ନୂଆଦିଲ୍ଲୀ,୩୦।୧: ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧଜାହାଜ ଆଇଏନ୍ଏସ୍ ସୁମିତ୍ରା ସେମାବାର ଇରାନର ଏକ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ଊଦ୍ଧାର କରିଥିବା ବେଳେ ପୁଣି ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇ ନିଜ ପରାକ୍ରମ ଦେଖାଇଛି। ଭାରତୀୟ ନୌସେନା ସୋମାଲିଆ ଉପକୂଳରୁ ଅପହୃତ ପାକିସ୍ତାନର ୧୯ଜଣ ନାବିକଙ୍କ ସୁରକ୍ଷିତ ଉଦ୍ଧାର କରିଛି। ୩୬ ଘଣ୍ଟା ମଧ୍ୟରେ ଭାରତୀୟ ଯୁଦ୍ଧ ଜାହାଜ ହାଇଜ୍ୟାକ ହୋଇଥିବା ଦୁଇଟି ଜାହାଜକୁ ଉଦ୍ଧାର କରିଥିବା ନେଇ ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି।
ସୋମବାର ସୋମାଲିଆ ଉପକୂଳରେ ଇରାନର ଏକ ଜାହାଜକୁ ଜଳଦସ୍ୟୁ ଅପହରଣ କରିନେଉଥିବା ଭାରତୀୟ ନୌସେନାକୁ ଖବର ମିଳିଥିଲା। ପରେ ସୋମାଲିଆର ପୂର୍ବ ଉପକୂଳରେ ମୁତୟନ ଥିବା ଭାରତୀୟ ନୌସେନା ଯୁଦ୍ଧଜାହାଜ ସୁମିତ୍ରା ତୁରନ୍ତ ସେଠାରେ ପହଞ୍ଚି ଥିଲା। ନୌସେନା ଯବାନ ଉକ୍ତ ଜାହାଜ ସହ ୧୭ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଜଳଦସ୍ୟୁ ନିରୋଧୀ ଅଭିଯାନରେ ସାମିଲ ଥିବା ଆଇଏନ୍ଏସ୍ ସୁମିତ୍ରା ଆଡେନ୍ ଉପସାଗର ଏବଂ ସୋମାଲିଆ ପୂର୍ବ ଉପକୂଳରେ ନିୟୋଜିତ ରହିଛି।