୮୦ ବଦଳରେ ଆସିଲା ୪୦ ମାର୍କ ପ୍ରଶ୍ନପତ୍ର

ଭଞ୍ଜନଗର, ୪ା୪(ଡି.ଏନ.ଏ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବର୍ତ୍ତମାନ ଯୁକ୍ତ ୩ ତୃତୀୟ ସେମିଷ୍ଟର୍‌ ପରୀକ୍ଷା ଚାଲିଛି। ସୋମବାର କଳା ଓ ବିଜ୍ଞାନ ଛାତ୍ରୀଛାତ୍ରଙ୍କ କମ୍ୟୁନିକେଟିଭ ଇଂଲିଶ ଥିଲା। ବାଣିଜ୍ୟ ଛାତ୍ରୀଛାତ୍ରଙ୍କ ଇ କମର୍ସ ପରୀକ୍ଷା ଥିଲା। ତେଣୁ ସୋମବାର ଯୁକ୍ତ ୩ ଦିତୀୟ ବର୍ଷ କଳା, ବାଣିଜ୍ୟ ଏବଂ ବିଜ୍ଞାନ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିଲେ। କଳା ଓ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ନିର୍ଦ୍ଧାରିତ ୮୦ ମାର୍କର ପ୍ରଶ୍ନପତ୍ର ଆସିଥିଲା। କିନ୍ତୁ ବାଣିଜ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଶ୍ନପତ୍ରଟି ୮୦ ମାର୍କ ବଦଳରେ ୪୦ ମାର୍କ ଆସିଥିଲା। ଯାହାକୁ ନେଇ ବାଣିଜ୍ୟ ଛାତ୍ରୀଛାତ୍ରମାନେ ଦ୍ୱନ୍ଦରେ ପଡିଯାଇଥିଲେ। ଏହିଭଳି ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବାଣିଜ୍ୟ ଛାତ୍ରୀଛାତ୍ରମାନେ ମଧ୍ୟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଅଧ୍ୟକ୍ଷ ରାଜେନ୍ଦ୍ର ଦାସଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଦାସ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବି ବୋଲି ସେ ଛାତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ବିଭିନ୍ନ ସେମିଷ୍ଟର ପରୀକ୍ଷା ଗୁଡିକ ବିଳମ୍ବରେ ହେଇଛି। ବର୍ତ୍ତମାନ ୪ର୍ଥ ସେମିଷ୍ଟାର୍‌ ପରୀକ୍ଷା ସମୟ ହୋଇଥିବା ବେଳେ ତୃତୀୟ ସେମିଷ୍ଟର ପରୀକ୍ଷା ଚାଲିଛି। ତେଣୁ ଚଳିତ ଶିକ୍ଷା ବର୍ଷରେ ଆଉ ୪ର୍ଥ ସେମିଷ୍ଟାର୍‌ ପରୀକ୍ଷା ହେବ ନାହିଁ। ସେହିଭଳି ବର୍ତ୍ତମାନ ଦିତୀୟ ସେମିଷ୍ଟର ପରୀକ୍ଷା ହେବା ସମୟ ହୋଇଥିବା ବେଳେ ପ୍ରଥମ ସେମିଷ୍ଟର ପରୀକ୍ଷା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ପରୀକ୍ଷା ବିଳମ୍ବରେ ହେବା ଦ୍ୱାରା ପରୀକ୍ଷା ଫଳ ମଧ୍ୟ ସେହି ଅନୁପାତରେ ବିଳମ୍ବରେ ପ୍ରକାଶିତ ହେଉଛି। ଏହାଦ୍ବାରା ଯେଉଁ ଛାତ୍ରୀ ଛାତ୍ରଙ୍କ ବ୍ୟାକ ପେପର ରହୁଛି ସେହିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସନ୍ତା ବର୍ଷ ନିର୍ବାଚନ ବର୍ଷ। ତେଣୁ ପ୍ରତ୍ୟେକ ପରୀକ୍ଷା ଗୁଡିକୁ ନିର୍ଦ୍ଧାରିତ ସମୟରେ କରିବା ପାଇଁ ଛାତ୍ରୀ
ଛାତ୍ରମାନେ ନିବେଦନ କରିଛନ୍ତି।