ନିଯୁକ୍ତି ପରିବର୍ତ୍ତେ ଛଟେଇ, ଧାରଣାରେ କୋଭିଡ ଯୋଦ୍ଧା ନର୍ସ

ବଲାଙ୍ଗୀର ଅଫିସ, ୧୪ା୧:  କରୋନା ମହାମାରୀ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଥିବାବେଳେ ରାଜ୍ୟ ସରକାର ଚିନ୍ତାରେ ପଡିଥିଲେ। ଏଭଳି ସଙ୍ଗୀନ ସମୟରେ ଲୋକଙ୍କ ସେବା କରିବା ପାଇଁ ରାଜ୍ୟ ସରକାରଙ୍କ ଡାକରାରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ ଆଗେଇ ଆସିଥିଲେ। ସେମାନଙ୍କ ସେବାକୁ ସ୍ବୀକୃତି ଦେଇ ସରକାର ସମସ୍ତଙ୍କୁ କୋଭିଡ ଯୋଦ୍ଧା ଭାବେ ଅଭିହିତ କରିଥିଲେ ା ଦେଶରେ କରୋନା ମୃତ୍ୟୁହାର ଆମ ରାଜ୍ୟରେ ସବୁଠୁ କମ୍‌ ବୋଲି ରାଜ୍ୟ ସରକାର ଘୋଷଣା କରି ଏହାର ବାହାବା ନେଇଥିଲେ ା ଏହି ସଫଳତା ପଛରେ କୋଭିଡ ଯୋଦ୍ଧାଙ୍କର ନିଷ୍ଠାପର ସେବା ଓ ଅଦମ୍ୟ ସାହସ ରହିଛି ା ଏବେବି କରୋନା ମହାମାରୀ ପ୍ରକୋପ ସରିନାହିଁ ା ମାତ୍ର କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟରତ ନର୍ସମାନଙ୍କୁ ରାଜ୍ୟ ସରକାର ଛଟେଇ କରିବା ଯୋଜନା କରିଛନ୍ତି। ଏହି ବିପଦ ସମୟର ବନ୍ଧୁଙ୍କ ପ୍ରତି ପ୍ରତାରଣା ଛଡା ଆଉ କିଛି ନୁହେଁ ବୋଲି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିିଟାଲରେ ଧାରଣାରତ କୋଭିଡ ଯୋଦ୍ଧା (ନର୍ସ)ମାନେ କହିଛନ୍ତି ା କୋଭିଡ ଯୋଦ୍ଧାଙ୍କ ଅସ୍ଥାୟୀ ନିଯୁକ୍ତି ଚୁକ୍ତିନାମା ଆସନ୍ତା ଡିସେମ୍ବର ୩୧ରେ ସରିଯିବ। ଏହା ପୂର୍ବରୁ ଏହି ସମସ୍ତ କୋଭିଡ ଯୋଦ୍ଧା ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସରକାରଙ୍କୁ ଧାରଣାରତ ନର୍ସମାନେ ଦାବି କରିଛନ୍ତି। ଅତ୍ୟନ୍ତ କଠିନ ପରିସ୍ଥିତିରେ ନିଯୁକ୍ତିପ୍ରାପ୍ତ ନର୍ସମାନେ ନିଜ ଜୀବନକୁ ବିପନ୍ନ କରି କରୋନା ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇଥିଲେ ା ରାଜ୍ୟ ସରକାର ଏଭଳି କର୍ତ୍ତବ୍ୟନିଷ୍ଠ କୋଭିଡ ଯୋଦ୍ଧାଙ୍କୁ ସ୍ଥାନୀୟ ନିଯୁକ୍ତି ଦେବା ପରିବର୍ତ୍ତେ ସେମାନଙ୍କୁ ଛଟେଇ କରିବା ଦୁର୍ଭାଗ୍ୟଜନକ ବୋଲି ଧାରଣାରତ ନର୍ସମାନେ କହିଛନ୍ତି ା
ରାଜ୍ୟରେ ଅନେକ ନର୍ସ ଓ ସ୍ବାସ୍ଥ୍ୟକର୍ମୀ ପଦବୀ ଖାଲି ପଡିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହୁଛନ୍ତି। ତେବେ କୋଭିଡ ଯୋଦ୍ଧାଭାବେ କାର୍ଯ୍ୟରତ ଅନେକ ନର୍ସଙ୍କ ବୟସ ସୀମା ଅତିକ୍ରମ କଲାଣି। ଏଭଳି ସ୍ଥିତିରେ ସେମାନେ ଆଉ ଆବେଦନ କରିପାରିବେ ନାହିଁ ା ଏଣୁ କର୍ତ୍ତବ୍ୟରତ ଏହି କୋଭିଡ ଯୋଦ୍ଧାଙ୍କୁ ଖାଲି ପଡିଥିବା ବିଭିନ୍ନ ପଦବୀରେ ସ୍ଥାୟୀ ନିଯୁକ୍ତି ସରକାର ପ୍ରଦାନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ା ଗତ ତିନିଦିନ ହେଲା କୋଭିଡ ଯୋଦ୍ଧା (ନର୍ସିଂ) ମାନେ ହସ୍ପିଟାଲରେ ଧାରଣା ଜାରୀ ରଖଥିଲେ ମଧ୍ୟ ସେମାନଙ୍କ ପାଖକୁ ସ୍ବାସ୍ଥ୍ୟ ବିଭାଗ କି ଜିଲା ପ୍ରଶାସନର କୌଣସି ଅଧିକାରୀ ଆଲୋଚନା ପାଇଁ ବି ଆସିନାହାନ୍ତି ା ଧାରଣା ଜାରି ରହିଥିଲେ ମଧ୍ୟ ସିଫ୍ଟ ଅନୁସାରେ ସେମାନେ କର୍ତ୍ତବ୍ୟରତ ରହିଛନ୍ତି ା ରାଜ୍ୟ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ସେମାନେ ବାଧ୍ୟ ହୋଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ା କୋଭିଡ ଯୋଦ୍ଧା (ନର୍ସିଂ) ସଂଘ ସଭାପତି ଶରତ କୁମାର ପଧାନ ଓ ସମ୍ପାଦକ ଆଶିଷ କୁମାର ସିଂଙ୍କ ନେତୃତ୍ୱରେ ଧାରଣା ଜାରି ରହିଛି ା