ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରିଲା କ୍ଷୀର, ବାଲଟି ବାଲଟି ବୋହି ନେଲେ ଲୋକେ, ଭିଡିଓ ଭାଇରାଲ……

ମୋରଦାବାଦ,୨୮।୧୧ : ଉତ୍ତରପ୍ରଦେଶର ମୋରାଦାବାଦର ବିଲାରୀ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଅଜବ ଖବର ଆସିଛି। ଏଠାରେ ସରକାରୀ ହ୍ୟାଣ୍ଡ ପମ୍ପରୁ କ୍ଷୀର ବାହାରିଛି। ଖବର ପ୍ରଚାର ହେବା ପରେ ଲୋକେ ଜମା ହୋଇ ବାଲଟି ବାଲଟି କ୍ଷୀର ଘରକୁ ବୋହି ନେଇ ଯାଇଛନ୍ତି। ବହୁ ସଂଖ୍ୟକ ଲୋକେ ବିଭିନ୍ନ ବାସନକୁସନ ଏବଂ ବୋତଲରେ ହ୍ୟାଣ୍ଡ ପମ୍ପରୁ କ୍ଷୀର ବୋଲି ଭାବି ଏହାକୁ ଭରିବା ଆରମ୍ଭ କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ସରକାରୀ ହାତ ପମ୍ପରୁ ଧଳା ପାଣି ବାହାରୁଥିଲା, ଯାହାକୁ ଲୋକେ କ୍ଷୀର ବୋଲି ଭାବିଥିଲେ।
କେତେକ ଲୋକ ଏହାକୁ ପ୍ରକୃତିର ଚମତ୍କାର ବୋଲି କହୁଥିବାବେଳେ କିଛି ଲୋକ ଏହାକୁ ରାସାୟନିକ ପ୍ରତିକ୍ରିୟା ବୋଲି କହିଥିଲେ। ଏହି ଗୁଜବ ବ୍ୟାପିବା ମାତ୍ରେ ଚାରିଆଡେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ମଲାରୀ ବସଷ୍ଟାଣ୍ଡରେ ଘଟିଛି।

ଜନ ସମାଗମ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲା। ଏହା ସତ୍ତ୍ୱେ ଲୋକେ ମାନି ନ ଥିଲେ। କ୍ଷୀର ପରି ଦେଖାଯାଉଥିବା ଧଳା ପାଣି ହ୍ୟାଣ୍ଡ ପମ୍ପରୁ ଘଣ୍ଟା ଘଣ୍ଟା ଧରି ବାହାରିଥିଲା। ଡାକ୍ତରମାନେ ଏହି ପ୍ରକାର ପାଣି ପିଇବାକୁ ବାରଣ କରିଛନ୍ତି ଏବଂ ଏହା ଜଣେ ବ୍ୟକ୍ତିଙ୍କୁ ଅସୁସ୍ଥ କରିପାରେ ବୋଲି କହିଛନ୍ତି। ତେବେ ହ୍ୟାଣ୍ଡ ପମ୍ପରୁ ଏଭଳି କ୍ଷୀର ପରି ଧଳା ପାଣି ଆସିବାର କାରଣ କ’ଣ ତାହା ଜଣା ପଡିନାହିଁ। ଏହା ମଇଳା ପାଣି ହୋଇପାରେ। ପୋଲିସ ହ୍ୟାଣ୍ଡ ପମ୍ପକୁ ସିଲ କରି ଦେଇଛି।

 

 

 

Share