାରତର ସାମୁଦ୍ରିକ ସାମର୍ଥ୍ୟ ବୃଦ୍ଧି ପାଇବ। ଏହା ହେଉଛି ପ୍ରଥମ ଯୁଦ୍ଧଜାହାଜ, ଯାହାକୁ ଉତ୍ତର-ପୂର୍ବାଞ୍ଚଳର ଏକ ସହର ନାମରେ ନାମିତ କରାଯାଇଛି। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୁମ୍ବାଇର ନୌସେନା ଡକ୍‌ୟାର୍ଡରେ ଆଇଏନ୍‌ଏସ୍‌ ଇମ୍ଫାଲ ଜଳାବତରଣ କରିବ। ଏହାର ଓଜନ ୭,୪୦୦ ଟନ୍‌ ହୋଇଥିବାବେଳେ ଦୈର୍ଘ୍ୟ ୧୬୪ ମିଟର। ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର, ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର , ଟର୍ପେଡୋ ଆଦି ଠୁଳ କରିବା ପାଇଁ ବିସ୍ତୃତ ପ୍ଲାଟଫର୍ମ ରହିଛି। ମିଳିତ ଗ୍ୟାସ୍‌ ଏବଂ ଗ୍ୟାସ୍‌ ପ୍ରପଲଶନରେ ଚାଲୁଥିବା ଏହି ଜାହାଜର ଘଣ୍ଟା ପ୍ରତି ବେଗ ୫୬ କିଲୋମିଟର ରହିବ।

Share