Categories: ଜାତୀୟ

ମଣିପୁର ବଦଳରେ ମୋଦିଙ୍କୁ ଘାରିଛି ଇସ୍ରାଏଲ ଚିନ୍ତା: ରାହୁଲ…

ଆଇଜଲ,୧୬।୧୦ : ମିଜୋରାମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମଣିପୁର ଅପେକ୍ଷା ଇସ୍ରାଏଲରେ କ’ଣ ଘଟୁଛି ସେଥିପାଇଁ ପ୍ରଧାନମନ୍ତ୍ରୀ ଅଧିକ ଚିନ୍ତିତ ଅଛନ୍ତି। ମିଜୋରାମର ରାଜ ଭବନ ନିକଟରେ ଆୟୋଜିତ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ମଣିପୁର ଆଉ ଗୋଟିଏ ରାଜ୍ୟ ନୁହେଁ ବରଂ ଜାତି ଆଧାରରେ ଦୁଇଟି ରାଜ୍ୟରେ ବିଭକ୍ତ ହୋଇଛି। ଏହାକୁ ଜାଣିଶୁଣି ଭାଜପା ସରକାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ବିରେନ ସିଂ ଇସ୍ତଫା ଦେଇ ନାହାନ୍ତି। କେନ୍ଦ୍ର ସରକାରଙ୍କ ବିରେନଙ୍କ ସମ୍ମୁଖରେ ନୀରବ ରହିଛି। କୌଣସି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରର ସାହସ ନାହିଁ।

ସେ ପୁଣି କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ହେଉଛି ଇସ୍ରାଏଲରେ ଯାହା ଘଟୁଛି ସେଥିପାଇଁ ମୋଦି ସରକାର ବହୁତ ଆଗ୍ରହ ଦେଖାଉଛନ୍ତି କିନ୍ତୁ ମଣିପୁର ଉପରେ ତାଙ୍କର ଆଦୌ ଧ୍ୟାନ ନାହିଁ। ରାଜ୍ୟରେ ଲୋକଙ୍କୁ ହତ୍ୟା କରାଯାଉଛି, ମହିଳା ଏବଂ ଶିଶୁମାନଙ୍କୁ ମାଡ ଦିଆଯାଉଛି ଏବଂ ନିର୍ଯାତନା ଦିଆଯାଉଛି। ମାତ୍ର ପ୍ରଧାନମନ୍ତ୍ରୀ ରାଜ୍ୟ ଗସ୍ତ କରିବାକୁ ଉଚିତ ମନେ କରୁ ନାହାନ୍ତି। ଏହାର ଜବାବ ଆଗାମୀ ଦିନରେ ଭୋଟର ହିଁ ଦେବେ।

Share