କୋଭିଡ୍‌ ପରୀକ୍ଷା ବଢ଼ାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୨।୧୧: ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ନଜରରେ ରଖି କୋଭିଡ୍‌ ପରୀକ୍ଷା ବଢ଼ାଇବା ଲାଗି କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ୟୁରୋପ ଓ ଆମେରିକୀୟ ଦେଶଗୁଡ଼ିକରେ ଦୈନିକ ସଂକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିଚାଲିଛି। ଇତିମଧ୍ୟରେ ଉତ୍ତର ଭାରତର କେତେକ ରାଜ୍ୟରେ ନୂଆ ମାମଲା ସଂଖ୍ୟା ବଢ଼ିଛି। ତେଣୁ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ପରୀକ୍ଷା ବଢ଼ାଇବାକୁ ପରାମର୍ଶ ଦେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଭାରତରେ ଦୈନିକ ପଜିଟିଭ୍‌ ହାର୍‌ ୩.୪ ପ୍ରତିଶତକୁ ଖସିବା ପରେ ଏବେ ତାହା ୪%କୁ ଟପିଯାଇଛି। ବିଶେଷଜ୍ଞଙ୍କ ମତରେ ଆଗାମୀ ୨ ସପ୍ତାହରେ ଏହି ହାର ଯଦି ୫ ପ୍ରତିଶତ କିମ୍ବା ତା’ଠାରୁ କମ୍‌ ରୁହେ ତେବେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଇପାରିବ। ଭାରତରେ ଦୈନିକ ୧୦ ଲକ୍ଷ କୋଭିଡ୍‌ ପରୀକ୍ଷା କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ୧୩ କୋଟି ଲୋକ ପରୀକ୍ଷା କରାଇଲେଣି। ଅକ୍ଟୋବର ଦ୍ୱିତୀୟ ସପ୍ତାହରୁ ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନରେ ମଧ୍ୟ ଅଧିକ ନୂଆ ମାମଲା ଆସୁଛି। ଶୁକ୍ରବାର କରୋନା ଜନିତ ମୃତ୍ୟୁସଂଖ୍ୟା ୫୬୪ ଥିଲା। ସେଥିରୁ ୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟରେ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୫୫ ଜଣ ପ୍ରାଣ ହରାଇଥିବାବେଳେ ଦିଲ୍ଲୀରେ ୧୧୮ ଓ ପଶ୍ଚିମବଙ୍ଗରେ ୫୦ ଜଣଙ୍କ ଜୀବନ ଯାଇଛି।

କରୋନା ଗ୍ରାମ ‘ଥୋରାଙ୍ଗ’
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଥିବାବେଳେ ୧.୩୨ ଲକ୍ଷରୁ ଅଧିକ ଜୀବନ ଗଲାଣି। ସମ୍ପ୍ରତି ସଂକ୍ରମଣ ସ୍ଥିତି ସାମାନ୍ୟ କମିଥିବାବେଳେ କେତେକ ସ୍ଥାନରେ ଭୂତାଣୁ ପୁଣି ମୁଣ୍ଡ ଟେକିଛି। ଭାରତର ଏକ ଗାଁ କରୋନା କବ୍ଜାକୁ ଚାଲିଯାଇଛି। ହିମାଚଳ ପ୍ରଦେଶ ଲାହଲ ଉପତ୍ୟକାର ଥୋରାଙ୍ଗ ଗାଁର ସବୁ ଲୋକେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଗାଁକୁ କେହି କେହି କରୋନା ଗାଁ ବୋଲି ମଧ୍ୟ କହୁଛନ୍ତି। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବା ଲାଗି ବାରଣ କରାଯାଇଛି। ରୋହତାଙ୍ଗ ଟନେଲ ଓ ଅନ୍ୟ ପର୍ଯ୍ୟଟନସ୍ଥଳୀ ବୁଲିଯିବାକୁ ମନା କରାଯାଇଛି। ଏଠାକାର ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।
ମନାଲି- ଲେହ ରାଜପଥ ନିକଟ ଥୋରାଙ୍ଗ ଗ୍ରାମରେ ୪୨ ଲୋକ ଅଛନ୍ତି। ଅଧିକାଂଶ ଲୋକ ଏଠାରୁ କୁଲ୍ଲୁକୁ କାମ କରିବାକୁ ଯାଇଥାନ୍ତି। ଏଠାରେ ରହୁଥିବା ୪୨ ଜଣଙ୍କ ମଧ୍ୟରୁ ୪୧ ପଜିଟିଭ୍‌ ବାହାରି ଥିଲା।

Share