କ୍ରିମିନାଲ୍‌ ଅପିଲ୍‌ ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କଟକ,୩।୮ (କାର୍ତ୍ତିକ ସାହୁ)ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ କ୍ରିମିନାଲ୍‌ ଅପିଲ୍‌ ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ସ୍ଥିତି ସମ୍ପର୍କରେ ଅଦାଲତଙ୍କୁ ଅବଗତ କରାଇବାକୁ ନୋଟିସ କରିଛନ୍ତି। ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀରୁ ପ୍ରକାଶ, ଡା. ରବିରଞ୍ଜନ ସାହୁ, ଫିରୋଜ ଅହେମଦ ଖାନ୍‌ ଓ ସଙ୍ଗୀତା ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମୋକିମଙ୍କୁ ଭିଜିଲାନ୍ସ ମାମଲାରେ ହୋଇଥିବା ଦଣ୍ଡାଦେଶ କଡ଼ାକଡ଼ି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ ରହିଛି। ଏଥିରେ ଭାରତର ନିର୍ବାଚନ କମିଶନର, ରାଜ୍ୟ ନିର୍ବାଚନ କମିଶନର, ମହମ୍ମଦ ମୋକିମ ଓ ରାଜ୍ୟ ଭିଜିଲାନ୍ସକୁ ପକ୍ଷଭୁକ୍ତ କରାଯାଇଛି। ମୋକିମଙ୍କ ନାମରେ କଟକର ଏସ୍‌ଡିଜେଏମ୍‌ କୋର୍ଟ, ଭୁବନେଶ୍ୱର ଓ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ, କଟକର ଏସ୍‌ଡିଜେଏମ୍‌ (ଏସ୍‌) ଆଦି କୋର୍ଟରେ ୧୨ଟି ମାମଲା ବିଚାରାଧୀନ ରହିଛି। ୨୦୨୨ ସେପ୍ଟେମ୍ବର ୨୯ରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ମାମଲାରେ ମୋକିମଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ୩ ବର୍ଷ ଲେଖାଏ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏଥିସହ ମୋକିମ୍‌ଙ୍କୁ ୫୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ତୁରନ୍ତ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷରେ ମୋକିମ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି। ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରି ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ ଉପରେ ସାମୟିକ ସ୍ଥଗିତାଦେଶ ଜାରି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ବିଜୟୀ ପ୍ରାର୍ଥୀ ତଥା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ବିଜୟକୁ ଅସିଦ୍ଧ ଘୋଷଣା କରିବା ପାଇଁ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ମୋକିମଙ୍କ ନାମରେ ଥିବା ଆପରାଧିକ ମାମଲା ଏବଂ ତାଙ୍କର ସମ୍ପତ୍ତି ସମ୍ପର୍କରେ ସେ ରିଟର୍ନିଂ ଅଫିସରଙ୍କ ନିକଟରେ ମିଥ୍ୟା ଓ ଅସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିଥିବାରୁ ତାଙ୍କ ନିର୍ବାଚନକୁ ଖାରଜ କରାଯାଉ ବୋଲି ଦେବାଶିଷ ପ୍ରାର୍ଥନା କରିଛନ୍ତି।

Share