ହେଡ୍‌କ୍ୱାର୍ଟର୍ସରେ ରହିବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ପାଇଁ ସାରା ରାଜ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେବ ସ୍କୁଲ ବନ୍ଦ ରହିଛି। ଏବେ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିଲେ ମଧ୍ୟ ସବୁ ଛାତ୍ରୀଛାତ୍ର ଉପକୃତ ହୋଇପାରୁନାହାନ୍ତି। ତେଣୁ ସ୍କୁଲ୍‌ ଖୋଲିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। କିନ୍ତୁ ଅନେକ ଶିକ୍ଷକ ସ୍କୁଲ ବନ୍ଦ ହେବା ପରେ ସେମାନଙ୍କ ହେଡ୍‌କ୍ୱାର୍ଟରରେ ନ ରହି ନିଜ ଜିଲା କିମ୍ବା ଅନ୍ୟତ୍ର ରହୁଛନ୍ତି। ସରକାର ବର୍ତ୍ତମାନ ଶଟ୍‌ଡାଉନ ଓ ଲକ୍‌ଡାଉନ କଟକଣାକୁ କୋହଳ କରି ସାରିଛନ୍ତି। ତେଣୁ ଶିକ୍ଷକମାନେ ନିଜ ହେଡ୍‌କ୍ୱାର୍ଟରରେ ରହିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଶୁକ୍ରବାର ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ସ୍କୁଲ ପରିସର ସଫା କରିବା ସହିତ ଭିତ୍ତିଭୂମି ଯେପରିକି ପିଇବା ପାଣି, ଶୌଚାଳୟ ଓ ରୋଷେଇ ଗୃହ ଆଦି ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। ସେହିଭଳି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା କୋଭିଡ୍‌-୧୯ କ୍ୟାମ୍ପେନର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତ ଶିକ୍ଷକଙ୍କୁ ସାମିଲ୍‌ କରାଯିବାର ଆବଶ୍ୟକତା ରହିଛି। ତେଣୁ ସମସ୍ତ ଶିକ୍ଷକଙ୍କ ଉପସ୍ଥିତିକୁ ନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ଉପରେ ଗୁରୁତ୍ୱ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

Share