ଚେନ୍ନାଇ,୧୭।୨: ଇନ୍ସାଟ୍-୩ଡିଏସ୍ ପାଣିପାଗ ସାଟେଲାଇଟ୍ ଶନିବାର ଲଞ୍ଚ୍ ହେବାକୁ ଥିବାବେଳେ ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଜିଏସ୍ଏଲ୍ଭି-ଏଫ୍୧୪ ରକେଟ୍ର ଏହା ୧୬ତମ ମିଶନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଶନିବାର ଅପରାହ୍ନ ୫ଟା ୩୫ ମିନିଟ୍ରେ ଉତ୍କ୍ଷେପଣ କରାଯିବ ବୋଲି ଭାରତୀୟ ମହକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି। ତୃତୀୟ ପିଢ଼ି ପାଣିପାଗ ସାଟେଲାଇଟ୍ର ଏହା ଏକ ଅନୁବର୍ତ୍ତୀ ମିଶନ। ଉକ୍ତ ସାଟେଲାଇଟ୍କୁ ଭୂସ୍ଥିର କକ୍ଷପଥରେ ସ୍ଥାପନ କରାଯିବ। ଏଥିପାଇଁ ୨୭.୫ ଘଣ୍ଟାର ଅବଗଣନା ଆରମ୍ଭ ହୋଇଥିବା ଇସ୍ରୋ କହିଛି। ଏହା ପୂର୍ବରୁ ଗତବର୍ଷ ମେ’ ୨୯ରେ ଜିଏସ୍ଏଲ୍ଭି ଉତ୍କ୍ଷେପଣ ସଫଳ ହୋଇଥିଲା। କିନ୍ତୁ ୨୦୨୧ ଅଗଷ୍ଟ ୧୨ରେ ଅନ୍ୟ ଏକ ଉତ୍କ୍ଷେପଣ ବିଫଳ ହୋଇଥିଲା।